ଅପରାଧ

କାଠଯୋଡ଼ି ଗଣେଶ ଘାଟରୁ ମିଳିଲା ଦୁର୍ଦ୍ଦାନ୍ତ ଚିକୁର ଶବ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ଚିକୁ ଓରଫ୍‌ ଅନିଲ କୁମାର ବେହେରାର ମୃତଦେହ କାଠଯୋଡ଼ିର ଗଣେଶ ଘାଟ ନଦୀ ପଠାରୁ ଜବତ ହୋଇଛି। ବୁଧବାର ଲାଲବାଗ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି। ଚିକୁର ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ପୂର୍ବରୁ ମୋଷ୍ଟ ୱାଣ୍ଟେଡ୍ ବୀର ପାଲ୍‌ର ମୃତଦେହ ଯେଉଁ ଗଣେଶ ଘାଟରେ ରହସ୍ୟଜନକ ଭାବେ ୨୦୨୧ରେ ମିଳିଥିଲା, ଠିକ ସେହି ସ୍ଥାନରୁ ଚିକୁର ମୃତଦେହ ମିଳିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ମଙ୍ଗଳାବାଗ ଶଗଡ଼ିଆ ସାହିର ବିଜୟ କୁମାର ବେହେରାଙ୍କ ପୁଅ ଚିକୁର ସ୍କୁଟି (ଓଡି୦୫ବିଡି-୭୯୭୪) ରିଙ୍ଗରୋଡରେ ଏକ ପାନ ଦୋକାନ ନିକଟରେ ପାର୍କିଂ ହୋଇଥିଲା। ନଦୀ ବାଲିରେ ଚିକୁର ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁରୀଘାଟ ଥାନା ପୁଲିସକୁ ଖବର ଦେଇଥିଲେ। ସେହି ଅଞ୍ଚଳ ଲାଲବାଗ ଥାନା ଅଧୀନରେ ଆସୁଥିବାରୁ ଲାଲବାଗ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଚିକୁ ବନ୍ଧ ଉପରେ ସ୍କୁଟି ରଖି ବୁଧବାର ପ୍ରାୟ ୧୨ଟା ବେଳେ ନଦୀକୁ ଯାଇଥିବା କିଛି ଲୋକ ଦେଖିଛନ୍ତି। ପୁଲିସ ପାନ ଦୋକାନୀ ଓ ସେଠାରେ ଉପସ୍ଥିତ ଥିବା କିଛି ଗ୍ରାହକଙ୍କୁ ପଚରାଉଚରା କରୁଛି।ସୂଚନାଯୋଗ୍ୟ ଯେ ଅଖିଳେଶ୍ବର ସିଂହ କଟକ ଡିସିପି ଥିବା ବେଳେ ୨୦୧୮ ଅଗଷ୍ଟ ୧୭ରେ ପୁରୀଘାଟ ଥାନା ପୁଲିସ ଚିକୁକୁ ଏନକାଉଣ୍ଟର କରିଥିଲା। ତା ନିକଟରୁ ଗୋଟିଏ ୭ ଏମଏମ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ମୋବାଇଲ୍ ଫୋନ୍ ଜବତ ହୋଇଥିଲା। ଚିକୁ ବିରୋଧରେ ବାଦାମବାଡ଼ି, ଜଗତପୁର, ମାଲଗୋଦାମ, ମଙ୍ଗଳାବାଗ, ଚାଉଳିଆଗଞ୍ଜ, ପୁରୀଘାଟ, ଚୌଦ୍ବାର, ମଧୁପାଟଣା, ଜଗତସିଂହପୁର ଜିଲ୍ଲାରେ ୧୩ରୁ ଊର୍ଦ୍ଧ୍ବ ସଂଗିନ ଅପରାଧୀକ ମାମଲା ରହିଛି। ୨୦୨୧ରେ ବୀର ପାଲର ଶବ କାଠଯୋଡ଼ିରୁ ଜବତ ହୋଇଥିବା ବେଳେ ସେହି ମୃତ୍ୟୁର ରହସ୍ୟ ଏଯାଏ ଉନ୍ମୋଚନ ହୋଇପାରି ନାହିଁ। ଏଭଳି ସ୍ଥିତିରେ ଚିକୁ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବାରେ ପୁଲିସ କେତେ ସଫଳ ହେବ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *