ରାଜ୍ୟ

ଜାଗର ଯାତ୍ରା ରେ ଅଘଟଣ: ଦୀପରୁ ନିଆଁ ଲାଗି ଦୁଇ ମହିଳା ଆହତ


ନିମାପଡ଼ା : ଶନିବାର ଦିନ ସବୁ ଶୈବପୀଠ ମାନଙ୍କରେ ଶ୍ରଦ୍ଧାଳୁ ଭକ୍ତମାନେ ଦୀପ ଜାଳି ଜାଗର ଯାତ୍ରା ପାଳୁଥିବା ବେଳେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତ ର ଅମରେଶ୍ଵର ମହାଦେବ ମନ୍ଦିର ରେ ଏକ ଅଘଟଣ ଘଟିଥିଲା। ମନ୍ଦିର ପ୍ରାଙ୍ଗଣରେ ଜାଗର ଜାଳୁଥିବା ବେଳେ ଦୀପରୁ ନିଆଁ ଲାଗି ଦୁଇଜଣ ମହିଳା ଗୁରୁତର ଆହତ ହୋଇଥିଲେ । ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଉଭୟଙ୍କୁ ଉଦ୍ଧାର କରି ପୋଲିସ ଗାଡି ରେ ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ ।ସେଠାରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେ ହେଉଛନ୍ତି ନିଆଳି ଥାନା ବିନିଶପୁର ଗ୍ରାମର ରିନା ଭୋଇ (୩୫) ।ଜାଗର ଉପଲକ୍ଷେ ମନ୍ଦିର ଆସି ଦୀପ ଲଗାଉ ଥିବା ବେଳେ ଅସାବଧାନତା କାରଣରୁ ଦୀପ ନିଆଁ ତାଙ୍କ ପିନ୍ଧା ଲୁଗାରେ ଲାଗି ଯାଇଥିଲା ।ନିଆଁ ଲାଗିବା ପରେ ରିନା ଏଣେତେଣେ ଦୋଉଡ଼ିବାରୁ ତାଙ୍କ ପାଖରେ ଥିବା ଅନ୍ୟ ଜଣେ ମହିଳା ନିମାପଡ଼ା ବ୍ଲକ ଜଳଛତ୍ର ଗ୍ରାମର କଲ୍ୟାଣୀ ନାୟକ ଙ୍କ ଶାଢ଼ୀ ରେ ବି ନିଆଁ ଲାଗି ଯାଇଥିଲା ।ଫଳରେ ଉଭୟ ଆହତ ହୋଇଥିଲେ ।ଖବର ପାଇ ମନ୍ଦିରରେ ଡ୍ୟୁଟି ରେ ଥିବା ଥାନା ଅଧିକାରୀ ମମତା ବିଶ୍ଵାଳ ଉଭୟଙ୍କୁ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଥାନା ଗାଡ଼ିରେ ଉଠାଇ ଆଣି ଚିକିତ୍ସା କରାଇଥିଲେ ।ରିନା ଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଥିବା ଡ଼ାକ୍ତର କହିଛନ୍ତି । ତେବେ କଲ୍ୟାଣୀ ପ୍ରାଥମିକ ଚିକିତ୍ସା ପରେ ନିଜ ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *