ମନୋରଞ୍ଜନ

ମାଲାୟଲୀ ସିନେମାରେ ପୂରା ବ୍ୟସ୍ତ ଆନ୍ନା

ମାଲାୟଲୀ ଅଭିନେତ୍ରୀ ଆନ୍ନା ବେନ୍ ସିନେ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୁରକ୍ଷିତ ରଖି ପାରିଛନ୍ତି। ମାତ୍ର ତିନି ବର୍ଷର ଅଭିନୟ ଜୀବନ ଭିତରେ ପାଖାପାଖି ଦଶଟି ଚଳଚ୍ଚିତ୍ରରେ ଅଭିନୟ କରି ଆଠଟି ଜାତୀୟ ସ୍ତରର ପୁରସ୍କାର ଲାଭ କରିବା ହେଉଛି ତାଙ୍କ ଦକ୍ଷତାର ପ୍ରମାଣ। କେରଳର କୋଚିଠାରେ ୧୯୯୫ ଅଗଷ୍ଟ ୭ ତାରିଖରେ ମାଲାୟଲୀ ସିନେମାର ପ୍ରଖ୍ୟାତ ଚିତ୍ରନାଟ୍ୟ ଲେଖକ ବେଣୀ ପି. ନାୟାରାମ୍ବଲମ୍‌ଙ୍କର କୋଳମଣ୍ଡନ କରିଥିବା ଆନ୍ନା ଫେସନ୍‌ ଡିଜାଇନ୍‌ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ପଢ଼ିଲା ବେଳୁ ଜଣେ ଫେସନ ଡିଜାଇନର ହେବା ପାଇଁ ସେ ମନସ୍ଥ କରିଥିଲେ। କିନ୍ତୁ ମାଲାୟଲୀ ସିନେମାରେ ଅଭିନେତ୍ରୀ ହେବା ପାଇଁ ତାଙ୍କ ପିତାଙ୍କର ସ୍ବପ୍ନକୁ ଆନ୍ନା ସାର୍ଥକ କରିବାକୁ ପରେ ମନ ପରିବର୍ତ୍ତନ କରିଥିଲେ। ସେ ତରବରିଆ ଭାବେ ସିନେଦୁନିଆକୁ ଲମ୍ଫ ନ ମାରି ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଶେଷରେ ପିତାଙ୍କର ସୁପାରିସ କ୍ରମେ ୨୦୧୯ରେ ସେ ମାଲାୟଲୀ ସିନେମା ‘କୁମ୍ବଲଙ୍ଗି ନାଇଟ୍‌ସ’ରେ ପ୍ରଥମ ପଦାର୍ପଣ କରି ଦର୍ଶକ ଓ ସମୀକ୍ଷକମାନଙ୍କୁ ଚକିତ କରିଦେଇଥିଲେ। ଏହି ପ୍ରଥମ ସିନେମା ହିଁ ତାଙ୍କ ପାଇଁ ଦୁଇ ଦୁଇଟି ପୁରସ୍କାର ଆଣିଦେଇଦେଇଥିଲା। ପରବର୍ତ୍ତୀ ସିନେମା ‘ହେଲେନ୍‌’ ଓ କାପ୍ପେଲା’ ମଧ୍ୟ ଆନ୍ନାଙ୍କ ପାଇଁ ଅନୁରୂପ ପ୍ରତିଷ୍ଠା ଅଜାଡ଼ି ଦେଇଥିଲା।ଏହାପରେ ସେ ଆଉ ସିନେମା ପଛରେ ଗୋଡ଼େଇବା ଦରକାର ପଡ଼ିନି, ବରଂ ସୁନାମଧନ୍ୟ ନିର୍ଦ୍ଦେଶକମାନେ ନିଜ ପ୍ରକଳ୍ପରେ ଆନ୍ନାଙ୍କୁ ନାୟିକା ରୂପେ ପାଇବା ଲାଗି ଆଗେଇ ଆସିଲେ। ପରେ ପରେ ‘ସାରାସ୍‌’, ‘ନାରାଦାନ’ ଓ ‘ନାଇଟ୍‌ ଡ୍ରାଇଭ୍‌’ ପରି ସିନେମାରେ ସେ ତାଙ୍କର ପୂର୍ବ ଲୋକପ୍ରିୟତା ଦୋହରାଇଥିଲେ। ଗତବର୍ଷ ଖେଳିଥିବା ‘କାପ୍ପା’ ସିନେମାରେ ଆନ୍ନାଙ୍କର ଗୁଣ୍ଡା ବିନୁ ପରି ଭିନ୍ନ ଚରିତ୍ର ଦର୍ଶକଙ୍କୁ ଭରପୂର ମନୋରଂଜନ ଯୋଗାଇପାରିଛି। କୌଣସି ଧରାବନ୍ଧା ଚରିତ୍ରରେ ନିଜକୁ ସୀମିତ ନରଖି ଆନ୍ନା ବିଭିନ୍ନ ଭୂମିକାରେ ନିଜକୁ ପରଖି ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ଚଳିତ ବର୍ଷ ତାଙ୍କ ଅଭିନୀତ ଦୁଇଟି ମାଲାୟଲୀ ସିନେମା ମୁକ୍ତିଲାଭ ଅପେକ୍ଷାରେ ଥିବା ବେଳେ ‘କୋଟ୍ଟୁକାଲି’ ଚଳଚ୍ଚିତ୍ରର ସୁଟିଂରେ ସେ ଏବେ ବ୍ୟସ୍ତ ଅଛନ୍ତି। ତେବେ ମାଲାୟଲୀ ଦର୍ଶକଙ୍କ ପାଖରେ ଏପରି ପ୍ରସିଦ୍ଧି ଲାଭ କରିଥିଲେ ହେଁ ଆନ୍ନା ଏଯାଏ ବଲିଉଡ୍‌ ପ୍ରତି ମନ ବଳାଇନାହାନ୍ତି। ଅବଶ୍ୟ ମାଲାୟଲୀ ବ୍ୟତୀତ ଅନ୍ୟ ଦକ୍ଷିଣ ଭାରତୀୟ ଭାଷାର ସିନେମା ପାଇଁ ମଧ୍ୟ ତାଙ୍କ ହାତରେ ଏବେ ସମୟ ନାହିଁ।

Leave a Reply

Your email address will not be published. Required fields are marked *