ରାଜ୍ୟ

ଆଇଏନଏସ ଚିଲିକାରେ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ

ବାଲୁଗାଁ:-ରବିବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଆଇଏନଏସ ଚିଲିକା ପକ୍ଷରୁ ଏକ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନ.ପି ପ୍ରଦୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା,ଟାଙ୍ଗୀ, ବାଣପୁର ଓ ବାଲୁଗାଁ ଅଞ୍ଚଳର ପାଖାପାଖି ୪୦ ଜଣ ସାମ୍ବାଦିକ ଯୋଗ ଦେଇଥିଲେ। ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ସାମ୍ବାଦିକ ମାନଙ୍କୁ ଷ୍ଟେସନ ପରିସରରେ ସ୍ୱାଗତ କରାଯିବା ସହ ପରବର୍ତ୍ତୀ ସମୟରେ ନାଭାଲ ଅଧିକାରୀଙ୍କ ସଙ୍ଗେ ସାମ୍ବାଦିକମାନେ ମା’ କାଳିଜାଇ ମନ୍ଦିର ଦର୍ଶନ କରିଥିଲେ।ଏହା ପରେ ଆଇଏନଏସ ଚିଲିକାର ଅଫିସର୍ସ କକ୍ଷରେ ସାମ୍ବାଦିକମାନଙ୍କ ସହ କମାଣ୍ଡିଂ ଅଫିସର କମୋଡର ଏନପି ପ୍ରଦୀପ ଆଲୋଚନା କରିଥିଲେ।

ଏହି ଅବସରରେ ଦୀର୍ଘ ଏକ ବର୍ଷ ମଧ୍ୟରେ ଆଇଏନଏସ ଚିଲିକା ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ତେବେ ଆଇଏନଏସ ଚିଲିକାର ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ତଥା ଦେଶର ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିବାରୁ ବନ୍ଧୁ ମିଳନରେ ଯୋଗଦେଇଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଇଏନଏସ ଚିଲିକା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।ଗଣମାଧ୍ୟମ ଓ ଆଇଏନଏସ ଚିଲିକାର ସମ୍ପର୍କ ଏହିପରି ଅତୁଟ ରହିବ ବୋଲି ଶ୍ରୀ ପ୍ରଦୀପ କହିଛନ୍ତି।ପରିଶେଷରେ ସମସ୍ତ ସାମ୍ବାଦିକମାନେ କମାଣ୍ଡିଂ ଅଫିସରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କମାଣ୍ଡର ପରିଚୟ କାଲରା ପରିଚାଳନା କରିଥିବା ବେଳେ କ୍ୟାପଟେନ ବାସୁଦେବନ , କ୍ୟାପଟେନ ସଞ୍ଜୟ ତ୍ରିପାଠୀ, ଡେପୁଟି ପି.ଆର.ଓ ବିନୋଦ ଚନ୍ଦ୍ର ମିଶ୍ର, ଲିଉଟନାଣ୍ଟ କମାଣ୍ଡର ଅକ୍ଷୟ ସାହୁ, ସବ ଲିଉଟନାଣ୍ଟ ଜୁହି ଆଦି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *