ମହାନଗର

ପ୍ଲାଟିନମ୍‌ ଜୁବିଲି ପାଳନ କରିବ ରାଜଧାନୀ

ଭୁବନେଶ୍ୱର : ଏପ୍ରିଲ ୧୩ରୁ ୧୫ ତାରିଖ ୩ଦିନ ଧରି ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଉତ୍ସବ। ଚଳିତବର୍ଷ ରାଜଧାନୀ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ହେଉଥିବାରୁ ଏହାକୁ ପ୍ଲାଟିନମ୍‌ ଜୁବିଲି ଉତ୍ସବ ଭାବେ ବର୍ଣ୍ଣାଢ୍ୟ ଢଙ୍ଗରେ ପାଳନ କରାଯିବ। ଏନେଇ ବୁଧବାର କ୍ୟାପିଟାଲ ହାଇସ୍କୁଲ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ପ୍ରତିଷ୍ଠା ଉତ୍ସବରେ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୭୫ ପ୍ଲାଟୁନ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିବେ। ପ୍ରତି ଦଳରେ ୩୨ ଜଣ ଛାତ୍ରୀଛାତ୍ର କଲେଜ ଓ ସ୍କୁଲ ୟୁନିଫର୍ମ ସହ ଯୋଗଦେବେ। ସେହିପରି ଶିଳାନ୍ୟାସ ଫଳକ ଓ ଉତ୍ସବ ସ୍ଥଳର ସାଜସଜ୍ଜା, ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଆୟୋଜିତ ହେବ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୩ଜଣ ବ୍ୟକ୍ତି ବିଶେଷଙ୍କୁ ‘ରାଜଧାନୀ ଗୌରବ ସମ୍ମାନ’ ପ୍ରଦାନ କରାଯିବ। ସେହିପରି ବିଭିନ୍ନ ସରକାରୀ ଉଦ୍ୟୋଗ, ବେସରକାରୀ ଅନୁଷ୍ଠାନ ଏବଂ ରାଜଧାନୀରେ ଥିବା ବିଭିନ୍ନ ସ୍କୁଲ ଓ କଲେଜ କୋଠାକୁ ଆଲୋକମାଳାରେ ସଜ୍ଜିତ କରାଯିବ। ଏଥିସହ ଉତ୍ସବରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରାୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁଷ୍ଠିତ କରାଯିବା ନେଇ ବିଭିନ୍ନ ଉପ-କମିଟି ଗଠନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ପାଇଁ ବିଏମ୍‌ସି ସ୍ତରରେ ବୈଠକ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସଭାପତି ତଥା ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର, ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଉପ ଜିଲାପାଳ ଦେବବ୍ରତ ସାହୁ, ଭୁବନେଶ୍ୱର ବିଡିଓ ସମ୍ପଦ କୁମାର ଦଳାଇ , ଏନ୍‌ସିସି ଗ୍ରୁପ୍‌ କମାଣ୍ଡାଣ୍ଟ, ଲେଫ୍ଟନାଣ୍ଟ କର୍ନେଲ ଏସ୍‌.କେ.ମିଶ୍ର, ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *