ମୁଖ୍ୟ ଖବର

ପଶ୍ଚିମା ଝଡ଼ ପ୍ରଭାବ: ନୀଳଗିରିରେ ୧୬ ଗୋରୁ ମୃତ

ଭୁବନେଶ୍ବର/ବାଲେଶ୍ବର/କାଶୀପୁର: ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଆଜି ଅପରାହ୍‌ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବଜ୍ରପାତ ସମେତ ମଧ୍ୟମ ଧରଣର ବର୍ଷା ହୋଇଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବର୍ଷା ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ମଝିରେ ମଝିରେ ଘଡ଼ଘଡ଼ି ଓ ବିଜୁଳି ସରବରାହରେ ବାଧା ସୃଷ୍ଟି ହେଉଛି। ରାୟଗଡ଼ା ଜିଲ୍ଲା କାଶୀପୁରରେ ବର୍ଷା ଓ କୁଆପଥର ମାଡ଼ ହୋଇଛି। କଞ୍ଜାକଣା ଗାଁର ୨ ମହିଳା ଗୁରୁତର ହୋଇଛନ୍ତି। ସେମାନଙ୍କୁ କାଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ପ୍ରତାପପୁର ଗାଁରେ ବଜ୍ରପାତ କାଣରୁ ୧୬ଟି ଗୋରୁଙ୍କ ମୃତ୍ୟୁ ହୋଇଛି। କିନ୍ତୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି। ଏହି ବର୍ଷା ବନାଗ୍ନି ପାଇଁ ଆଶୀର୍ବାଦ ସଦୃଶ ହୋଇଛି।ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆଜି ସନ୍ଧ୍ୟା ୫ଟାରେ କୁଆପଥର ସହ ବର୍ଷା ହେଉଛି। ଏହି ସମୟରେ ଗୋରଖପୁର ଠାରୁ ମାରିଭଟା ଗ୍ରାମ ପର୍ଯ୍ୟନ୍ତ କୁଆପଥର ସହ ବର୍ଷା ହୋଇଛି, ଯାହା ଫଳରେ କିଛି ସମୟ ପାଇ ମୁଖ୍ୟରାସ୍ତା କୁଆପଥର ଢାଙ୍କି ହୋଇ ପଡ଼ିଛି। କିଛି ସମୟ ପାଇଁ ରାସ୍ତା କଶ୍ମୀର ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ନଦୀକୁ ଯାଇଥିବା ଦୁଇ ମହିଳା କୁଆପଥର ମାଡ଼ରେ ଗୁରୁତର ଭାବେ ଆହତ ହୋଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସେହିଭଳି କାଶୀପୁର ବ୍ଲକ ପଣଷଗୁଡା ଗ୍ରାମରେ କିଛି ଘର ଟିଣ ମଧ୍ୟ ଉଡେଇ ନେଇଛି। ସ୍ଥାନୀୟ ତହସିଲ ଅଫିସ ପରିସରରେ ବହୁତ ବଡ଼ ଗଛ ଭାଙ୍ଗି ଯାଇଛି। କିଛି ଲୋକଙ୍କ କହିବା ଅନୁସାରେ ଏହିପରି କୁଆପଥର ମାଡ଼ ଓ ବର୍ଷା ଅନେକ ଦିନରୁ ହୋଇ ନଥିଲା।

Leave a Reply

Your email address will not be published. Required fields are marked *