ମହାନଗର

ଭିଜାଇଲା କାଳବୈଶାଖୀ ବର୍ଷା, କଲବଲ କଲା ଧୂଳିଝଡ଼

ଭୁବନେଶ୍ବର: ବର୍ଷା ହେବାର ସୂଚନା ଥିଲା। ପାଗ ବି ମେଘୁଆ ଥିଲା। କିନ୍ତୁ ସମସ୍ତେ ଅପ୍ରସ୍ତୁତ ଥିଲେ। ସନ୍ଧ୍ୟା ସାଢ଼େ ୬ ବେଳକୁ ହଠାତ୍‌ ଆରମ୍ଭ ହୋଇଗଲା ବର୍ଷା। କେବଳ ବର୍ଷା ନୁହେଁ, ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ପବନ ମଧ୍ୟ ବୋହିଲା। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବାରୁ ସହରର ଅଧା ଅନ୍ଧାର ହୋଇଗଲା। ଯିଏ ଯେଉଁଠି ଥିଲା ସେଠାରେ ହିଁ ଅଟକି ରହିଲା। ରାସ୍ତା ସାରା ଧୂଳି ଉଡ଼ିଲା। ଗଛ ଡାଳ ବି ଭାଙ୍ଗିଲା। ଦୀର୍ଘ ଏକ ଘଣ୍ଟା ଧରି କାଳବୈଶାଖୀ ଏଭଳି ତାଣ୍ଡବ ରଚିଲା।

ପ୍ରଥମେ ଝିପ୍‌ଝିପ୍‌ ବର୍ଷା ହେଉଥିଲା। ପରେ ପରେ ବର୍ଷାର ବେଗ ବଢ଼ିଥିଲା। ଉତ୍ତରା, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଏୟା‌ର୍‌ପୋର୍ଟ, ରସୁଲଗଡ଼, ଆଚାର୍ଯ୍ୟ ବିହାର ପ୍ରଭୃତି ଅଞ୍ଚଳରେ ଭଲ ବର୍ଷା ହୋଇଥିଲା। ଘଣ୍ଟାପ୍ରତି ୪୦ କିମିରୁ ଅଧିକ ବେଗରେ ପବନ ବୋହିଥିବାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭ୍ରାଟ ହୋଇଥିଲା। ପୋଖରୀପୁଟ୍‌, ଜାଗମରା, ଡୁମୁଡ଼ୁମା‌, ଲକ୍ଷ୍ମୀସାଗର, କେନାଲ ରୋଡ୍‌, ବଡ଼ଗଡ଼, ବିଜେବି ନଗର, ପଟିଆ, ମଞ୍ଚେଶ୍ବର, ରସୁଲଗଡ଼, ପୁରୁଣାଭୁବ‌ନେଶ୍ବର ପ୍ରଭୃତି ଅଞ୍ଚଳରେ ପ୍ରାୟ ଦେଢ଼ଘଣ୍ଟା ଧରି ବିଜୁଳି ସରବରାହ ବନ୍ଦ ରହିଥିଲା। କେତେକ ଜାଗାରେ ବିଜୁଳି ଲୁଚକାଳି ଖେଳିଥିଲା। ବର୍ଷା ଛାଡ଼ିବା ପରେ ଭୁବନେଶ୍ବରର ପାଗ କୋହଲା ରହିଛି।
ଅଚାନକ୍‌ ବର୍ଷା ଦେଖି ବିଏମ୍‌ସି ବାଉଳା ହୋଇଥିଲା। ପ୍ରବଳ ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଅଫିସରମାନଙ୍କୁ ସଜାଗ ରହିବାକୁ ହ୍ବାଟ୍‌ସ୍‌ଆପ୍‌ ଗ୍ରୁପ୍‌ରେ କୁହାଯାଇଥିଲା। ସମସ୍ତ ଜୋନ୍‌ର ଜେଡ୍‌ଡିସି ନିଜ ନିଜ ଅଞ୍ଚଳ ଉପରେ ନଜର ରଖିବା ସହ କ୍ଷୟକ୍ଷତି ବା ବର୍ଷାର ପ୍ରଭାବ ସମ୍ବନ୍ଧରେ ନିୟମିତ ଅପ୍‌ଡେଟ୍‌ କରିବାକୁ କମିସନର ନିର୍ଦ୍ଦେଶ ଦେଇଥିଲେ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜଧାନୀରେ ୪ ମିମି ବର୍ଷା ହୋଇଛି। ଆସନ୍ତାକାଲି ମଧ୍ୟ ରାଜଧାନୀରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆଜି ସକାଳୁ ପାଗ ମେଘୁଆ ରହିଥିଲା। ମଝିରେ ମଝିରେ ଖରା ହୋଇଥିଲା। ଆଜି ରାଜଧାନୀର ସର୍ବୋଚ୍ଚ ଦିନ ତାପମାତ୍ରା ୩୫.୪ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ଏହା ସ୍ବାଭାବିକଠାରୁ ୨ ଡିଗ୍ରି କମ୍‌। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜଧାନୀର ତାପମାତ୍ରା ଏହିଭଳି ରହିବ। ଏହା ପରେ ଖରା ଓ ଗରମ ବଢ଼ିବ। ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *