ଅପରାଧ

ବିଚ୍ଛିନତାବାଦୀ ନେତା ଅମୃତପାଲ ସିଂହ ଗିରଫ

ଜଳନ୍ଧର: ବିଚ୍ଛିନତାବାଦୀ ନେତା ତଥା ‘ୱାରିସ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହଙ୍କୁ ଆଜି ପଞ୍ଜାବ ପୁଲିସ ଜଳନ୍ଧର ଜିଲ୍ଲାର ମେହତପୁର ଅଞ୍ଚଳରୁ ଗିରଫ କରିଛି। ଅମୃତପାଲର କିଛି ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ରାଜ୍ୟର ୭ ଜିଲ୍ଲାର ପୁଲିସଙ୍କୁ ନେଇ ଗଠନ ହୋଇଥିବା ଏକ ସ୍ବତନ୍ତ୍ର ଟିମ୍‌ ବିଚ୍ଛିନତାବାଦୀ ନେତା ଅମୃତପାଲଙ୍କୁ ଧରିବାପାଇଁ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଆଜି ତାଙ୍କ କନ୍‌ଭୟକୁ ପିଛା କରିଥିଲେ। ଅମୃତପାଲ ଜଳନ୍ଧରରୁ ଶାହକୋଟ ତହସିଲକୁ ଯାଉଥିବାବେଳେ ବାଟରେ ତାଙ୍କୁ ପୁଲିସ ପିଛା କରି ଗିରଫ କରିବାରେ ସଫଳ ହୋଇଛି। ତେବେ ଅମୃତପାଲ୍‌ର ସହଯୋଗୀମାନେ ଶାହକୋଟ ନିକଟରେ ସମର୍ଥକମାନଙ୍କୁ ଏକଜୁଟ ହେବାପାଇଁ ଏକ ଭିଡିଓ ପଠାଇବାରୁ ପୁଲିସ ଇଣ୍ଟ‌ରନେଟ୍‌ ସେବା ବନ୍ଦ କରିଦେଇଛି। ରବିବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ହିଂସା ହେବ ବୋଲି ଆଗୁଆ ଆକଳନ କରି ପୁଲିସ ଅମୃତସର ଜିଲ୍ଲା ଅଧୀନ ଅମୃତପାଲ୍‌ର ପୈତୃକ ଗ୍ରାମ ଜଲ୍ଲୁପୁର ଖଇରାରେ ସୁରକ୍ଷା କଡ଼ାକଡ଼ି କରିଛି। ଗ୍ରାମରେ ଅର୍ଦ୍ଧସାମରିକ ବଳ ମୁତୟନ ହୋଇଛନ୍ତି। ମେହତପୁରରେ ଅମୃତପାଲର ଅନେକ ସହଯୋଗୀ ଅଟକ ରହିଛନ୍ତି। ସୋସିଆଲ ମିଡିଆ ଦ୍ବାରା ହିଂସା ପାଇଁ ପ୍ରବର୍ତ୍ତାଉଥିବା କିଛି ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଇତି ମଧ୍ୟରେ ପଞ୍ଜାବ ପୁଲିସ ଲୋକମାନଙ୍କୁ ଶାନ୍ତି ଏବଂ ସଦ୍‌ଭାବନା ବଜାୟ ରଖିବାକୁ କହିଛି।

ଗତ ଫେବ୍ରୁଆରି ୨୩ରେ ପଞ୍ଜାବରେ ହୋଇଥିବା ଏକ ବିଶାଳ ଆନ୍ଦୋଳନର ନେତୃତ୍ବ ନେଇଥିଲେ ଅମୃତପାଲ। ସହଯୋଗୀ ଲଭପ୍ରିତ ସିଂହଙ୍କ ଗିରଫକୁ ବିରୋଧ କରି ସେ ଏବଂ ତାଙ୍କ ସମର୍ଥକମାନେ ଖଣ୍ଡା ଏବଂ ବନ୍ଧୁକ ଧରି ଅଜନଲା ଥାନା ଘେରାଉ କରିଥିଲେ। ବ୍ୟାରିକେଡ୍‌ ଭାଙ୍ଗି ସେମାନେ ଅସ୍ତ୍ର ସହ ଥାନାରେ ପଶିଥିଲେ ଏବଂ ପୁଲିସ ସହ ସଂଘର୍ଷ କରିଥିଲେ। ସଂଘର୍ଷ ଯୋଗୁଁ କିଛି ପୁଲିସ ଆହତ ହୋଇଥିଲେ। ତେବେ ଲଭପ୍ରିତକୁ ଛଡ଼ାଯିବ ବୋଲି ପୁଲିସଠାରୁ ପ୍ରତିଶ୍ରୁତି ପାଇବାପରେ ସେମାନେ ଆନ୍ଦୋଳନ ଭାଙ୍ଗିଥିଲେ। ଅମୃତପାଲ ଏହି ହିଂସା ପାଇଁ ପରେ ପଞ୍ଜାବ ପୁଲିସକୁ ଦାୟୀ କରିଥିଲେ। ରବିବାର ଅମୃତପାଲ ସିଂହ ମୁକତସରରୁ ଖଲ୍‌ସା ୱାହିରର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରିବା ପୂର୍ବରୁ ଆଜି ତାଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *