ଖେଳ

ରୋହିତ ଫେରିଲେ: ଆଜି ଦ୍ବିତୀୟ ଦିନିକିଆ

ବିଶାଖାପାଟଣା: ମୁମ୍ବାଇର ୱାଙ୍ଖ୍‌ଡେରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ସ୍ନାୟୁ ଯୁଦ୍ଧରେ ବିଜୟୀ ହେବା ସହ ୧-୦ରେ ଆଗୁଆ ଥିବାରୁ ରବିବାର ଦ୍ବିତୀୟ ଦିନିକିଆ ଜିତି ଶୃଙ୍ଖଳାକୁ ସିଲ୍‌ କରିଦେବା ଲକ୍ଷ୍ୟରେ ରହିଛି। ପାରିବାରିକ କାରଣରୁ ମୁମ୍ବାଇରେ ଖେଳିପାରିନଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଫେରୁଥିବାରୁ ଈଶାନ କିଶନଙ୍କୁ ବାହାରେ ବସିବାକୁ ପଡ଼ିପାରେ। କିଶନଙ୍କୁ ମଧ୍ୟକ୍ରମରେ ଖେଳାଇବାକୁ ଯୋଜନା ହେଲେ ସୂର୍ଯ୍ୟକୁମାର ଯାଦବ ବାଦ୍‌ ପଡ଼ିପାରନ୍ତି। ଶ୍ରେୟସ ଆୟରଙ୍କ ବଦଳରେ ସୂର୍ଯ୍ୟକୁମାର ମଧ୍ୟ ୪ ନମ୍ବର ସ୍ଥାନ ବଜାୟ ରଖିପାରନ୍ତି। ବିଶାଖାପାଟଣା ପିଚ୍‌ରେ ସ୍ପିନରଙ୍କ ପ୍ରଦର୍ଶନ ଭଲ ଥିବାରୁ ଶାର୍ଦୁଳ ଠାକୁରଙ୍କ ବଦଳରେ ୱାସିଂଟନ୍ ସୁନ୍ଦରଙ୍କୁ ଖେଳାଇବା ଯୋଜନା ମଧ୍ୟ ଆଲୋଚନା ପରିସରଭୁକ୍ତ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ମୁମ୍ବାଇରେ ଖେଳିପାରିନଥିବା ଡେଭିଡ୍ ୱାର୍ଣ୍ଣର ଓ ଆଲେକ୍ସ କ୍ୟାରି ରବିବାର ସୁଯୋଗ ପାଇବା ସମ୍ଭାବନା ରହିଛି। ୱାର୍ଣ୍ଣର ଫେରିବା ଚୂଡାନ୍ତ ହେଲେ ଅଷ୍ଟ୍ରେଲିଆକୁ ଏହାର ବ୍ୟାଟିଂ କ୍ରମରେ ଅଦଳ ବଦଳ କରିବାକୁ ପଡ଼ିବ। କ୍ୟାରି କିନ୍ତୁ ଜୋସ୍ ଇଙ୍ଗଲିସ୍‌ଙ୍କ ବଦଳରେ ସିଧାସଳଖ ଖେଳିବେ। ପ୍ରଥମ ମ୍ୟାଚ୍‌ରେ ମିଚେଲ୍ ମାର୍ସ ୬୫ ବଲ୍‌ରୁ ୮୧ ରନ୍ କରିବା ଏବଂ ମିଚେଲ୍‌ ଷ୍ଟାର୍କ ୩ ୱିକେଟ୍ ଦଖଲ କରିଥିବାରୁ ସେମାନଙ୍କଠାରୁ ଦଳ ରବିବାର ଅଧିକ ଆଶା ରଖିବ।

ମୁମ୍ବାଇରେ ଭାରତକୁ ବିପର୍ଯ୍ୟୟରୁ ବାହାର କରି ବିଜୟ ଦେଇଥିବା କେଏଲ୍ ରାହୁଲ ଓ ରବୀନ୍ଦ୍ର ଜାଦେଜାଙ୍କ ଉପରେ ନିଶ୍ଚିତ ନଜର ରହିବ। ବର୍ଡର ଗାଭାସ୍କର ଟ୍ରଫିରେ ସଂଘର୍ଷ କରିଥିବା ରାହୁଲ କିନ୍ତୁ ଦିନିକିଆରେ ଭାରତର ନିର୍ଭରଯୋଗ୍ୟ ୫ ନମ୍ବର ଖେଳାଳି ହୋଇପାରିବେ ବୋଲି ବିଶ୍ବାସ ଦେଇଛନ୍ତି। ରବୀନ୍ଦ୍ର ଜାଦେଜାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ତାଙ୍କୁ ବିଶ୍ବକପ୍‌ ବର୍ଷରେ ଆଶ୍ବସ୍ତ କରିଛି। ୱିକେଟ ପଛପଟେ ମଧ୍ୟ ରାହୁଲ ଚମତ୍କାର ପ୍ରଦର୍ଶନ କରିଥିବାରୁ ଭାରତ ପାଇଁ ବିଶ୍ବକପ୍‌ରେ ବଡ଼ ବିକଳ୍ପର ସାମର୍ଥ୍ୟ ଭାବେ ଉଭା ହେବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *