ମୁଖ୍ୟ ଖବର

ମହାନଦୀ ଜଳବିବାଦ: ଠପ୍‌ ହେଲା ଟ୍ରିବ୍ୟୁନାଲ୍‌

ନୁଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହ‌ାନଦୀ ଜଳ ବିବାଦ ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ଙ୍କ ଅବଧି ଚଳିତମାସ ୧୧ରେ ଶେଷ ହୋଇଛି। ଏହାପରେ ଆଗକୁ ଟ୍ରିବ୍ୟୁନାଲ୍‌ଙ୍କ ଅବଧି ବୃଦ୍ଧି ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗିରହିଛି। ଏହାର ପ୍ରଭାବ ଟ୍ରିବ୍ୟୁନାଲ୍‌ଙ୍କ ଶୁଣାଣି ଓ କ୍ଷେତ୍ର ପରିଦର୍ଶନ ଉପରେ ପଡ଼ିଛି। କାର୍ଯ୍ୟକାଳ ଅବଧି ବୃଦ୍ଧି ନହେବାରୁ ଟ୍ରିବ୍ୟୁନାଲ୍‌ ଆସନ୍ତା ୨୫ ତାରିଖ ଶୁଣାଣିକୁ ବାତିଲ କରିଦେଇଥିବା ବେଳେ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି। ଟ୍ରିବ୍ୟୁନାଲ୍‌ଙ୍କ ଅବଧି ବୃଦ୍ଧି ପାଇଁ ଓଡ଼ିଶା ଓ ଛତିଶଗଡ଼ ଖୁବ୍‌ଶୀଘ୍ର ସୁପ୍ରିମକୋର୍ଟ‌ଙ୍କ ଦ୍ବାରସ୍ଥ ହେବେ ବୋଲି ଏକ ସୂଚନା ମିଳିଛି।

ଦୁଇ ଆସେସର ଓଡ଼ିଶା ଓ ଛତିଶଗଡ଼ ବୈଷୟିକ ଟିମ୍‌ ସହ ବିଚାରବିମର୍ଶ କରି ଟ୍ରିବ୍ୟୁନାଲ୍‌ଙ୍କ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ ପାଇଁ ଗସ୍ତସୂଚୀ ଏକପ୍ରକାର ଚୂଡ଼ାନ୍ତ କରିସାରିଥିଲେ। ତେବେ ଟ୍ରିବ୍ୟୁନାଲ୍‌ଙ୍କ ଅବଧି ବୃଦ୍ଧି ନହେବାରୁ ଏହାକୁ ବାତିଲ କରିଦିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଚଳିତ ମାସ ୨୫ ତାରିଖରେ ଟ୍ରିବ୍ୟୁନାଲ୍‌ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଏହା ମଧ୍ୟ ଅବଧି ବୃଦ୍ଧି ବିଜ୍ଞପ୍ତି ଉପରେ ନିର୍ଭର କରୁଛି।ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ୨୦୧୮ ମାର୍ଚ୍ଚ ୧୨ରେ ଗଠିତ ହୋଇଥିଲା। ପ୍ରଥମ ତିନିବର୍ଷର ଅବଧି ୨୦୨୧ରେ ଶେଷ ହେବାପରେ ଏହାର କାର୍ଯ୍ୟକାଳକୁ ଆଉ ଦୁଇବର୍ଷ ବୃଦ୍ଧି କରାଯାଇଥିଲା। ଯାହାର କି ଅବଧି ଚଳିତ ମାସ ୧୧ରେ ଶେଷ ହୋଇଛି। ‌‌ଗତ ‌ଫେବ୍ରୁଆରି ୧୩ ଶୁଣାଣି ବେଳେ ଟ୍ରିବ୍ୟୁନାଲ୍‌ ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ ପରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପତ୍ର ଲେଖିଥିଲେ। ଏହା ପରେ ଟ୍ରିବ୍ୟୁନାଲ୍‌ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟକୁ ‘ଷ୍ଟାଟସ୍‌ ରିପୋର୍ଟ’ ପଠାଇଥିଲେ। ଅବଧି ବୃଦ୍ଧି ଆବେଦନ ଏବେ ଆଇନ ମନ୍ତ୍ରାଳୟ ନିକଟରେ ବିଚାରାଧୀନ ରହିଛି।

Leave a Reply

Your email address will not be published. Required fields are marked *