ଧର୍ମ

ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦଙ୍କ ଦିବ୍ୟ ପ୍ରବଚନ:ଗୋପୀ ଗୀତରେ ତଲ୍ଲୀନ ହେଲେ ଶ୍ରୋତା

ଭୁବନେଶ୍ୱର : ବିଶ୍ବାତ୍ମ ଚେତନା ପରିଷଦ ବଲାଙ୍ଗୀର ଏବଂ ଭଞ୍ଜଭାରତୀ ଭୁବନେଶ୍ୱରର ମିଳିତ ଆୟୋଜନରେ ମାର୍ଚ୍ଚ ୧୮ ଓ ୧୯ ଦୁଇଦିନ ବ୍ୟାପୀ ପରମ ହଂସ ସ୍ୱାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀଙ୍କ ଦିବ୍ୟ ପ୍ରବଚନ ସ୍ଥାନୀୟ ଜୟଦେବ ଭବନ ସମ୍ମେଳନ କକ୍ଷରେ ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସ୍ୱାମୀଜୀଙ୍କ ଶତାଧିକ ଶିଷ୍ୟ, ଓ ଶ୍ରଦ୍ଧାଳୁ ଯୋଗଦେଇ ସ୍ୱାମୀଜୀଙ୍କ ମୁଖରୁ ଦିବ୍ୟ ପ୍ରବଚନ ଶ୍ରବଣ କରିଛନ୍ତି । ସ୍ୱାମୀଜୀ ସରଳ ଓ ସାଵଲୀଳ ଶୈଳୀରେ ଶ୍ରୀମଭାଗବତ ମହାପୁରାଣାନ୍ତର୍ଗତ ଗୋପୀଗୀତ ରେ ଶ୍ରୋତାଙ୍କୁ ଭାବ ବିହ୍ଵଳ କରାଇଥିଲେ । ବ୍ରଜବିହାରୀଙ୍କ ଲୀଳା ବିଧୃତ କଳେବର ଗୋପ, ଗୋପୀ ଓ ବ୍ରଜବାସୀଙ୍କୁ କିଭଳି ପ୍ରଭାବିତ କରିଥିଲା ତାହା ସେ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଥିଲେ । ଗୋପୀ କଥାର ସୁନ୍ଦର ଅବତାରଣା କରି ସ୍ୱାମୀଜୀ ସୂଚାଇ ଥିଲେ କି
ସବୁ ଯୁଗରେ ଜ୍ଞାନ ଓ ପ୍ରେମର ନିବିଡ଼ ଆବଶ୍ୟକତା ରହିଛି ।
‘ଜ୍ଞାନ’ ବିଶ୍ଳେଷଣକୁ ଏବଂ ‘ପ୍ରେମ’ ସମର୍ପଣକୁ ପ୍ରାଧାନ୍ୟ ଦେଇଥାଏ I ନିର୍ବିକାର, ବିଶୁଦ୍ଧ ଓ ଦିବ୍ୟ ପ୍ରେମ ପାଇଁ ଜ୍ଞାନ ଅପରିହାର୍ଯ୍ୟ ଅନ୍ୟଥା ପ୍ରେମ ଅନ୍ଧ ହୋଇଯିବା ସହିତ ଭ୍ରଷ୍ଟ ହୋଇଥାଏ I ଉପସ୍ଥିତ ଗୁଣୀ ଶ୍ରୋତାଙ୍କ ଉଦେଶ୍ୟରେ ସ୍ୱାମୀ ଗୋପୀ କଥାରୁ ନିର୍ଯ୍ୟାସ ବାହାର କରି କହିଲେ କି ଜ୍ଞାନ ପ୍ରେମକୁ ଚକ୍ଷୁସ୍ମାନ କରେ ଓ ପ୍ରେମ ଜ୍ଞାନକୁ ରସମୟ କରେ I ତେଣୁ ଏହି ଗୋପୀ ଗୀତରୁ ଜ୍ଞାନ ଓ ପ୍ରେମର ନିବିଡ଼ ଆବଶ୍ୟକତା ବୁଝିବା ଦରକାର I ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ‘ଗୋପୀଗୀତ’ର ଦାର୍ଶନିକ, ତାତ୍ତ୍ୱିକ ଓ ପ୍ରେମମୟ ବ୍ୟାଖ୍ୟା ଅବସରରେ ପରମହଂସ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀ
ଭଗବାନ ଶ୍ରୀକୃଷ୍ଣ ଜ୍ଞାନ-ସ୍ୱରୂପ, ଆନନ୍ଦ-ସ୍ୱରୂପ ଓ ପ୍ରେମ-ସ୍ୱରୂପ ଓ ରସ-ସ୍ୱରୂପ ବୋଲି ଅଭିହିତ କରାଇବା ସହିତ ରାସ ମଧ୍ୟରେ ଶ୍ରେଷ୍ଠ ‘ଶୃଙ୍ଗାର ରସ’ ଓ ଶୃଙ୍ଗାର ରସର ଆଧାରରେ ହୋଇଥିବା ‘ରାସଲୀଳା’ର ଏକ ପ୍ରମୁଖ ଅଂଶ ହେଲା ଗୋପୀଙ୍କ ବିରହର ଗୀତ, ‘ଗୋପୀଗୀତ ବୋଲି ସ୍ପଷ୍ଟ କରିଥିଲେ । ଯେତେବେଳେ ଗୋପୀମାନେ ଜ୍ଞାନଚକ୍ଷୁରେ ପ୍ରେମକୁ ଦେଖି ନଥିଲେ ତାଙ୍କର ସେହି ପ୍ରେମ ଦିଗହରା ହୋଇଯାଇଥିଲା I ଜ୍ଞାନ ଓ ପ୍ରେମର ସେହି ଆବଶ୍ୟକତାକୁ ବର୍ତ୍ତମାନ ସନ୍ଦର୍ଭରେ ଅଧିକ ବୁଝିବା ଓ ପାଳନ କରିବାର ଆବଶ୍ୟକତା ଅଛି ବୋଲି ସ୍ୱାମୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ଵତୀ ସ୍ପଷ୍ଟ କରିଦେଇଥିଲେ I
କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଶ୍ରୀ ଦୀପ୍ତିପ୍ରକାଶ ନନ୍ଦଙ୍କୁ ‘ବିଶ୍ବାତ୍ମ ଚେତନା ସମ୍ମାନ’ ପ୍ରଦାନ କରାଯାଇଥିଲା I ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ସୁବାହୁ ରାମଚନ୍ଦ୍ର ପାଢ଼ୀଙ୍କ ଦ୍ୱାରା ଲିଖିତ ‘Philosophy of the Supreme’ ପୁସ୍ତକକୁ ପରମହଂସ ସ୍ୱାମୀ ଶ୍ରୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ଵତୀ ଉନ୍ମୋଚନ କରିଥିଲେ I
କାର୍ଯ୍ୟକ୍ରମର ପ୍ରଥମ ଦିନ ବିଶ୍ବାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ସ୍ୱାମୀ ଶ୍ରୀ ସତ୍ୟବେଦାନନ୍ଦ ସରସ୍ଵତୀ ପରିଷଦ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ I ଭଞ୍ଜ ଭାରତୀର ସାଧାରଣ ସମ୍ପାଦକ ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ଓ ଭଞ୍ଜ ଭାରତୀର ସଭାପତି ଶ୍ରୀ ନୀଳାଦ୍ରିମୋହନ ଶତପଥୀ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଶ୍ରୀ ନୀଳାଦ୍ରୀମୋହନ ଶତପଥୀ ସତ୍ସଙ୍ଗ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବର୍ଣ୍ଣନା କରିବା ପରେ ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ଓ ଶେଷରେ ସ୍ୱାମୀ ଶ୍ରୀ ସତ୍ୟବେଦାନନ୍ଦ ସରସ୍ଵତୀ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମର ଉଭୟ ଦିବସରେ ସ୍ୱାମୀ ନିଜବୋଧାନନ୍ଦ ସରସ୍ଵତୀ, ସୁଶ୍ରୀ ପ୍ରଜ୍ଞାଶକ୍ତି ଚେତନାମୟୀ, ଶ୍ରୀ ସମ୍ବିତ କୁମାର ଓ ସୁଶ୍ରୀ ସୌମ୍ୟାଶ୍ରୀମୁର୍ତ୍ତି ହୋତା ଉଭୟ ଦିନର କାର୍ଯ୍ୟକ୍ରମ ଆରମ୍ଭରେ ଭଜନ ପରିବେଷଣ କରିଥିଲେ I ପ୍ରଥମ ଦିନ ସୁଶ୍ରୀ ଶ୍ରେୟାନଭି ଯୋଶୀ ଓ ଦ୍ଵିତୀୟ ଦିନ ସୁଶ୍ରୀ ସ୍ଥିତପ୍ରଜ୍ଞା ନନ୍ଦ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ I

Leave a Reply

Your email address will not be published. Required fields are marked *