ମୁଖ୍ୟ ଖବର

ସୁନା ଦର ୭୦ ହଜାର ଛୁଇଁବା ଆଶଙ୍କା

ଭୁବନେଶ୍ବର: ଉଭୟ ଆମେରିକା ଓ ୟୁରୋପରେ ଦେଖାଯାଇଥିବା ବ୍ୟାଙ୍କ ସଂକଟ ଯୋଗୁଁ ବିଶ୍ବ ବଜାରରେ ସୁନା ଦର ବଢିଚାଲିଛି। ଭାରତୀୟ ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। ବର୍ଦ୍ଧିତ ସୁନା ଦର ମଧ୍ୟବିତ୍ତ ପରିବାରକୁ କଷ୍ଟ ଦେଉଛି। ବିବାହ ଋତୁ ଜାରି ଥିବା ବେଳେ ଉଭୟ ବର ଓ କନ୍ୟା ପରିବାରକୁ ସୁନା କିଣିବା ପୂର୍ବରୁ ‌ଅନେକ ଥର ଚିନ୍ତା କରିବାକୁ ପଡୁଛି। ଏହାର କାରଣ ଗତ ଏକ ସପ୍ତାହ ହେଲା ବିନା ବ୍ରେକ୍‌ରେ ସୁନା ଦର ବଢି ଚାଲିଛି। ୨୨ କ୍ୟାରେଟ ସୁନା ଦର ବଢି ବଢି ୭୦ ହଜାର ଟଙ୍କାରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। ତେଣୁ ସୁନା ବ୍ୟବସାୟୀ ଓ ଗ୍ରାହକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସୂଚନାଯୋଗ୍ୟ ଗତ ୧୨ ତାରିଖରେ ସୁନା ଦର ୫୧ ହଜାର ୭୩୦ ଟଙ୍କା ଥିଲା। ୧୯ ତାରିଖ (ରବିବାର) ଏହା ୫୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି।ଜେ ଆଣ୍ଡ ଟି ବ୍ୟବସାୟ ମୁଖ୍ୟ ପ୍ରମୋଦ ରଥ କହିଛନ୍ତି, ୨୨ କ୍ୟାରେଟ୍‌ ସୁନା ଦର ଗତ ୧୨ରୁ ୧୮ ତାରିଖ ଏବଂ ଆଜି (ରବିବାର, ମାର୍ଚ୍ଚ ୧୯ ତାରିଖ) ୫୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି। ଗୋଟେ ପଟେ ଲୋକମାନେ ଷ୍ଟକ ମାର୍କେଟରେ ସୁନାରେ ଅଧିକ ଇନଭେସ୍ଟ କରୁଥିବା ବେଳେ ଏପଟେ ସୁନା କିଣିବାକୁ ଲୋକମାନେ ଭୟ କରୁଛନ୍ତି। ତେଣୁ ବ୍ୟବସାୟୀ ଓ ଗ୍ରାହକ ଉଭୟଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ୨୦ ଗ୍ରାମ ସୁନା କିଣିବାକୁ ଆସୁଥିବା ଗ୍ରାହକ ବି ଏଥିପାଇଁ ୧୦ ଗ୍ରାମ କିଣି ନେଇ କାମ ଚଳେଇ ନେବାକୁ ଭାବୁଛନ୍ତି। ଆଗକୁ ବାହାଘର ଋତୁ। ତେଣୁ ଲୋକମାନେ କିଣି ନେଇଥାନ୍ତେ। ହେଲେ ସୁନା ଦରକୁ ଦୃଷ୍ଟିରେ ରଖି କେହି କିଣୁ ନାହାନ୍ତି।

Leave a Reply

Your email address will not be published. Required fields are marked *