ରାଜ୍ୟ

ନିର୍ମାଣ କାର୍ଯ୍ୟରେ କାମ କରୁଛନ୍ତି ଆନ୍ଧ୍ର ଶ୍ରମିକ

ପଟ୍ଟାଙ୍ଗି, : ସୀମାନ୍ତ ଗ୍ରାମଗୁଡିକରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଅନୁପ୍ରବେଶ କରି ନିଜର ଉପସ୍ଥିତ ଜାହିର କରୁଥିବା ବେଳେ ଓଡିଶା ସରକାର ସୀମାନ୍ତ ଗ୍ରାମଗୁଡିକରେ କିପରି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ ତାହାର ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ଉକ୍ତ ଉନ୍ନୟନ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ କାମ ମିଳୁନି। ପଡୋଶୀ ଆନ୍ଧ୍ର ରାଜ୍ୟର ଶ୍ରମିକଙ୍କୁ ଓଡ଼ିଶାର ଉନ୍ନୟନ ମୂଳକ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଏହା ହେଉଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ଆନ୍ଧ୍ର ସୀମାନ୍ତ ତାଡିବାଲାସା ଗ୍ରାମର ଦୃଶ୍ୟ।
ସୂଚନା ଅନୁଯାୟୀ ତାଡିବାଲସାରେ ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଉଛି। କିନ୍ତୁ ଉକ୍ତ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ କାମ ମିଳୁ ନ ଥିବାବେଳେ ପଡୋଶୀ ଆନ୍ଧ୍ରର ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଛି। ସୀମାନ୍ତ ଗ୍ରାମବାସୀଙ୍କୁ ଅଣଦେଖା କରିବା ସହ ବେରୋଜଗାର କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ନେରେଡିବାଲସା ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଘଟଣା ସମ୍ପର୍କରେ ବ୍ଲକ ପ୍ରଶାସନକୁ ଅବଗତ ଥିଲେ ମଧ୍ୟ ଚୁପ୍‌ ରହୁଛନ୍ତି। ଏଥିସହ ନିର୍ମାଣ କାର୍ଯ୍ୟରେ କେଉଁ ଶ୍ରମିକ କେଉଁଠାରେ କାର୍ଯ୍ୟ କରିବ ଏହା ଠିକାଦାରଙ୍କ ଦାୟିତ୍ୱ ବୋଲି ବ୍ଲକ ପକ୍ଷରୁ କୁହାଯାଇଛି। ସୀମାନ୍ତ ଗ୍ରାମର ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ କରାଯାଉଛି ଦର୍ଶାଇ ବ୍ଲକ ପ୍ରଶାସନ ଜିଲା ଏବଂ ରାଜ୍ୟ ସରକାରଙ୍କ ପାଖରେ ବାହା ବାହାନେଉଛନ୍ତି। ପଡୋଶୀ ଆନ୍ଧ୍ର ସରକାର ସୀମାନ୍ତ ଗ୍ରାମରେ ମାଳମାଳ ଯୋଜନା କରି ଗ୍ରାମବାସୀଙ୍କୁ ହାତେଇବା ପାଇଁ ଚେଷ୍ଟା କରୁଥିବାବେଳେ ଓଡିଶା ସରକାରଙ୍କ ପକ୍ଷରୁ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ଅଞ୍ଚଳବାସୀଙ୍କୁ କାମ ନ ମିଳିବା କେତେଦୂର ଠିକ୍‌ ବୋଲି ବିରୋଧୀ ରାଜନୈତିକ ଦଳଗୁଡିକ ପ୍ରଶ କରିଛନ୍ତି। ବ୍ଲକ ପ୍ରଶାସନ ସୀମାନ୍ତ ଗ୍ରାମ ଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟ ନାଁରେ ଠିକାଦାରଙ୍କ ସହ ହାତ ମିଳାଇ ରାଜ୍ୟ ସରକାରଙ୍କ ପ୍ରକଳ୍ପର ଅର୍ଥକୁ ହରିଲୁଟ୍‌ କରୁଥିବା ବେଳେ ଜିଲା ପ୍ରଶାସନ ସବୁ ଜାଣି ଅଜଣା ରହିବା ସାଧାଣଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ତାଡିବାଲାସା ଗ୍ରାମର ଗ୍ରାମବାସୀ ସମାଲୁ ଖରା କହିଛନ୍ତି, ବ୍ଳକ ପ୍ରଶାସନ ପକ୍ଷରୁ ହେଉଥିବା ବିଭିନ୍ନ କାର୍ଯ୍ୟରେ ଆମେ ଗ୍ରାମବାସୀ କାମ ପାଉନୁ। ଏନେଇ ପ୍ରଶାସନକୁ ଜରାଇଲେ ମଧ୍ୟ କିଛି ସୁଫଳ ମିଳୁନି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନେରେଡିବାଲାସା ଗ୍ରାମର ବିମାନା ମାଣିକ କହନ୍ତି, ସବୁବେଳେ ଏମିତି ହେଉଛି। ଉନ୍ନୟନ କାର୍ଯ୍ୟ କରୁଥିବା ଠିକାଦାର ଆନ୍ଧ୍ରରୁ ଲୋକ ଆଣି ଏଠାରେ କାମ କରୁଛନ୍ତି। ଆମେ ଗ୍ରାମବାସୀ ହାତବାନ୍ଧି ବସିଛୁ। କେବେ କେମିତି ସେ ସୀମାନ୍ତ ଆନ୍ଧ୍ରର କିଛି ଗ୍ରାମକୁ ଯାଇ କାମ କରିଥାନ୍ତି ବୋଲି ମାଣିକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *