ରୁଷରେ ପହଞ୍ଚିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍
ମସ୍କୋ : ଏକ ତିନିଦିନିଆ ରାଜକୀୟ ରୁଷ ଗସ୍ତରେ ଅଛନ୍ତି ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗ୍ । ସେ ସୋମବାରଦିନ ମସ୍କୋରେ ପହଞ୍ଚିଛନ୍ତି । ସେ ମସ୍କୋର ଭିନୁକୋଭୋ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ରୁଷ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରୁଷରେ ରହିବେ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ ।
ଗତ ସପ୍ତାହରେ ୩ୟ ଥର ପାଇଁ ଚୀନ ରାଷ୍ଟ୍ରପତି ହେବା ପରେ ସି ଜିନପିଙ୍ଗଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ । ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ସେ ରୁଷକୁ ବାଛିଥିବାରୁ ତାହା ରୁଷ ଓ ଚୀନ ମଧ୍ୟରେ ଥିବା ଘନିଷ୍ଠ ସଂପର୍କକୁ ବୁଝାଉଛି । ଏହା ସହିତ ଚଳିତ ୟୁକ୍ରେନ ଯୁଦ୍ଧରେ ଚୀନ ଖୋଲାଖୋଲି ରୁଷ ସପକ୍ଷରେ ଛିଡ଼ା ହୋଇଛି ।
ତେବେ ଆଉ ଏକ କାରଣରୁ ଏହି ଗସ୍ତ ଉପରେ ସମଗ୍ର ବିଶ୍ବର ନଜର ରହିଛି । ତାହା ହେଉଛି, ମସ୍କୋରେ ପୁଟିନଙ୍କୁ ଭେଟିବା ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିରୁ ଅନୁମାନ କରାଯାଉଛି ଯେ ଇରାନ-ସାଉଦୀ ଆରବ ମଧ୍ୟରେ ଶାନ୍ତି ସ୍ଥାପନ ପରେ ଚୀନ ଏବେ ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ କରୁଛି । ଏହି ଉଦ୍ୟମରେ ସଫଳ ହେଲେ ସମଗ୍ର ବିଶ୍ବରେ ଚୀନ ନିଜର ପ୍ରଭାବ ଓ ଭାବମୂର୍ତ୍ତିକୁ ବୃଦ୍ଧି କରିପାରିବ ।