ଖେଳ

ଏକ ନମ୍ବରକୁ ନେଇ ଆଇସିସି ଦ୍ବନ୍ଦ୍ୱ: ଦିନରେ ଭାରତ, ରାତିରେ ଅଷ୍ଟ୍ରେଲିଆ ଶୀର୍ଷରେ

ଦୁବାଇ : ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ପ୍ରଥମ ଟେ‌ଷ୍ଟ୍‌ରେ ଅଷ୍ଟ୍ରେଲିଆକୁ ଏକ ପାଳି ୧୩୨ ରନ୍‌ରେ ପରାସ୍ତ କରିଥିଲା ଭାରତ। ପ୍ରତି ସପ୍ତାହାର ବୁଧବାର ଆଇସିସି ନିୟମ ଅନୁଯାୟୀ ଦଳ ଏବଂ ଖେଳାଳିମାନଙ୍କ ସାନି ମାନ୍ୟତା ପ୍ରକାଶ ପାଇଥାଏ। ସେହି ଦୃଷ୍ଟିରୁ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ନାଗପୁର ଟେଷ୍ଟ୍‌କୁ ଜିତିଥିବା ଭାରତ ଏକ ନମ୍ବର ଟେଷ୍ଟ ଦଳ ହେଲା ବୋଲି ବୁଧବାର ଦିନବେଳା ଆଇସିସି ୱେବ୍‌ସାଇଟ୍‌ରେ ଦର୍ଶା ଯାଇଥିଲା। ଏଥି ସହିତ ସମସ୍ତ ତିନି ଫର୍ମାଟ୍‌ରେ ଭାରତ ଏକ ନମ୍ବର ଦଳ ବୋଲି ଘୋଷଣା କରାଯାଇଥିଲା। ସେହି ତାଲିକାରେ ଭାରତ ୧୧୫ ପଏଣ୍ଟ ସହ ଶୀର୍ଷରେ ରହିଥିଲା ବେଳେ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ସହ ଦ୍ବିତୀୟକୁ ଖସିଯାଇଥିଲା।

ହେଲେ ଏହାର ୬ ଘଣ୍ଟା ପରେ ଆଇସିସି ୟୁ-ଟର୍ଣ୍ଣ କରି ନିଜ ନିଷ୍ପତ୍ତିକୁ ପୂରା ବଦଳାଇ ଦେଇଥିଲା। ପୁଣି ଅଷ୍ଟ୍ରେଲିଆକୁ ଏକ ନମ୍ବର ଏବଂ ଭାରତକୁ ଦୁଇ ନମ୍ବର ବୋଲି ୱେବ୍‌ସାଇଟ୍‌ରେ ପରିବର୍ତନ କରିଦେଇଥିଲା। ପରିବର୍ତିତ ତାଲିକାରେ ଅଷ୍ଟ୍ରେଲିଆ ୧୨୬ ଏବଂ ଭାରତ ୧୧୫ ପଏଣ୍ଟ ବୋଲି ଦର୍ଶା ଯାଇଥିଲା। ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଏପରିକି ସାମାଜିକ ଗଣମାଧ୍ୟମରେ ମଧ୍ୟ ତର୍କବିତର୍କ ଜାରି ରହିଛି। ଏହା ମଧ୍ୟ ଭାରତୀୟ ପ୍ରଶଂସକ ଏବଂ ସାମାଜିକ ଗଣମାଧ୍ୟମ ଅନୁଗାମୀଙ୍କୁ ଅଧିକ ଦ୍ବନ୍ଦ୍ବରେ ପକାଇଛି।

ଏହା ପୂର୍ବରୁ ଗତ ଜାନୁଆରିରେ ନ୍ୟୁଜିଲାଣ୍ଡ୍‌କୁ ୩-୦ରେ ପରାସ୍ତ କରି ଭାରତ ଦିନିକିଆ ଆନ୍ତର୍ଜାତିକ ମାନ୍ୟତାର ଶୀର୍ଷ ଦଳ ହୋଇଥିଲା ବେଳେ ଟ୍ବେଣ୍ଟି-୨୦ ମାନ୍ୟତାରେ ଏକ ନମ୍ବର ସ୍ଥାନ ବଜାୟ ରଖିଛି। ଏବେ ନାଗପୁର ଟେଷ୍ଟ୍‌ ଜିତିବା ପରେ ଯଦି ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଦିଲ୍ଲୀ ଟେ‌ଷ୍ଟ୍‌କୁ ଜିତିନିଏ ତା‌ହେଲେ ‌ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଏକ ନମ୍ବର ଦଳ ହୋଇଯିବ। ଏଥି ସହିତ ଚଳିତ ବର୍ଷ ଜୁନ୍‌ରେ ଲଣ୍ଡନର ଦି ଓଭାଲରେ ଆୟୋଜିତ ହେବାକୁ ଥିବା ବିଶ୍ବ ଟେ‌ଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌କୁ ଯୋଗ୍ୟତା ହାସଲର ନିକଟତର ହୋଇଯିବ। ଭାରତକୁ ଡବ୍ଲୁଟିସି ଫାଇନାଲ୍‌ ଯୋଗ୍ୟତା ହାତେଇବାକୁ ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଶୃଙ୍ଖଳାକୁ ୩-୧ କିମ୍ବା ୩-୦ ବ୍ୟବଧାନରେ ଜିତିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *