ଧର୍ମ

ମା ମଙ୍ଗଳାଙ୍କ ମନ୍ଦିରରେ ଦ୍ଵିତୀୟ ପାଳିଯାତ୍ରା ଅନୁଷ୍ଠିତ


ନିମାପଡ଼ା : ଆଜି ପବିତ୍ର ଚୈତ୍ରମାସ ର ଦ୍ଵିତୀୟ ମଙ୍ଗଳବାର। ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଅନୁଷ୍ଠିତ ହୋଇଛି ଦ୍ଵିତୀୟ ପାଳି ଯାତ୍ରା। ପ୍ରାତଃ ୩ଟା ରେ ମନ୍ଦିର ଖୋଲାଯାଇ ମା ଙ୍କ ପୂଜା ନୀତି ଅନୁଷ୍ଠିତ ହେବାପରେ ଭକ୍ତ ମାନଙ୍କ ଦର୍ଶନ ପାଇଁ ସାହାଣ ମେଲା କରାଯାଇଥିଲା। ମାତୃଭକ୍ତ ମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ବ୍ୟାରିକେଡ଼ ମଧ୍ୟରେ ମନ୍ଦିରର ପୂର୍ବ ଦ୍ୱାର ଦେଇ ପ୍ରବେଶ କରାଯାଇ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରା ଯାଇଥିଲା । ମନ୍ଦିର ଭିତରେ ଓ ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡ଼ି ରେ ଯାଇ ମା ଙ୍କୁ ଦର୍ଶନ କରିଥିଲେ। ଦିନ ପ୍ରାୟ ୧ଟା ବେଳେ ଝଙ୍କଡ ରୁ ଆସିଥିବା ପାଟୁଆ ସ୍ଥାନୀୟ ପାଟୁଆ ଙ୍କ ସହିତ ଏକ ବିରାଟ ଶୋଭାଯାତ୍ରା ରେ ପ୍ରାଚୀ ନଦୀ ର ଘଣ୍ଟତୋଳା ତୁଠ କୁ ଯାଇ ଦଣ୍ଡପୂଜା ଓ ଘଟସ୍ଥାପନ କରି ମନ୍ଦିର କୁ ଆସିଥିଲେ। ଝଙ୍କଡ ରୁ ଆସିଥିବା ପାଟୁଆ ମନ୍ଦିର ବେଢାରେ ଓ ସ୍ଥାନୀୟ ଅଞ୍ଚଳ ର ପାଟୁଆ ମାନେ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ପାଟୁଆ ନୃତ୍ୟ ପ୍ରଦର୍ଶନ କରିଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତ ମାନଙ୍କ ଉପରେ ପାଣିସିଞ୍ଚନ କରାଯାଇଥିଲା । ସଧବା ମହିଳା ମାନେ ନିଜ ସ୍ବାମୀ ଓ ସନ୍ତାନ ମାନଙ୍କ ମଙ୍ଗଳ ବିଧାନ ପାଇଁ ମନ୍ଦିର ବେଢା ରେ ଥିବା ପନ୍ଥେଇ କୁ ପୂଜା କରିଥିଲେ।ଆଜି ଅନୁଷ୍ଠିତ ଦ୍ୱିତୀୟ ପାଳି ଯାତ୍ରା ରେ ଲଳିତ କୁମାର ଦିକ୍ଷୀତ ପାଳିଆ ସେବକ ଭାବେ ଓ ଶରତ କୁମାର ଦିକ୍ଷୀତ ପୂଜାପଣ୍ଡା ଭାବେ କାର୍ଯ୍ୟ କରିଥିଲେ। ପାଳିଯାତ୍ରା ପାଇଁ ମା ମଙ୍ଗଳା ଙ୍କ ମନ୍ଦିର ସହିତ ସମଗ୍ର କାକଟପୁର ଅଞ୍ଚଳ ଉତ୍ସବ ମୁଖର ହୋଇ ପଡ଼ିଥିଲା।

Leave a Reply

Your email address will not be published. Required fields are marked *