ଅପରାଧ

ପୁଲିସ୍‌ ହାଉସିଂବୋର୍ଡ କର୍ମଚାରୀ, ଛାତ୍ର ପିଟାପିଟି

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ କାର୍ଯ୍ୟରତ ‌ପୁଲିସ ହାଉସିଂବୋର୍ଡ କର୍ମଚାରୀ ଓ ଜଣେ ସାମ୍ବାଦିକତା ଛାତ୍ରଙ୍କ ମଧ୍ୟରେ ଗଣ୍ଡ‌ଗୋଳ ଘଟିଛି। ନିମ୍ନମାନର କାମକୁ ନେଇ ଛାତ୍ରଜଣଙ୍କ ପ୍ରତିବାଦ କରିବାରୁ ତାଙ୍କୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେହିଭଳି ସାମ୍ବାଦିକତା ଓ ଗଣମାଧ୍ୟମ ପଢ଼ୁଥିବା ଛାତ୍ରଜଣକ ନିମ୍ନମାନର କାମ ନାଁରେ ବ୍ଲାକ୍‌ମେଲ୍‌ କରି କନିଷ୍ଠ ଯନ୍ତ୍ରୀଙ୍କୁ ବଟି ମାଗି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସହିଦନଗର ଥାନା ପୁଲିସ ଛାତ୍ରଜଣଙ୍କ ଅଭିଯୋଗ ରଖିନଥିବାରୁ ସୋମବାର ଦିନ କିଛି ଛାତ୍ର କ୍ୟାମ୍ପସ୍‌ର ମୁଖ୍ୟ ଫାଟକରେ ଟାୟାର୍ ଜାଳି ପ୍ରତିବାଦ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟରେ ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ଛାତ୍ର ସରୋଜ ବାରିକଙ୍କ ଅଭି‌ଯୋଗ ଅନୁସାରେ ଗତକାଲି ଦିନ ୧୧ଟା ସମୟରେ ସେ ଡିଡିସିଇ ପ୍ରେସ୍‌ ବିଲ୍ଡିଂ ପାଖକୁ ଯାଇଥିଲେ। ସେଠାରେ ଚାଲିଥିବା କାମ ନିମ୍ନମାନର ହେଉଥିବା ନେଇ ସେ ଜେଇ ଆଶିଷ ସାମନ୍ତରାୟଙ୍କୁ ଜଣାଇଥିଲେ। ଏଥିରେ ରାଗି ଯାଇ ସେଠାରେ ଥିବ‌ା ପୁଲିସ ହାଉସିଂବୋର୍ଡ କର୍ମଚାରୀ ଆଶିଷ ସାମନ୍ତରାୟ, ରାକେଶ ପତି ଓ କି‌ଶୋର ଲେଙ୍କା ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ ଏବଂ ହତ୍ୟା ଧମକ ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର କିଛି ସାଙ୍ଗ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ ତାଙ୍କ ଅଭିଯୋଗ ରଖୁ ନଥିବା ସରୋଜ କହିଛନ୍ତି।

ଅନ୍ୟପକ୍ଷରେ ପୁଲିସ ହାଉସିଂବୋର୍ଡ କର୍ମଚାରୀମାନଙ୍କ କହିବା କଥା ଡିଡିସିଇ ପ୍ରେସ ବିଲ୍ଡିଂ ନିକଟରେ କାମ ଚାଲୁଥିବ‌ା ସମୟରେ ସରୋଜ ସେମାନଙ୍କ ନିକଟରେ ପହଞ୍ଚି ସିଧାସଳଖ ବଟି ମାଗିଥିଲେ। ବିଶ୍ବବିଦ୍ୟାଳୟରେ କାମ କରୁଛ ମାନେ ବଟି ଦିଅ, ନ ହେଲେ ବିଶ୍ବବିଦ୍ୟାଳୟରୁ ବାହାର ବୋଲି କହିଥିଲେ। କିନ୍ତୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାମନ୍ତରାୟ ବଟି ଦେବାକୁ ମନା କରିବାରୁ ସରୋଜ ତାଙ୍କୁ ମାଡ଼ ମାରିଥିଲେ। ଏନେଇ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାମନ୍ତରାୟ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *