ଦେଶ- ବିଦେଶ

ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ବୈଧ

ନୂଆଦିଲ୍ଲୀ : ସ୍ୟାଟ୍‌ ଉଚ୍ଛେଦ ନେଇ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୨ରେ ଜାରି କରିଥିବା ବିଜ୍ଞପ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ସାମ୍ବିଧାନିକ ଭାବେ ବୈଧ ଦର୍ଶାଇ ବଳବତ୍ତର ରଖିଛନ୍ତି। ସ୍ୟାଟ୍‌ ଉଚ୍ଛେଦ ଲାଗି ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୟାଟ୍‌ ବାର୍‌ ଆସୋସିଏଶନ୍‌ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ହିମା କୋହଲି ସାମିଲ ଥିବା ଖଣ୍ଡପୀଠ ବାର୍‌ ଆସୋସିଏଶନ୍‌ର ଆବେଦନକୁ ଖାରଜ କରିଦେଇଛନ୍ତି।
ସିଜେଆଇ ଚନ୍ଦ୍ରଚୂଡ଼ ପୂର୍ବାହ୍ନରେ ସ୍ୟାଟ୍‌ ଉଚ୍ଛେଦ ରାୟର ମୁଖ୍ୟାଂଶ ପଢ଼ି ଶୁଣାଇଛନ୍ତି। ଉକ୍ତ ରାୟରେ ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୩ଏ କେନ୍ଦ୍ର ସରକାରଙ୍କୁ ରାଜ୍ୟ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ ଉଚ୍ଛେଦ କରିବାରୁ ବାରଣ କରିନାହିଁ। କାରଣ ଏହା କେବଳ ସାମର୍ଥ୍ୟ ପ୍ରଦାନକାରୀ କ୍ଷମତା, ଯାହା ବଳରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଏକ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରିଥାଆନ୍ତି। ଟ୍ରିବ୍ୟୁନାଲ ଗଠନ ପାଇଁ ଉଦ୍ଦିଷ୍ଟ କ୍ଷମତାରେ ଟ୍ରିବ୍ୟୁନାଲ ଉଚ୍ଛେଦ କ୍ଷମତା ମଧ୍ୟ ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ଓଏଟି ଗଠନ କରିବା ପରେ ଅଧିକାରହୀନ ହୋଇଯାଇନାହାନ୍ତି। ଅନୁଚ୍ଛେଦ ୩୨୩ ଏକ ସାମର୍ଥ୍ୟ ପ୍ରଦାନକାରୀ କ୍ଷମତା, ଯାହାକୁ ବାଧ୍ୟତାମୂଳକ ନିୟମ ବିବେଚନା କରାଯାଇପାରିବ ନାହିଁ। ୨୦୧୯ ଅଗଷ୍ଟ ୨ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସ୍ୟାଟ୍‌କୁ ଉଚ୍ଛେଦ କରାଯାଇଥିଲା। ଏହା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ସ୍ୟାଟ୍‌ର ଉଚ୍ଛେଦ ନ୍ୟାୟ ପାଇବାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁନାହିଁ। କାରଣ ଓଡ଼ିଶା ହାଇକୋର୍ଟ ସ୍ୟାଟ୍‌ରେ ଗଡ଼ୁଥିବା ମାମଲାଗୁଡ଼ିକର ଶୁଣାଣି କରିବେ ବୋଲି ଖଣ୍ଡପୀଠକହିଛନ୍ତି।୨୦୨୨ ସେପ୍ଟେମ୍ବର ୨୧ରେ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର ଯୁକ୍ତି ବାଢ଼ିଥିଲେ ଯେ, ହାଇକୋର୍ଟର ୮ ବିଚାରପତିଙ୍କୁ ବଦଳି ଓ ନୂଆ ସର୍ଭିସ୍‌ ପ୍ରସଙ୍ଗରେ ଶୁଣାଣି ପାଇଁ ଦାୟିତ୍ୱ ଦିଆଯାଇଛି। ସ୍ୟାଟ୍‌ ଉଚ୍ଛେଦ ପରେ ହାଇକୋର୍ଟକୁ ୪୯,୮୧୭ ମାମଲା ସ୍ଥାନାନ୍ତର କରାଯାଇଛି। ସେଥିରୁ ୩୮,୦୦୦ ମାମଲାର ଫଇସଲା ହୋଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ୧୯୮୬ ଜୁଲାଇ ୪ରେ କେନ୍ଦ୍ର ସରକାର ସ୍ୟାଟ୍‌ ପ୍ରତିଷ୍ଠା କରିଥିଲେ। ଆଡ୍‌ମିନିଷ୍ଟ୍ରେଟିଭ୍‌ ଉଚ୍ଛେଦ ଆଇନ ବଳରେ ସ୍ୟାଟ୍‌କୁ ଉଚ୍ଛେଦ କରିବା ପାଇଁ ୨୦୧୫ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ୧୯୯୭ରେ ଏଲ୍‌. ଚନ୍ଦ୍ର କୁମାରଙ୍କ ମାମଲାରେ ସୁପ୍ରିମକୋର୍ଟ ରାୟ ଦେବା ପରେ ଟ୍ରିବ୍ୟୁନାଲ ରାଜ୍ୟର କର୍ମଚାରୀମାନଙ୍କୁ ନ୍ୟାୟ ଦେବାରେ ନିଜ ମୂଳ ଲକ୍ଷ୍ୟ ହାସଲ କରିପାରି ନ ଥିବା ଦର୍ଶାଇ ଓଡ଼ିଶା ସରକାର ଏପରି ପଦକ୍ଷେପ ନେଇଥିଲେ। ୨୦୧୯ରେ ପ୍ରତ୍ୟେକ ଅପିଲକାରୀ ଓଡ଼ିଶା ହାଇକୋର୍ଟରେ ୨୦୧୯ ଅଗଷ୍ଟ ୨ର ରାୟ ସହ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଖାରଜ କରିବା ପାଇଁ ରିଟ୍‌ ପିଟିଶନ୍‌ ଦାଖଲ କରିଥିଲେ। ହାଇକୋର୍ଟ ସେସବୁକୁ ନେଇ ବିରୋଧୀ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ୨୦୨୧ ଜୁନ୍‌ ୭ରେ ପିଟିଶନ୍‌ଗୁଡ଼ିକୁ ଖାରଜ କରିଦେଇଥିଲେ।

Leave a Reply

Your email address will not be published. Required fields are marked *