ମହାନଗର

ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା: ପ୍ରେମିକାଙ୍କୁ ଜେରା

ଭୁବନେଶ୍ବର: ଡିଜେ ଆଜେକ୍ସ ଓରଫ୍‌ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟା ମାମଲାରେ ଖାରବେଳନଗର ଥାନା ପୁଲିସ ଆଜି ତଥାକଥିତ ପ୍ରେମିକା ତଥା ଡାକ୍ତରୀ ଛାତ୍ରୀଙ୍କୁ ଜେରା କରିଛି। ଇନ୍‌ଫୋଭ୍ୟାଲି ଥାନା ଯାଁଳା ଅଞ୍ଚଳରେ ଥିବା ଯୁବତୀଙ୍କ ଘ‌ରେ ଆଜି ଜଣେ ମହିଳା ପୁଲିସ ଅଧିକାରୀ ତାଙ୍କୁ ଜେରା କରିଛନ୍ତି। ଜେରା ବେଳେ ଯୁବତୀଜଣଙ୍କ ଆଜେକ୍ସଙ୍କ ସହ ସମ୍ପର୍କରେ ଥିବା ସ୍ବୀକାର କରିବା ସହ ତାଙ୍କ ଚରିତ୍ର ବାବଦରେ ଭିନ୍ନ ଚିତ୍ର ଆଙ୍କିଥିବା ଜଣାପଡ଼ିଛି। ବହୁ ଯୁବତୀଙ୍କ ସହ ସମ୍ପର୍କ ରଖିଥିବାରୁ ସେ ଆଜେକ୍ସଙ୍କଠାରୁ ଦୂରେଇ ଯାଇଥିବା ବେଳେ ଆଜେକ୍ସ ତାଙ୍କ ପିଛା ଛାଡ଼ୁନଥିଲେ ଏବଂ ତାଙ୍କୁ ବିଭିନ୍ନ ବାଟରେ ହଇରାଣ କରୁଥିଲେ ବୋଲି ଯୁବତୀ ପାଲଟା ଅଭିଯୋଗ କରିଛନ୍ତି। ଜେରା ପରେ ପୁଲିସ ତାଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଉଭୟ ଆଜେକ୍ସ ଓ ଡାକ୍ତରୀ ଛାତ୍ରୀଙ୍କ ମୋବାଇଲ୍‌ ଫୋନ୍‌ ସାଇବର ପୁଲିସକୁ ଯାଞ୍ଚ କରିବା ଲାଗି ଦିଆଯାଇଛି।

ଆଜି ଅପରାହ୍ଣ ପ୍ରାୟ ୧ଟା ବେଳେ ଖାରବେଳନଗର ଥାନାର ଜଣେ ମହିଳା ଏସ୍‌ଆଇଙ୍କ ନେତୃତ୍ବରେ ଏକ ୪ ଜଣିଆ ଟିମ୍‌ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କୁ ଜେରା କରିଥିଲା। ଯୁବତୀ କହିଥିଲେ ଯେ ସେମାନଙ୍କ ଭିତରେ ସମ୍ପର୍କ ଠିକ୍‌ଠାକ୍‌ ଥିଲା। ମାତ୍ର ଆଜେକ୍ସଙ୍କ ସହ ଅନ୍ୟ ଯୁବତୀମାନଙ୍କ ସମ୍ପର୍କ ଜଣାପଡ଼ିବା ପରେ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ତାଙ୍କର ଜଣେ ସହପାଠୀଙ୍କ ସହ ସମ୍ପର୍କକୁ ନେଇ ଆଜେକ୍ସ ତାଙ୍କୁ ସନ୍ଦେହ କରିବା ପରେ ବିବାଦ ବଢ଼ିଥିଲା। ଏହା ପରେ ସେ ଆଜେକ୍ସଠାରୁ ନିଜକୁ ଦୂରେଇ ରଖିଥିଲେ। କିନ୍ତୁ ଆଜେକ୍ସ ତାଙ୍କ ପିଛା ଛାଡ଼ିନଥିଲେ। ବାରମ୍ବାର ଫୋନ୍‌ କରି ତାଙ୍କୁ ହଇରାଣ କରୁଥିଲେ। ଏମିତିକି ବିଳମ୍ବିତ ରାତିରେ ତାଙ୍କୁ ହଷ୍ଟେଲ ରୁମ୍‌ ପାଖକୁ ଆସି ଗଣ୍ଡଗୋଳ କରୁଥିଲେ। ୧୭ତାରିଖ ରାତି ୨ଟାରେ ଆଜେକ୍ସ ପାଣ୍ଡରାସ୍ଥିତ ତାଙ୍କ ହଷ୍ଟେଲ୍‌ ତଳକୁ ଆସି ପାଟିତୁଣ୍ଡ କରିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା କଥା ଯୁବତୀ ମାନିଛନ୍ତି। ପରଦିନ ଅର୍ଥାତ୍‌ ୧୮ ତାରିଖ ସନ୍ଧ୍ୟାରେ ଆଜେକ୍ସ ତାଙ୍କୁ ଅଘଟଣ ନେଇ ମେସେଜ୍‌ କରିଥିଲେ।ମେସେଜ୍‌ ଦେଖିବା ପରେ ସେ ଆଜେକ୍ସଙ୍କ ସହ ଯୋଗାଯୋଗ ପାଇଁ ବାରମ୍ବାର କଲ୍‌ କରିଥିଲେ। ହେଲେ ଆଜେକ୍ସ ତାଙ୍କ ଫୋନ୍‌ ଉଠାଇନଥିଲେ। ତେବେ ଆଜେକ୍ସଙ୍କୁ ଧମକ ଦେବା ବା ବ୍ଲାକ୍‌ମେଲ୍‌ କରିବା ଅଭିଯୋଗକୁ ସେ ମାନିନଥିଲେ। ଅନ୍ୟପକ୍ଷରେ ତାଙ୍କ ସହପାଠୀଙ୍କୁ ନେଇ ସେ କହିଛନ୍ତି ଯେ ସହପାଠୀ ହିସାବରେ ତାଙ୍କ ସହ ଭଲ ସମ୍ପର୍କ ରହିଛି। ତେବେ ପୁଲିସ ଯୁବତୀଙ୍କ ପୁରୁଷବନ୍ଧୁଙ୍କୁ ଜେରା କରିପାରିନାହିଁ। ଅନ୍ୟପଟେ ଆଜି ଆଜେକ୍ସଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ମିଳିଛି। ଶ୍ୱାସରୁଦ୍ଧରୁ ଆଜେକ୍ସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ପ୍ରକାଶ ଥାଉ କି ୧୮ ତାରିଖ ଦିନ ଖାରବେଳନଗର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ଆଜେକ୍ସଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Leave a Reply

Your email address will not be published. Required fields are marked *