ଅର୍ଜୁନଙ୍କ ବନବାସ
ସହଦେବ କରତଳ ଉପରେ ଦୃଷ୍ଟି ନିବଦ୍ଧ କଲେ. କହିଲେ, ‘ଯୁଗ ଯୁଗ ଧରି ଧରି ହୋମ ଯଜ୍ଞ କରି ମୁନି ଋଷିମାନେ ଦେବତାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଥିବା ଆହୁତିର ଘୃତ ଭକ୍ଷଣ କରି ଅଗ୍ନି ଦେବତାଙ୍କର ଲୁଦୁବୁଦୁ ନାମରେ ଏକ ବ୍ୟାଧି ହୋଇଛି Ι ଦେବଵୈଦ୍ୟ ଧନ୍ଵନ୍ତରୀ ଏହି ରୋଗର ଯେଉଁ ଔଷଧ ନିର୍ଣ୍ଣୟ କରିଛନ୍ତି, ତାହା ଖାଣ୍ଡବ ଵନରେ ଅଛି Ι କିନ୍ତୁ ସମ୍ପୂର୍ଣ୍ଣ ଖାଣ୍ଡବ ଅରଣ୍ୟ ଦହନ କଲେ ହିଁ ସେହି ରୋଗରୁ ବୈଶ୍ୱାନର ଆରୋଗ୍ୟ ଲାଭ କରି ପାରିବେ Ι
ଅଗ୍ନି ଦେବରାଜଙ୍କ ନିକଟରେ ଏଥିପାଇଁ ଅନୁମତି ପ୍ରାର୍ଥନା କରିଥିଲେ, ମାତ୍ର ନିଜର ପ୍ରିୟ କାନନକୁ ଭସ୍ମୀଭୂତ କରିବାକୁ ଶଚୀପତି ଅନୁମତି ଦିଅନ୍ତେ ବା କାହିଁକି ? ସ୍ୱର୍ଗର କୌଣସି ଦେବତା ଏଥିରେ ତାଙ୍କୁ ସାହାଯ୍ୟ କରିବାକୁ ଯାଇ ସୁରପତିଙ୍କର ଶତ୍ରୁତା ଆଚରଣ କରିବାର ସମ୍ଭାବନା ନ ଥିଲା Ι ଋଗ୍ଣ ହୁତାଶନଙ୍କର ଦେବର୍ଷି ନାରଦ ଥିଲେ ଶେଷ ଆଶ୍ରୟ Ι ତାଙ୍କର ବୈକଲ୍ୟ ସହ୍ୟ କରି ନ ପାରି ବ୍ରହ୍ମାନନ୍ଦନ ତାଙ୍କୁ ଫାଲ୍ଗୁନୀଙ୍କର ସାହାଯ୍ୟ ନେବାକୁ ପରାମର୍ଶ ଦେଲେ Ι ବହୁତ ସମ୍ଭବ, ପୁତ୍ର ପ୍ରତି ଉପ୍ରୋଧରେ ସୁନାସୀର କୌଣସି ପ୍ରତିକ୍ରିୟା ଦେଖାଇବେ ନାହିଁ, ଯଦି ବି ଖାଣ୍ଡବ ବନର ସୁରକ୍ଷା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୁଏ, ସବ୍ୟସାଚୀଙ୍କ ବାହୁରେ ଏତେ ଶକ୍ତି ଅଛି ଯେ, ଦେବ ସୈନ୍ୟ ତାଙ୍କ ନିକଟରୁ ପରାଜିତ ହେବେ Ι ନାରଦଙ୍କ ପରାମର୍ଶ ଅନୁସାରେ ଅଗ୍ନି ଆସିଥିଲେ, ଅର୍ଜୁନଙ୍କୁ ମାତା ଓ ଭ୍ରାତାଙ୍କ ଠାରୁ ବିଛିନ୍ନ କରି ଅରଣ୍ୟବାସ କରାଇବା ପାଇଁ Ι ଏହି ବନବାସ କାଳରେ ଅର୍ଜୁନଙ୍କୁ ନାନା ବିଭୁତି ପ୍ରାପ୍ତ ହେବ ଓ ସେ ଦେବତାଙ୍କ ହିତ ପାଇଁ ଅନେକ କାର୍ଯ୍ୟ କରିବେ Ι
ସହଦେଵଙ୍କୁ ଠାରୁ ସମସ୍ତ ତଥ୍ୟ ଅବଗତ ହେଲାପରେ ସମସ୍ତେ ଅର୍ଜୁନଙ୍କୁ ବିଦାୟ ଦେବା ପାଇଁ ପ୍ରସ୍ତୁତ ହେଲେ Ι ଅର୍ଜୁନ ମଧ୍ୟ ଜଣ ଜଣ କରି ସମସ୍ତଙ୍କ ଠାରୁ ବିଦାୟ ନେଲେ Ι କୁରୁପାଣ୍ଡବ ମିଳି ତାଙ୍କୁ ଗଙ୍ଗା ନଦୀ ତଟ ପର୍ଯ୍ୟନ୍ତ ସଙ୍ଗରେ ନେଇ ଛାଡି ଦେଇ ଆସିଲେ Ι ଅର୍ଜୁନ ଦୁର୍ଯ୍ୟୋଧନଙ୍କ ବିଦାୟ ସଂଭାଷଣର ଉତ୍ତରରେ ଏତିକି କହିଲେ, ଭ୍ରାତା, ମୋ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ମୋର ଜ୍ୟେଷ୍ଠ ଓ କନିଷ୍ଠମାନଙ୍କ ଦାୟିତ୍ୱ ଆପଣଙ୍କୁ ଲାଗିଲା Ι ଭ୍ରାତା ଭୀମ ଅବଶ୍ୟ ଆପଣଙ୍କ ପ୍ରତି କିଛି ଦୁର୍ବ୍ୟବହାର କରିପାରନ୍ତି Ι ସେ ସବୁ ମନରେ ଧରିବେ ନାହିଁ Ι” ଦୁର୍ଯ୍ୟୋଧନ ଅର୍ଜୁନଙ୍କୁ ଆଲିଙ୍ଗନ କରି ବିଦାୟ ଦେଲେ Ι ଅନ୍ୟ ସମସ୍ତ ଗୁରୁଜନଙ୍କ କଲ୍ୟାଣ ଘେନି ପାର୍ଥ ଅରଣ୍ୟରେ ପ୍ରବେଶ କଲେ Ι
କାନନରେ କୃଷ୍ଣସଖା କିରାତ ବେଶରେ ଭ୍ରମଣ କରୁଥାନ୍ତି Ι ଭ୍ରମଣ କାଳରେ ତାଙ୍କର ଅଧିକାଂଶ ସମୟ ତୀର୍ଥସ୍ଥାନମାନଙ୍କରେ ବିତିଯାଉଥାଏ Ι ଥରେ ସେ କାଶୀ ନଦୀକୂଳରେ ଥିବା ଅରଣ୍ୟରେ ବୁଲୁଥାନ୍ତି Ι ସେଦିନ ହରପାର୍ବତୀ ସେହି ଅରଣ୍ୟ ମଧ୍ୟ ଦେଇ ଯାତ୍ରା କରୁଥାନ୍ତି Ι ଉଭୟ ଏକ ନିଷାଦ ଦମ୍ପତ୍ତି ବେଶ ଧାରଣ କରିଥାନ୍ତି Ι ହଠାତ ଗୋଟିଏ ଗଣ୍ଡା ଆହତ ହୋଇ ଆସି ତାଙ୍କ ସମ୍ମୁଖରେ ଟଳି ପଡିଲା Ι ପାର୍ବତୀ ‘ଆହା ଆହା’ କଲେ Ι ଶଙ୍କର କ୍ରୁଦ୍ଧ ହୋଇ ଗର୍ଜନ କଲେ,”କିଏ ସେ ଏ ଗଣ୍ଡାକୁ ଶରାଘାତ କଲା ? ଏ ବଣରେ ମୃଗୟା ନିଷେଧ ବୋଲି ସେ କଣ ଜାଣି ନାହିଁ ?. ଆଜି ତାର ବିନାଶ ନିଶ୍ଚିତ Ι କାହିଁ ଗଲା ମୋର ଧନୁ ?
ଧନୁ ଆଣିବାକୁ ଭୁଲି ଯାଇଥିଲେ ଭୋଳାନାଥ Ι ମାତା ଭବାନୀ ସେ କଥା ମନେ ପକାଇ ଦେଲେ Ι ତ୍ରିଶୂଳ ବି ନ ଥିଲା Ι ପ୍ରମୋଦ ବିହାରରେ ଥିଲେ Ι ତ୍ରିଶୂଳ ଆଣିବାର ଆବଶ୍ୟକତା ନ ଥିଲା Ι ତୀର ନିକ୍ଷେପକାରୀ ଗଣ୍ଡାର ଅନୁସରଣ କରି ଆସୁଥିଲେ Ι ସେ ଥିଲେ ଅର୍ଜୁନ Ι ନିଷାଦ ରୂପୀ ସଦାଶିବଙ୍କର ଉଗ୍ର ରୂପ ଦେଖି ସେ ଶାନ୍ତ କଣ୍ଠରେ କହିଲେ, “ଏ ଗଣ୍ଡାକୁ ମୁଁ ଶର ମାରିଛି Ι ମୃଗୟା କ୍ଷତ୍ରିୟର ବିଳାସ Ι ତୁ ସାମାନ୍ୟ ଶବର ହୋଇ ଏତେ ଉତ୍ୟକ୍ତ ହେବା ଶୋଭା ପାଉନାହିଁ Ι ମୁଁ କ୍ରୋଧ କଲେ, ତୋର ଅମୂଲ୍ୟ ପ୍ରାଣଟି ଯିବ Ι ପାର୍ବତୀଙ୍କ ତୁଲ୍ୟ ତୋର ଏ ସୁନ୍ଦରୀ ପତ୍ନୀଟି ବିଧବା ହେବା ସାର ହେବ Ι” ଶୂଳୀ ରାଗରେ ପାଚିଗଲେ Ι ତୁ ମୋ ସ୍ତ୍ରୀକୁ ବିଧବା କରିବୁ? ଏଥର ତୋର ମୃତ୍ୟୁ ଅନିବାର୍ଯ୍ୟ Ι ଆଉ ତୋତେ କେହି ରକ୍ଷା କରି ପାରିବେ ନାହିଁ Ι” ଗୋଟାଏ ବୃକ୍ଷ ଉପାଡି ଧୂର୍ଜଟୀ ଧାଇଁଗଲେ Ι ଅର୍ଜୁନ ଅକାରଣେ ଗୋଟାଏ ନିର୍ବୋଧ କିରାତର ପ୍ରାଣ ନାଶ କରିବାକୁ ଉଚିତ ମନେ କଲେ ନାହିଁ Ι ସେ ନିଜର ଧନୁଟିକୁ ବାବା ବିଶ୍ୱନାଥଙ୍କ ବେକରେ ଗଳାଇ ଦେଇ ବୁଲାଇଲେ Ι
ଅର୍ଜୁନ ବୁଲାଉଛନ୍ତି Ι ଆଶୁତୋଷ ବୁଲୁଛନ୍ତି Ι ଶେଷକୁ କ୍ଳାନ୍ତ ହୋଇ କପାଳୀ କହିଲେ,”ହେଲା, ହେଲା, ବାବା ! ଏବେ ଏ ଘୂର୍ଣ୍ଣନ ବନ୍ଦ କର Ι ଆମ୍ଭେ ତୋ ଉପରେ ସନ୍ତୁଷ୍ଟ ହେଲୁ Ι ବର ମାଗ, ଯାହା ତୋର ଇଚ୍ଛା, ମାଗିନେ Ι”
ଅଦ୍ଭୁତ କଥା Ι ଗୋଟାଏ ବନଚର ଶବର Ι ସେ ପୁଣି ବର ଯାଚୁଛି Ι ଅର୍ଜୁନ ଘୂରାଇବା ବନ୍ଦ କଲେ Ι ମହାଦେବ ସେତେବେଳକୁ ସମ୍ପୂର୍ଣ୍ଣ ସ୍ୱେଦାକ୍ତ Ι ପାର୍ବତୀ ହସୁଥାନ୍ତି Ι କହିଲେ,” ସଂଗ୍ରାମରେ ପରାସ୍ତ ହୋଇ ବର ଯାଚିବା ଦେବତା ମୁଁ କେଉଁଠି ଦେଖିନାହିଁ Ι” ଉଭୟ ନିଜ ସ୍ଵରୂପ ଧାରଣ କଲେ Ι” ଧନଞ୍ଜୟ ଧନୁ ଫିଙ୍ଗିଦେଇ ଲମ୍ଵ ହୋଇ ଭୂମି ଉପରେ ପଡିଗଲେ Ι “ପ୍ରଭୁ ପଞ୍ଚାନନ, ଭୋଳାନାଥ, ଆଶୁତୋଷ, କୈଳାଶପତି ଦେବ ଦେବ ମହାଦେବ ! ମାତା ଗିରିରାଜନନ୍ଦିନୀ, ଅପର୍ଣ୍ଣା, ଭବାନୀ ! ମୁଁ ଆପଣଙ୍କର ଅବୋଧ ସନ୍ତାନ Ι .ନ ଜାଣି ଅନେକ ଅପରାଧ କରିଛି Ι ମୋର ପାପ ପାଇଁ କ୍ଷମା ନାହିଁ ମା ! ମୋତେ ଦଣ୍ଡ ଦିଅନ୍ତୁ ପ୍ରଭୁ !” ହରପାର୍ବତୀ ବରଦ ମୁଦ୍ରାରେ କର ଉତ୍ତୋଳନ କଲେ Ι