ରାଜନୀତି

ପାପର ପ୍ରତିଫଳ ଭୋଗିବେ ଆଜମ୍‌ ଖାଁ: ଜୟାପ୍ରଦା

ମିରଟ୍‌: କୃତକର୍ମ ପାଇଁ ଆଜମ୍‌ ଖାଁ ଶାସ୍ତି ପାଇଛନ୍ତି ଏବଂ ପାପର ଫଳ ଭୋଗିବେ ବୋଲି ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଜୟାପ୍ରଦା କହିଛନ୍ତି।

ରବିବାର ଦିନ ମିରଟ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାମପୁରର ପୂର୍ବତନ ସାଂସଦ ତଥା ‘ବିଜେପି’ ନେତ୍ରୀ ଜୟାପ୍ରଦା ସାମ୍ବାଦିକମାନଙ୍କୁ କହିଛନ୍ତି, ରାଜନୀତିରେ ବିଭିନ୍ନ ଦଳମାନଙ୍କ ମଧ୍ୟରେ ମତଭେଦ ଥାଏ। କିନ୍ତୁ, କ୍ଷମତା ଗର୍ବରେ ମତ୍ତ ହୋଇ ଜଣେ ମହିଳାମାନଙ୍କ ପ୍ରତି ଅସମ୍ମାନ କରିବା ଏବଂ ଗରିବ ଓ ନିଷ୍ପେଶିତମାନଙ୍କ ପ୍ରତି ଅବିଚାର କରିବା ଅନୁଚିତ।

ମହିଳାମାନଙ୍କ ପ୍ରତି କିଭଳି ସମ୍ମାନ ପ୍ରଦର୍ଶନ କରିବାକୁ ହୁଏ ଆଜମ୍‌ ଖାଁ ଏବଂ ତାଙ୍କ ପୁଅ ଅବ୍ଦୁଲ୍ଲା ଆଜମ୍‌ ଜାଣିନାହାନ୍ତି। ଆଜମ୍‌ ଖାଁ କୃତକର୍ମ ପାଇଁ ଶାସ୍ତି ପାଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆଜମ୍‌ ଖାଁଙ୍କର କର୍ତ୍ତୃତ୍ବ ଶେଷ ହୋଇଯାଇଛି। ସେମାନେ (ଆଜମ୍‌ ଓ ଅବ୍ଦୁଲ୍ଲା) କରିଥିବା ପାପର ପ୍ରତିଫଳ ‌ଭୋଗିବେ।

ଉଲ୍ଲେଖଯୋଗ୍ୟ, ଅତୀତରେ ଜୟାପ୍ରଦା ଏବଂ ଆଜମ୍‌ ଖାଁ ଅନେକ ବିବାଦୀୟ ପରିସ୍ଥିତିରେ ପଡ଼ିଥିଲେ। ୨୦୧୯ରେ ଜୟାପ୍ରଦାଙ୍କ ନାଁରେ ‘ଖାକି ଅର୍ନ୍ତବସ୍ତ୍ର’ ଟିପ୍ପଣୀ ଦେଇଥିବା ବରିଷ୍ଠ ‘ସମାଜବାଦୀ’ ନେତା’ ଆଜମ୍‌ ଖାଁଙ୍କ ବିରୋଧରେ ‘ଏଫଆଇଆର୍‌’ ଦିଆଯାଇଥିଲା। ସେତେବେଳେ ଜୟାପ୍ରଦା ରାମପୁର ଆସନରୁ ଆଜମ୍‌ ଖାଁଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିଲେ।

ଗତବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶର ରାମପୁର ସଦର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଆଜମ୍‌ ଖାଁ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ‌ତିକ୍ତତା ଉଦ୍ରେକକାରୀ ଭାଷଣ ଦେଇଥିବା ଅଭିଯୋଗରେ ୩ ବର୍ଷ କାରାଦଣ୍ଡାଦେଶ ପାଇବା ପରେ ବିଧାୟକ ପଦରୁ ଅଯୋଗ୍ୟ ଘୋଷିତ ହୋଇଥିଲେ।

ସେହିପରି, ସ୍ବାର୍‌ ଆସନରୁ ବିଜୟୀ ହୋଇଥିବା ତାଙ୍କ ପୁଅ ଅବ୍ଦୁଲ୍ଲା ଆଜମ୍‌ ମଧ୍ୟ ୨୦୦୮ରେ ପ୍ରତିବାଦ ପ୍ରଦର୍ଶନ ବେଳେ ବେଆଇନ ଭାବେ ଧାରଣା ଦେଇଥିବା ଅଭିଯୋଗରେ ୨ ବର୍ଷ କାରାଦଣ୍ଡାଦେଶ ପାଇ ବିଧାୟକ ପଦରୁ ଅଯୋଗ୍ୟ ଘୋଷିତ ହୋଇଥିଲେ।

୨୦୨୪ ସାଧାରଣ ନିର୍ବାଚନ ବିଷୟରେ କହିଲା ବେଳେ ଜୟାପ୍ରଦା କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ‘ବିଜେପି’ ପୁଣି ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବ। ରାମପୁରରେ ବି ‘ବିଜେପି’ ବିଜୟୀ ହେବ।

Leave a Reply

Your email address will not be published. Required fields are marked *