ମନୋରଞ୍ଜନ

ଭାରତର ସବୁଠୁ ମୂଲ୍ୟବାନ୍ ସେଲିବ୍ରିଟି ହେଲେ ବଲିଉଡ୍ ଅଭିନେତା ରଣବୀର ସିଂହ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ କେବଳ ନିଜ ଅଭିନୟ ପାଇଁ ନୁହେଁ; ବରଂ ନିଜର ଫ୍ୟାସନ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଫ୍ୟାଶନ୍ ସେନ୍ସ ହେଉ କିମ୍ବା ଫଟୋସୁଟ୍ ହେଉ, ସେ ସବୁବେଳେ ହେଡଲାଇନରେ ରହିଥା’ନ୍ତି। ବର୍ତ୍ତମାନ ତାଙ୍କ ନାମରେ ଏକ ବଡ଼ ସଫଳତା ଯୋଡି ହୋଇଯାଇଛି। ‘କ୍ରୋଲ୍’ର ରିପୋର୍ଟ ଅନୁଯାୟୀ, ରଣବୀର ସିଂହ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ପଛରେ ପକାଇ ଭାରତର ମୋଷ୍ଟ ଭାଲ୍ୟୁଏବଲ୍ ସେଲିବ୍ରିଟି ହୋଇଛନ୍ତି।

କର୍ପୋରେଟ୍ ଇନଭେଷ୍ଟିଗେସନ୍ ଆଣ୍ଡ ରିସ୍କ କନସଲଟିଂ ଫାର୍ମ ‘କ୍ରୋଲ୍’ର ନିକଟରେ ପ୍ରକାଶିତ ରିପୋର୍ଟରେ ଦେଶର ସବୁଠାରୁ ଧନୀ ସେଲିବ୍ରିଟିଙ୍କ ତାଲିକା ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ବଲିଉଡ ଅଭିନେତା ରଣବୀର ସିଂଙ୍କ ବ୍ରାଣ୍ଡ୍ ମୂଲ୍ୟ ୧୮୧.୭ ମିଲିୟନ ଡ଼ଲାର ସହ ସେ ଭାରତର ସବୁଠାରୁ ମୂଲ୍ୟବାନ ତାରକା ହୋଇପାରିଛନ୍ତି। ଏହା ବ୍ୟତୀତ ଅଭିନେତ୍ରୀ ଆଲିଆ ଭଟ୍ଟ ଏହି ତାଲିକାରେ ସବୁଠାରୁ ମୂଲ୍ୟବାନ ମହିଳା ସେଲିବ୍ରିଟି ଭାବରେ ଉଭା ହୋଇଛନ୍ତି। ତାଙ୍କର ବ୍ରାଣ୍ଡ୍ ମୂଲ୍ୟ ହେଉଛି ୧୦୨.୯ ମିଲିୟନ ଡ଼ଲାର।

କ୍ରମାଗତ ପାଞ୍ଚ ବର୍ଷ ଧରି ବିରାଟ କୋହଲି ଦେଶର ସବୁଠୁ ମୂଲ୍ୟବାନ୍ ସେଲିବ୍ରିଟି ଥିଲେ, କିନ୍ତୁ ବର୍ତ୍ତମାନ ସେ ଦ୍ୱିତୀୟ ନମ୍ବରକୁ ଖସି ଆସିଛନ୍ତି। କୋହଲିଙ୍କ ବ୍ରାଣ୍ଡ୍ ମୂଲ୍ୟ ହେଉଛି ୧୭୬.୯ ମିଲିୟନ ଡ଼ଲାର। ଏହାପୂର୍ବରୁ ୨୦୨୦ ମସିହାରେ ବିରାଟ କୋହଲିଙ୍କ ବ୍ରାଣ୍ଡ୍ ମୂଲ୍ୟ ୨୩୭ ମିଲିୟନ ଡ଼ଲାର ଥିଲା ଏବଂ ୨୦୨୧ ମସିହାରେ ୧୮୫.୭ ମିଲିୟନ ଡ଼ଲାରକୁ ଖସିଥିଲା। ରଣବୀର ସିଂହଙ୍କ ବ୍ରାଣ୍ଡ ମୂଲ୍ୟ ଏକ ବର୍ଷରେ ପ୍ରାୟ ୨୯ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧ରେ ରଣବୀରଙ୍କ ବ୍ରାଣ୍ଡ୍ ମୂଲ୍ୟ ଥିଲା ୧୫୮.୩ ମିଲିୟନ ଡ଼ଲାର। ସେହିଭଳି ଅଭିନେତା ଅକ୍ଷୟ କୁମାର ୧୫୩.୬ ମିଲିୟନ ଡ଼ଲାରର ବ୍ରାଣ୍ଡ ମୂଲ୍ୟ ସହିତ କ୍ରୋଲ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଆଲିଆ ଭଟ୍ଟ ୧୦୨.୯ ମିଲିୟନ ଡ଼ଲାର ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ଦୀପିକା ପାଦୁକୋନ ୮୨.୯ ମିଲିୟନ ଡଲାର ସହିତ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ଏହା ବ୍ୟତୀତ ଅମିତାଭ ବଚ୍ଚନ, ହ୍ରିତିକ ରୋଶନ, ପୂର୍ବତନ କ୍ରିକେଟର ଏମଏସ ଧୋନି, ସଚିନ ତେନ୍ଦୁଲକର ଓ ଶାହରୁଖ ଖାନ ମଧ୍ୟ ଶ୍ରେଷ୍ଠ ୧୦ ଜଣ ମୂଲ୍ୟବାନ୍ ସେଲିବ୍ରିଟିରେ ସ୍ଥାନ ପାଇଛନ୍ତି।

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନା ପ୍ରଥମ ଥର ପାଇଁ ଏହି ତାଲିକାରେ ଟପ୍ ୨୫ରେ ପ୍ରବେଶ କରିଛନ୍ତି। ବ୍ରାଣ୍ଡ ମୂଲ୍ୟ ୩୧.୪ ମିଲିୟନ ଡ଼ଲାର ସହିତ ଅଲ୍ଲୁ ଅର୍ଜୁନ ୨୦ ତମ ସ୍ଥାନରେ ଥିବାବେଳେ ରଶ୍ମିକା ମନ୍ଦାନା ୨୫.୩ ମିଲିୟନ ଡ଼ଲାରର ବ୍ରାଣ୍ଡ୍ ମୂଲ୍ୟ ସହିତ ୨୫ ତମ ସ୍ଥାନରେ ରହିଛନ୍ତି । ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ମଧ୍ୟ ଭାରତର ସବୁଠାରୁ ଧନୀ ସେଲିବ୍ରିଟି ତାଲିକାରେ ସ୍ଥାନ ପାଇଛନ୍ତି ଏବଂ ବ୍ରାଣ୍ଡ ମୂଲ୍ୟ ୨୬.୫ ମିଲିୟନ ଡ଼ଲାର ସହିତ ସେ ୨୩ ନମ୍ବରରେ ରହିଛନ୍ତି।

Leave a Reply

Your email address will not be published. Required fields are marked *