ମନୋରଞ୍ଜନ

ସୋନୁ ନିଗମଙ୍କ ବାପାଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି, ପୂର୍ବତନ ଡ୍ରାଇଭର୍‌ ଗିରଫ

ମୁମ୍ବାଇ: ଗାୟକ ସୋନୁ ନିଗମଙ୍କ ବାପାଙ୍କର ମୁମ୍ବାଇସ୍ଥିତ ବାସଭବନରୁ ୭୨ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗରେ ଜଣେ ପୂର୍ବତନ ଡ୍ରାଇଭର୍‌ଙ୍କୁ ଗିରଫ କରାଯାଇଥିବା କଥା ବୁଧବାର ଦିନ ପୁଲିସ କହିଛି।

ଗାୟକଙ୍କ ୭୬ ବର୍ଷିୟ ବାପା ଅଗମ କୁମାର ନିଗମ ଅନ୍ଧେରୀ ପଶ୍ଚିମର ଓଶିୱାରାସ୍ଥିତ ୱିନ୍‌ସର୍‌ ଗ୍ରାଣ୍ଡ୍‌ ବିଲ୍‌ଡିଙ୍ଗ୍‌ରେ (ଫ୍ଲାଟ୍‌) ବାସ କରନ୍ତି। ମାର୍ଚ ୧୯ ଓ ୨୦ ତାରିଖ ମଧ୍ୟରେ ଉକ୍ତ ଟଙ୍କା ଚୋରି ହୋଇଥିବା କଥା ପୁଲିସ କହିଛି।

ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିବା ଲାଗି ବୁଧବାର ସକାଳେ ସୋନୁ ନିଗମଙ୍କ ସାନ ଭଉଣୀ ନିକିତା ଓଶିୱାରା ଥାନାରେ ପହଞ୍ଚି ଥିଲେ।

ତାଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୮ ମାସ ଧରି ଅଗମ କୁମାର ରେହାନ୍‌ ନାମରେ ଜଣେ ଡ୍ରାଇଭର୍‌ ରଖିଥିଲେ, କିନ୍ତୁ ତା’ର କାର୍ଯ୍ୟ ସନ୍ତୋଷଜନକ ନ ହେବାରୁ ଅଳ୍ପଦିନ ତଳେ ତାଙ୍କୁ ସେ କାମରୁ ବିଦା କରି ଦେଇଥିଲେ।

ରବିବାର ଅପରାହ୍ଣରେ ଅଗମ କୁମାର ବେରସୋବା ଅଞ୍ଚଳରେ ଥିବା ନିକିତାଙ୍କ ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରିବା ପରେ କିଛି ସମୟ ରହି ନିଜ ଘରକୁ ଫେରିଥିଲେ।  ସନ୍ଧ୍ୟା ବେଳେ ସେ ଫୋନ୍‌ କରି ଝିଅ ନିକିତାଙ୍କୁ କହିଲେ ଯେ, କାଠ ଆଲମାରିରେ ଥିବା ଡିଜିଟାଲ୍‌ ଲକର୍‌ରୁ ୪୦ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି।

ସେହିପରି, ଭିସା ସମ୍ବନ୍ଧୀୟ କାମ ଲାଗି ତହିଁ ଆରଦିନ ଅନଗ କୁମାର ୭ ବଙ୍ଗଲାସ୍ଥିତ ପୁଅର ବାସଭବନକୁ ଯାଇ ସନ୍ଧ୍ୟା ବେଳେ ନିଜ ଘରକୁ ଫେରିଥିଲେ। ଘରେ ଦେଖିଲେ, ଲକର୍‌ରୁ ୩୨ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି, କିନ୍ତୁ ଲକର୍‌ ଭାଙ୍ଗା ଯାଇନାହିଁ।

ଏଥର ଅଗମ କୁମାର ଓ ନିକିତା ‘ଫ୍ଲାଟ୍‌ ସୋସାଇଟି’ରେ ଥିବା ‘ସିସିଟିଭି’ ଫୁଟେଜ୍‌ ଯାଞ୍ଚ କଲେ। ଦେଖିଲେ, ସେ ଅନୁପସ୍ଥିତ ଥିବା ଦୁଇ ଦିନରେ ପୂର୍ବତନ ଡ୍ରାଇଭର୍‌ ରେହାନ୍‌ ବ୍ୟାଗ୍‌ ଧରି ତାଙ୍କ ଫ୍ଲାଟ୍‌ ଆଡ଼କୁ ଯାଉଛି। ଅନଗ କୁମାରଙ୍କର ସନ୍ଦେହ ଯେ, ନକଲି ଚାବିଦ୍ବାରା କବାଟ ଖୋଲି ରେହାନ୍‌ ଫ୍ଲାଟ୍‌ରେ ପଶି ବେଡ୍‌ରୁମ୍‌ରେ ଥିବା ଲକର୍‌ରୁ ୭୨ ଲକ୍ଷ ଟଙ୍କା ଚୋରାଇ ନେଇଛି।

ନିକିତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *