ଧର୍ମ

ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ

ବାଲୁଗାଁ:-ଚିଲିକା ବ୍ଲକ ବଡ଼କୁଳ ପଞ୍ଚୟତ ଅନ୍ତର୍ଗତ ସୁବୁଦ୍ଧିପାଟଣା ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ  ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଓ ଦେବଦେବୀ ମହାମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ଚାରି ଦିନ ବ୍ୟାପି ରୁଦ୍ର ମହାଯଜ୍ଞ ଗୁରୁବାର ଦିନ ଅଧିବାସରେ ଅଙ୍କୁରାରୋପଣ, ଶୁକ୍ରବାର ଦିନ ଜଳଯାତ୍ରା ସହ ଯଜ୍ଞ ଶାଲା ପ୍ରଵେଶ ହୋଇଥିଲା।ଶନିବାର ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା,ଶାଲା ପୂଜା ସହ ଯଜ୍ଞ ଆରମ୍ଭ ହୋଇ ରବିବାର ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଯାଇଛି।ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଜଗତେଶ୍ୱର ମହାଦେବଙ୍କ ପୀଠରେ ଆଖପାଖ ଅଞ୍ଚଳର ଗ୍ରାମବାସୀ ଏବଂ ଦାତାଙ୍କ ସହାୟତାରେ ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ବିଶ୍ୱ ଶାନ୍ତି କଲ୍ୟାଣ ନିମନ୍ତେ ରୁଦ୍ର  ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଜଗତେଶ୍ୱର ଦେବଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଶୈବପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ପ୍ରତି ଦିନ ନୀତିକାନ୍ତି ଅନୁଯାୟୀ ଯଜ୍ଞ ହେଉଥିବା ବେଳେ ନାନାଦି ବ୍ୟଞ୍ଜନ ପ୍ରସାଦ ଲାଗି ପରେ ସମସ୍ତ ରୀତି ନୀତି ସମ୍ପୂର୍ଣ୍ଣ କରି ସମସ୍ତ ପୂଜା ବିଧି ସାରି ଯଜ୍ଞ ସମାପନ କରାଯାଇଥିଲା।ଏହିପରିପ୍ରେକ୍ଷୀରେ ଜଗତେଶ୍ୱର ଦେବଙ୍କ ପୀଠରେ ଆଖପାଖ ଅଞ୍ଚଳର ନିମନ୍ତ୍ରିତ ଦେବାଦେବୀ ମାନଙ୍କର ମହାମେଳଣ ଅନୁଷ୍ଠିତ ହୋଇଥିଲା।ଏହି ମେଳଣ ପର୍ବରେ ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ଗବପଦର ବିଜେ ରାମେଶ୍ୱର ଦେବ,ଭେଲେରି ଧବେଳେଶ୍ୱର ଦେବ,ବଡ଼କୁଳ ଗାଦିଶ୍ୱର ଦେବ,ହରଗୌରୀ ଦେବ,ଗାଲୁଆ ଗୁପ୍ତେଶ୍ଵର ଦେବ,ମଙ୍ଗଳପୁର ଶ୍ରୀ ଜଗତେଶ୍ୱର ଦେବ,ସୁବୁଦ୍ଧି ପାଟଣା ଜଗତେଶ୍ୱର ଦେବ,ଦଧିବାମନ ଦେବ,ଛେଡାପଦର ରାଧାମୋହନ ଦେବ,ବିଧାରପୁର ଦଧିବାମନ ଦେବ,ଚନ୍ଦ୍ରାପୁଟ ବାଳମୁକୁନ୍ଦ ଦେବ,ଖାରିବନ୍ଧ ରଘୁନାଥ ଦେବ, ଗଉଡ଼ ଆଁକୁଲା ଭଗବତେ ଦେବ,ଆଁକୁଲା ଭଗବତେ ଦେବ,ଖଡ଼ିକାପଲ୍ଲୀ ଭଗବତ ଦେବ,ରାଉତରାପଲ୍ଲୀ ରାଧାଗୋବିନ୍ଦ ଦେବ,ସୁବୁଦ୍ଧିପାଟଣା ଦଧିବାମନ ଦେବ,ବୁଢ଼ାଲିଙ୍ଗେଶ୍ୱର ଇଂଜନପୁର,ଗଣପତି ପାଟଣା ମା ଗଣପତି ଦେବୀ,ବଡ଼କୁଳ ମା କନ୍ଧୁଣି ଦେବୀ,ମା ଡ଼ାହାଳେଇ ଦେବୀ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ।ମେଳଣ ପଡିଆ ଠାରେ ସୁରୁଖୁରୁରେ ମେଳଣ ପର୍ବ ସରିଥିବା ବେଳେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି, କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *