ରାଜନୀତି

ସରକାର ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ଗର୍ଜିଲେ ବିଜେପି ସଭାପତି

ଭୁବନେଶ୍ବର: ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱର ସହ ସ୍ୱର ମିଳାଇବାକୁ ପଡ଼ିବ। ସେହିପରି ଲୋକଙ୍କ ଅସନ୍ତୋଷ ସହ ସ୍ୱର ମିଶାଇବାକୁ ପଡ଼ିବ। ଓଡ଼ିଶାର ଲୋକେ ଏହି ନିର୍ବାଚନ ଲଢ଼ିବେ। ନିର୍ବାଚନ ଐତିହାସିକ ହେବ। ଲୋକମାନେ ତାତି କି ଅଛନ୍ତି। ମାତି କି ଅଛନ୍ତି। ସଂଘର୍ଷରୁ ଏହି ଦଳ ଏ ଜାଗାରେ ପହଞ୍ଚିଛି। ବିଜେପିକୁ ୯୦ ମସିହାରେ ଏକ ପ୍ରତିଶତ ଭୋଟ ମିଳିଥିଲା ବେଳେ ୯୧ ମସିହାରେ ଏହା ୧୦ ପ୍ରତିଶତ ଥିଲା। କିନ୍ତୁ ଏବେ ୩୮ ପ୍ରତିଶତ ଭୋଟ୍‌ ହୋଇସାରିଛି। ଆଉ ପଛକୁ ଫେରିକି ଦେଖିନି ବିଜେପି। ବିଜେପି କାର୍ଯ୍ୟକର୍ତ୍ତା ଆଧାରିତ ଦଳ। ପଦ ଥାଉ ନଥାଉ କର୍ମୀ କାମ କରୁଛନ୍ତି। ଆମେ ଶପଥ ନେଇଛୁ ବିଜେଡ଼ି ସରକାରକୁ ହଟାଇବୁ। ସବୁ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରବିବାର ଦଳୀୟ କର୍ମୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲା ପରେ ଶ୍ରୀ ସାମଲ କହିଛନ୍ତି, ସମାଜର ତଳ ପାହାଚର ଲୋକଙ୍କ ପାଇଁ ଆମେ କାମ କରୁଛୁ। କେନ୍ଦ୍ରୀୟ ନେତା ଓଡ଼ିଶା ଉପରେ ବିଶ୍ୱାସ ରଖିଛନ୍ତି। ଏଠାରେ ସରକାର ଗଠନ ପାଇଁ ସମସ୍ତଙ୍କୁ କାମ କରିବାକୁ ପଡ଼ିବ। ୨୩ ଜଣ ଯୁବ ମୋର୍ଚ୍ଚାର ଭାଇ ଜେଲରେ ଅଛନ୍ତି। ଜେଲରେ ଜାଗା ହେବ ନାହିଁ। ଜେଲ ଭରୋ ଆନ୍ଦୋଳନ କରିବୁ।

ନୂ୍ଆ ସଭାପତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି ନବୀନ ବାବୁ କେବଳ ପ୍ରସଙ୍ଗକୁ ଡାଇଭର୍ଟ କରିବା ଜାଣିଛନ୍ତି। ଓଡ଼ିଶାରେ ସବୁ ଅଛି। କିନ୍ତୁ ବିକାଶ କାହିଁକି ହେଉନି? ମନ୍ତ୍ରୀମାନଙ୍କୁ ସମାଲୋଚନା କରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁ ନାହାନ୍ତି। ଏ କେମିତି ସରକାର? ନବୀନ ବାବୁଙ୍କ ସରକାର ଏକ ରିଏଲ ଫିଲ୍ମ! କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ବିଭାଗ ଦାୟିତ୍ୱରେ ଅଛନ୍ତି। ସବୁଠୁ ବଡ଼ ବିଭାଗ। ଭଲ କାମ କରିଛନ୍ତି। ଅଶ୍ବିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ଭଲ କାମ କରୁଛନ୍ତି ।

କଠିନ ପରିଶ୍ରମ କରନ୍ତୁ। ତ୍ୟାଗ, ଘର ଦ୍ୱାର ଛାଡ଼ନ୍ତୁ। ନିର୍ବାଚନ ଜିତିବା ପରେ ଘରକୁ ଫେରିବେ । ଏ ସଂକଳ୍ପ ନେବାକୁ ପଡ଼ିବ। ଯାହା ଦାୟିତ୍ୱ ନେବା ତାକୁ ସୁଚାରୁ ଭାବେ କରିବାକୁ ପଡ଼ିବ। ଏକ ହେବା ସରକାର ବନିବ। ପଜିଟିଭ ଭୋଟରେ ସରକାର ହେବ। ରାଜ୍ୟର ସାମୁହିକ ବିକାଶ ହେବ। ୭୫ ବର୍ଷରେ ହୋଇ ନଥିବା କାମ ପାଇଁ ନକ୍ସା ତିଆରି ହେବ। ସବୁ କ୍ଷେତ୍ରରେ ଭେଲୁ ଆଡିସନ ହେବ। ଲୋକ ଦାଦନ ଖଟିବାକୁ ଯିବେ ନାହିଁ। ଚାଷୀଙ୍କ ବିକାଶ ହେବ। ବିଜେପି ହେଉଛି ବିକାଶ। ଅସନ୍ତୋଷର ବିସ୍ଫୋରଣ ହେବ। ସାଧାରଣ ପୋଷ୍ଟର୍ ମରା କର୍ମୀ ବି ନବୀନ ବାବୁଙ୍କ ଠାରୁ ଭଲ ମୁଖ୍ୟମନ୍ତ୍ରୀ ହୋଇପାରିବେ। ନବୀନ ବାବୁ ଓଡିଶାକୁ ୧୦୦ ବର୍ଷ ପଛକୁ ନେଇ ଯାଇଛନ୍ତି। ଆମେ ଶୋଇବା ନାହିଁ, ନବୀନ ବାବୁ ମଧ୍ୟ ଶୋଇ ପାରିବେ ନାହିଁ। ତଳ ପାହାଚର ଲୋକ ଯେ ପର୍ଯ୍ୟନ୍ତ ନ୍ୟାୟ ନପାଇଛନ୍ତି, ନବୀନ ବାବୁଙ୍କୁ ଶୁଆଇ ଦିଆଯିବ ନାହିଁ ବୋଲି ବିଜେପି ସଭାପତି କହିଛନ୍ତି।ଶ୍ରୀ ସାମଲ କହିଛନ୍ତି ଯେ, କଥାବାର୍ତ୍ତା ମାଧ୍ୟମରେ ନିଜ ଭିତରର ଥିବା ସମସ୍ୟାର ସମାଧାନ ହେବ। ଗୋଟିଏ ଲକ୍ଷ୍ୟ ବିଜେଡ଼ିକୁ ହଟାଇବାକୁ ପଡ଼ିବ। ବିଜେପି ସରକାର ଗଠନ କରିବ। ସରକାର କିଏ ଚଳାଉଛି ଜଣାପଡୁନାହିଁ। ବିଜେପି ସରକାର ଆସିଲେ ଏ ସବୁ ଚଳିବ ନାହିଁ। କୌଣସି ନିଷ୍ପତ୍ତି ବ୍ଲକ ଓ ଜିଲ୍ଲା ଉପରେ ଲଦି ଦିଆଯିବ ନାହିଁ।

Leave a Reply

Your email address will not be published. Required fields are marked *