ମହାନଗର

ବିପର୍ଯ୍ୟୟ ପ୍ରବଣ ଓଡ଼ିଶାରେ ସ୍ୱତନ୍ତ୍ର ନୀତି ପ୍ରଣୟନ ପାଇଁ ଉଠିଲା ଦାବି

ଗତ ୧୨ବର୍ଷରେ ହୋଇଛି ୧୬ଟି ପ୍ରାକୃତିକ ବିପର୍ଯ୍ୟୟ

ଜଳବାୟୁ ପରିବର୍ତ୍ତନର ଜ୍ବାଳା ଭୋଗୁଛି ଓଡିଶା

ସମୁଦ୍ର ମାଡି ଆସିବାରୁ ଭିଟାମାଟି ଛାଡିଲେଣି ୧୬ଗାଁ

ଭୁବନେଶ୍ୱର : ଉତ୍ତପ୍ତ ହେଉଛି ପୃଥିବୀ । ବଦଳିବାରେ ଲାଗିଛି ପାଣିପାଗ । ଉପକୂଳ ଓଡ଼ିଶା ହେଉଛି ବେଶୀ ପ୍ରଭାବିତ । ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ କାରଣରୁ ବିଗତ ୧୨ ବର୍ଷ ମଧ୍ୟରେ ଓଡିଶା ୧୬ଟି ପ୍ରାକୃତିକ ବିପର୍ଯ୍ୟୟ କୁ ସାମ୍ନା କରୁଛି ବୋଲି ମଙ୍ଗଳବାର ଏଠାରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି । ଆଲୋଚକ ମାନେ ଉପକୂଳ ଓଡିଶାର ବେଶୀ ମୃତ୍ତିକା କ୍ଷୟ ହେଉଥିବା ଅଞ୍ଚଳରେ ହେନ୍ତାଳ ବନ ସୃଷ୍ଟି, ଆଶ୍ରୟ ସ୍ଥଳ ଓ ଅନ୍ୟାନ୍ୟ ଭିତ୍ତିଭୂମି ସଂରଚନା, ବିପର୍ଯ୍ୟୟ ପରିଚାଳନା ପାଇଁ ଲୋକଙ୍କୁ ପ୍ରସ୍ତୁତି ଓ ଜୀବିକାର୍ଜନ ରେ ସ୍ଥାନୀୟ ଜନଗଣଙ୍କୁ ସହାୟତା କରିବା ଆବଶ୍ୟକ ବୋଲି ମତ ପ୍ରଦାନ କରିଥିଲେ । ଅଗ୍ରଣୀ ସାମାଜିକ ସଂଗଠନ ରିଜିଓନାଲ ସେଣ୍ଟର ଫର ଡେଭଲପମେଣ୍ଟ କୋ ଅପରେସନ (ଆର ସି ଡି ସି)ମିଜେରିୟର ଓ କେୟାର ଇଣ୍ଡିଆର ମିଳିତ ପ୍ରୟାସରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଯୋଗଦେଇ ଅତିଥି ଓ ଆଲୋଚକ ମାନେ ୪୮୦କିଲୋମିଟର ପରିବ୍ୟାପ୍ତ ଉପକୂଳ ଓଡିଶାରେ 6ଟି ଉପକୂଳ ଜିଲ୍ଲାର ୨୬୭ କିଲୋମିଟର ଅଞ୍ଚଳ ମୃତ୍ତିକା କ୍ଷୟ ହୋଇଥିବା ନେଇ ଉଦବେଗ ପ୍ରକାଶ କରିଥିଲେ । ବିପର୍ଯ୍ୟୟ ଘଟଣା ଘଟିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପୂର୍ବରୁ ମୁକାବିଲା ସାମର୍ଥ୍ୟର ବିକାଶ ଦିଗରେ ନାଗରିକ ସମାଜ ଆଗକୁ ଆସିବା ଉଚିତ ବୋଲି ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ । ଆର ସି ଡି ସି ର କାର୍ଯ୍ୟନିର୍ବାହୀ ନିର୍ଦେଶକ କୈଳାଶ ଚନ୍ଦ୍ର ଦାଶ କହିଥିଲେ କି ବିପର୍ଯ୍ୟୟ ପ୍ରବଣ ଓଡ଼ିଶାରେ ସରକାର ଏକ ନିର୍ଦିଷ୍ଠ ପଲିସି ପ୍ରଣୟନ କରନ୍ତୁ ।
ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ ଡକ୍ଟର ଅମ୍ବିକା ନନ୍ଦ ଙ୍କ ପୌରହିତ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ କେୟାର ୟୁ ଏସ ଏ ଭାଇସ ପ୍ରେସିଡେଣ୍ଟ ଦୀପମାଳା ମାହାଲା, ୟୁନିସେଫର ବିପଦ ମୁକାବିଲା ବିଶେଷଜ୍ଞ ଓଁକାର ଓନେଲ ଖାରେ, ୟୁ ଏନ ଡି ପି ର ରାଜ୍ୟ ମୁଖ୍ୟ ଡକ୍ଟର ଆଭା ମିଶ୍ର, ଓଡିଶା ପରିବେଶ କଂଗ୍ରେସ ର ସମ୍ପାଦକ ଡକ୍ଟର ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ, ଉତ୍କଳ ବିଶ୍ଵବିଦ୍ୟାଳୟ ଭୂଗୋଳ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର କବିର ମୋହନ ସେଠି, ବିଶେଷଜ୍ଞ ମହେଶ ମିଶ୍ର ଓ ଆର ସି ଡି ସିର କାର୍ଯ୍ୟନିର୍ବାହୀ ନିର୍ଦେଶକ କୈଳାଶ ଚନ୍ଦ୍ର ଦାଶ, ସୁରେଶ ଚନ୍ଦ୍ର ବିଷୋୟୀ ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ,ଆହ୍ୱାନ ଓ କାର୍ଯ୍ୟପନ୍ଥା ବାବଦରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *