ମହାନଗର

ବଢ଼ୁଛି ଜାଗା ମିସନ୍‌ ବିବାଦ: କଳି ମଞ୍ଜି ପୋତିଲା ବିଏମ୍‌ସି

ଭୁବନେଶ୍ବର: ଜାଗା ମିସନ୍‌କୁ ବିବାଦ ପିଛା ଛ‌ାଡ଼ୁନି। ପ୍ରାଥମିକ ପର୍ଯ୍ୟାୟରେ ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିବା ତାରିଖ ଯେତିକି ପାଖେଇ ଆସୁଛି ବିବ‌ାଦ ସେତିକି ବଢ଼ୁଛି। କେତେବେଳେ ଏସ୍‌ଡିଏ(ବସ୍ତିବାସିନ୍ଦା ସଂଘ)ଙ୍କ ହସ୍ତକ୍ଷେପ ତ’ ଆଉ କେତେବେଳେ ଜାଣି ଜାଣି ଯୋଗ୍ୟ ବାସିନ୍ଦାଙ୍କୁ ସର୍ଭେରୁ ବାଦ୍‌ ଦେବା ଅଭିଯୋଗକୁ ନେଇ ଭୁବନେଶ୍ବରରେ ଜାଗା ମିସନ ଚର୍ଚ୍ଚାରେ ରହିଛି। ଗତ ୭ ଦିନରେ ଜାଗା ମିସନକୁ ନେଇ ଏଭଳି ୧୪୦ରୁ ଊର୍ଦ୍ଧ୍ବ ଅଭିଯୋଗ ଆସିଛି। ଏସ୍‌ଡିଏଙ୍କ ହସ୍ତ‌କ୍ଷେପରୁ ମୁକ୍ତ ରହିବା ପାଇଁ ବିଏମ୍‌ସି ବିଭିନ୍ନ ବସ୍ତିରେ ହୋର୍ଡିଂ ଲଗାଇ ଜନସାଧାରଣଙ୍କୁ ସଚେତନ କରାଇବା ବ୍ୟବସ୍ଥା କରିଥିବା ବେଳେ ଏହି ମିସନକୁ ନେଇ ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି।ଜାଗା ମିସନ କେବଳ ପୌରାଞ୍ଚଳରେ ଥିବା ବସ୍ତିବାସିନ୍ଦାଙ୍କ ପାଇଁ ପ୍ରଯୁଜ୍ୟ ହୋଇଥିବା ବେଳେ ଭୁବନେଶ୍ବର ଉପକଣ୍ଠରେ ପଞ୍ଚାୟତ ଅଞ୍ଚଳରେ ଥିବା ବସ୍ତିକୁ ଜାଗା ମିସନ୍‌ ଅଧୀନରେ ସର୍ଭେ କରି ବିଏମ୍‌ସି କଳିମଞ୍ଜି ପୋତିଛି। ଗୋଟିଏ ବସ୍ତି କାହିଁକି ସାମିଲ କରାଯିବ, ଆମକୁ କାହିଁକି ନୁହେଁ ବୋଲି ଉପକଣ୍ଠରେ ଥିବା ଏକାଧିକ ବସ୍ତିବାସିନ୍ଦା ବିଏମ୍‌ସି ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ଏହି କଳି କେବଳ ବିଏମ୍‌ସିରେ ସୀମିତ ନ ରହି ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଆଧାର କରି ଅନ୍ୟ ପୌରାଞ୍ଚଳରର ଉପକଣ୍ଠ(ପଞ୍ଚାୟତ)ରେ ରହିଥିବା ବସ୍ତିବାସିନ୍ଦା ଜାଗା ମିସନ୍‌ରେ ସାମିଲ ହେବା ପାଇଁ ଦାବି କରିପାରନ୍ତି। ଏଣୁ ବିଏମ୍‌ସି ପୋତିଥିବା କଳି ମଞ୍ଜି ସମଗ୍ର ରାଜ୍ୟକୁ ବ୍ୟାପିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକପ୍ରିୟ ମିସନ୍‌ ଲକ୍ଷ୍ୟଭ୍ରଷ୍ଟ ହେବା ନେଇ ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଉପରକୁ ଆଙ୍ଗୁଠି ଉଠିଛି। ମୋଟା ଅଙ୍କର ହାତଗୁଞ୍ଜା ନେଇ ଏଭଳି କାରବାର ହୋଇଥିବା ଚର୍ଚ୍ଚା ହେଉଛି।କେତେକ ଏସ୍‌ଡିଏ ଜାଗା ମିସନ୍‌ରେ ଦଲାଲ ସାଜିଛନ୍ତି। ମୋଟା ଅଙ୍କର ହାତଗୁଞ୍ଜା ନେଇ ତାଲିକାରେ ଅଯୋଗ୍ୟଙ୍କ ନାଁ ଯୋଡ଼ୁଛନ୍ତି, ଯୋଗ୍ୟଙ୍କ ନାଁ କାଟୁଛନ୍ତି। ଏଭଳି ୧୪ ଏସ୍‌ଡିଏଙ୍କ ବିରୋଧରେ ଅଭିଯୋଗ ଆସିଛି। ଅଭିଯୋଗ ପରିମାଣ ଦିନକୁ ଦିନ ବଢ଼ି ବଢ଼ି ଯାଉଛି। ବିଏମ୍‌ସି ଏଭଳି ୧୪ ଏସ୍‌ଡିଏଙ୍କୁ କୈଫିୟତ ତଲବ କରିଥିବା ବେଳେ ୧୧ଜଣ ଉତ୍ତର ଦେଇଛନ୍ତି। ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଏମ୍‌ସି ଘୋଷଣା କରିଛି। ଏମାନଙ୍କ କବଳକୁ ନ ଆସିବା ପାଇଁ ବା ଏମାନଙ୍କ କଥାରେ ନ ପଡ଼ିବା ପାଇଁ ବିଏମ୍‌ସି ବିଭିନ୍ନ ବସ୍ତିରେ ପୋଷ୍ଟର ମଧ୍ୟ ଲଗାଇଛି। ତଥାପି ବିଏମ୍‌ସି ଚିନ୍ତାରେ ପଡ଼ିଛି। ଏପ୍ରିଲ ଆରମ୍ଭରେ ୫୦ହଜାର ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟାଯିବାକୁ ରହିଛି।

କେହି ଜଣେ ହେଲେ ଅଯୋଗ୍ୟ ଯେଭଳି ତାଲିକାରେ ସାମିଲ ନ ହେବେ, ସେଥିପାଇଁ ଅଧିକାରୀମାନେ ସତର୍କତାର ସହ କାମ କରୁଛନ୍ତି। ଏଭଳି ସ୍ଥିତିରେ ଏକ ଗୁରୁତର ଅଭିଯୋଗ ଏବେ ସମଗ୍ର ପ୍ରକ୍ରିୟାକୁ ବିବାଦକୁ ଟାଣିଛି। ଉପକଣ୍ଠ ପଞ୍ଚାୟତ ଅଧୀନରେ ଥିବା ଏକ ବସ୍ତିକୁ ଜାଗା ମିସନ ସର୍ଭେରେ ସାମିଲ କରାଯାଇଛି। ତାହା ହେଉଛି ମହାଭୋଇ ଶାସନ ମୌଜାର ବଡ଼ ମହାବୀର ବସ୍ତି। ନିକଟ ଅତୀତରେ ଏହାର ସର୍ଭେ ହେବା ପରେ ଅଭିଯୋଗ ହୋଇଥିଲା। ଅଭିଯୋଗ ହେବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିଥିଲେ। ଏକ ସ୍ବତନ୍ତ୍ର ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ରିପୋର୍ଟ ପ୍ରସ୍ତୁତ କରିଥିଲେ। ରିପୋର୍ଟରେ ଏହା ସମ୍ପୂର୍ଣ୍ଣ ପଞ୍ଚାୟତ ଅଞ୍ଚଳରେ ଯାଉଥିବା ଦର୍ଶାଇଥିଲେ। ହେଲେ କଣ ହେଲା କେଜାଣି ଏହି ବସ୍ତି ସର୍ଭେ ତାଲିକାରୁ କଟିଲା ନାହିଁ। ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଭୁବନେଶ୍ବର ଉପକଣ୍ଠକୁ ଲାଗିଥିବା ଏକାଧିକ ବସ୍ତି ଏବେ ଜାଗା ମିସନ ସର୍ଭେରେ ସାମିଲ ପାଇଁ ବିଏମ୍‌ସିର ଦ୍ବାରସ୍ଥ ହୋଇଛନ୍ତି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜାଗା ମିସନ୍‌କୁ ‌ନେଇ ବହୁତ ଅଭିଯୋଗ ଆସିଛି। ସେ ସବୁର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଦୋଷୀ ଏସ୍‌ଡିଏଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିଷ୍ପତ୍ତି ହୋଇଛି। ତେବେ ପଞ୍ଚାୟତରେ ଥିବା ବସ୍ତିର ସର୍ଭେ ହୋଇଥିବା ଅଭିଯୋଗର ତଦନ୍ତ ହେଉଛି। କୌଣସି ପରିସ୍ଥିତିରେ ଅଯୋଗ୍ୟ ଏହି ମିସନ୍‌ରେ ସାମିଲ ହେବେ ନାହିଁ।

Leave a Reply

Your email address will not be published. Required fields are marked *