ଅପରାଧ

ଗୋପାଳ ଓ ପରିବାରକୁ ସୁରକ୍ଷା ପ୍ରସଙ୍ଗରେ ହାଇ‌‌କୋର୍ଟରେ ମାମଲା ଦାୟର

କଟକ: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ପୁଣି ଅଭିଯୁକ୍ତ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଝାରସୁଗୁଡା ଜେଏମଏଫସି କୋର୍ଟରେ ପ୍ରାର୍ଥନା କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ଆଜି କୋର୍ଟରେ ଆବେଦନ କରିଥିଲେ ତଦନ୍ତ ଅଧିକାରୀ । ତେବେ କ୍ରାଇମବ୍ରାଞ୍ଚର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି | ଅନ୍ୟପଟେ ଅଭିଯୁକ୍ତ ‌ଏଏସଆଇ ଗୋପାଳ ଦାସ ଓ ତାର ପରିବାରକୁ ସୁରକ୍ଷା ପ୍ରସଂଗ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି।

ଏ ସଂକ୍ରାନ୍ତରେ ଆଇନଜୀବୀ ସୁମନ୍ତ କୁମାର ସ୍ବାଇଁଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି ‌ଯେ ଗୋପଳର ଜୀବନ ପ୍ରତି ବିପଦ ରହିଛି। ତାକୁ ଯେ କୌଣସି ସମୟରେ କେହି ମାରି ଦେଇପାରେ। ଗୋପଳର ପରିବାର ସଦସ୍ୟମାନେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏଭଳି ସ୍ଥିତିରେ ଗୋପାଳର ସୁରକ୍ଷା ପ୍ରସଙ୍ଗ ଚିନ୍ତାଜନକ ସ୍ଥିତିରେ ରହିଛି। ଗୋପାଳକୁ ତୁରନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯାଉ। ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯିବା ଆବଶ୍ୟକ। ଗୋପାଳ ଉପରେ ନଜର ରଖାଯିବା ସହିତ ତାର ସୁରକ୍ଷା ସୁନିଶ୍ଚିତ କରାଯାଉ। ଏଥି ସହିତ ଗୋପଳର ପରିବାରର ସବୁ ସଦସ୍ୟଙ୍କୁ ମଧ୍ୟ ସୁରକ୍ଷିତ ରଖିବାକୁ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ନବ ଦାସ ଜଣେ ଲୋକପ୍ରିୟ ନେତା ଥିଲେ। ତାଙ୍କ ହତ୍ୟା ଏକ ଗୁରୁତର ଘଟଣା।

ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଏଏସଆଇ ଚାକିରି କରୁଥିବା ବେଳେ ପୁଲିସ ବିଭାଗ ଦ୍ବାରା ଅତୀତରେ ପୁରସ୍କୃତ ହୋଇଥିଲେ। ତାଙ୍କର ପୂର୍ବରୁ ଅପରାଧିକ କାର୍ଯ୍ୟକଳାପର କୌଣସି ପୁରୁଣା ରେକର୍ଡ ନାହିଁ। ତାଙ୍କର କୌଣସି ରାଜନୈତିକ ସଂପର୍କ ନଥିଲା। କିନ୍ତୁ ଏହି ଘଟଣାରେ ଗିରଫ ହେବା ପରେ ଗୋପଳକୁ ତଦନ୍ତକାରୀ ଏଜେନ୍ସି ନିର୍ଯାତନା ଦେଉଛି। କେତେ‌କ ରାଜନୈତିକ ଦଳ ଦ୍ବାରା ମଧ୍ୟ ଗୋପାଳ ନିର୍ଯାତିତ। ଗୋପାଳର ବିଭିନ୍ନ ପ୍ରକାର ଟେଷ୍ଟ କରାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଘଟଣା ପଛର କାରଣ ନେଇ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ତେଣୁ ଗୋପାଳଙ୍କ ଜୀବନ ଆଜି ବିପଦରେ। ତାଙ୍କୁ ଉପ‌ଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ପୁଲିସ ଡିଜି‌, ଜେଲ ଆଇଜି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *