ମହାନଗର

ରୁକୁଣା ରଥ ଅଣଲେଉଟା

ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ଗୁଣ୍ଡିଚା ମନ୍ଦିରଠାରେ ଦକ୍ଷିଣ ମୋଡ଼ ନେଇ ପଛକୁ ବୁଲିଥା’ନ୍ତି। କିନ୍ତୁ ରୁକୁଣା ରଥ ପଛକୁ ଘୂରିବା ବିଧି ନାହିଁ। ରାମେଶ୍ୱର ମନ୍ଦିର ନିକଟରେ ଏହି ରଥର ପଛପଟ ଦ୍ୱାରକୁ ଖୋଲିଦିଆଯାଏ ଏବଂ ରଥ ଉପରେ ସିଂହାସନକୁ ଘୂରାଇ ଦିଆଯାଏ। ତେଣୁ ରଥର ପଛଦ୍ବାର ଏମିତିରେ ସମ୍ମୁଖ ଦ୍ବାର ହୋଇଯାଏ ଏବଂ ବାହୁଡ଼ା ଦିନ ଏଠାରେ ଚାରି ଅଶ୍ବଙ୍କୁ ଯୋଚାଯିବା ପ‌ରେ ରଥ ଗଡ଼େ। ଏହି ରଥର ନିର୍ମାଣ ଶୈଳୀ ସେମିତି କରାଯାଇଥାଏ। ସେଥିପାଇଁ ଏହାକୁ ଅଣଲେଉଟା ରଥ ବୋଲି କୁହାଯାଏ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରୁକୁଣା ରଥରେ ସାରଥୀ ଭାବେ ‘ବ୍ରହ୍ମା’ ବିରାଜମାନ କରିଥା’ନ୍ତି। ଏହି ରଥର ଉଚ୍ଚତା ୩୫ ଫୁଟ୍‌ ହୋଇଥିବା ବେଳେ ଏଥିରେ ୪ଟି ଚକ, ୨ ଓରା, ୧୬ ନାହାକା ଓ ୫ଦଣ୍ଡା ରହିଥାଏ।

ପିଢ଼ା ପାଇଁ ସବୁ ଗଡ଼ିଗଲା

ବିଧି ଅନୁସାରେ ରଥ ପ୍ରତିଷ୍ଠା ପରେ ସମର୍ଥା ସେବାୟତ ରଥରେ କପଡ଼ା ଲାଗି କରିବା କଥା। ତେବେ ତା ପୂର୍ବରୁ ସମର୍ଥା ସେବାୟତଙ୍କୁ ପାଉଣା ପିଢ଼ା ମିଳିବା କଥା। ରଥ ନିର୍ମାଣ କାମରୁ ବଳିପଡ଼ିଥିବା କାଠରେ ଏହି ପିଢ଼ା ପ୍ରସ୍ତୁତ ହୋଇଥାଏ। କିନ୍ତୁ ଗତକାଲି ଅନ୍ୟ କେହି ଏହି ପିଢ଼ାକୁ ନେଇଯାଇଥିଲେ। ପାଳିଆ ସମର୍ଥା ସେବାୟତ ପିଢ଼ା ପାଇଁ ଅଳି କରି ବସିଗଲେ। ପିଢ଼ା ଖୋଜୁଖୋଜୁ ଅଢ଼େଇ ଘଣ୍ଟା ବିତିଗଲା। ସେପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗଦେଲେ ନାହିଁ। ନୀତି ବିଳମ୍ବ ହେବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସୁପରଭାଇଜର ଅନ୍ୟ ଏକ ନୂଆ ପିଢ଼ା ଆଣିଲେ ଏବଂ ବହୁ ବୁଝାସୁଝା କରିବା ପରେ ପାଳିଆ ସମର୍ଥା ସେବାୟତ ରାଜି ହେଲେ। ଏହା ଭିତରେ ରାତି ପାହିଗଲା। ପିଢ଼ା ପାଇବା ପରେ ସକାଳ ୭ଟାରେ ରଥରେ କପଡ଼ା ଲାଗି ହେଲା। ୭ଟା ୧୫ରେ ପ୍ରଭୁ ପଞ୍ଚବକ୍ରେଶ୍ବର ରଥ ନିର୍ମାଣ ସମୀକ୍ଷା କରିବାକୁ ଆସିଲେ।

ରଥ ଠିକ ଅଛି ବୋଲି ସେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଜଣାଇବା ପରେ ମନ୍ଦିରରେ ବଡ଼ସିଂହାର ବେଶ ହେଲା ଏବଂ ପହୁଡ଼ ପଡ଼ିଥିଲା। ସେତେବେଳ ପର୍ଯ୍ୟନ୍ତ ବିଭିନ୍ନ ନୀତି ବିଳମ୍ବ ଯୋଗୁ ମନ୍ଦିରରେ ରାତି ପହୁଡ଼ ପଡ଼ିନଥିଲା ଏବଂ ଠାକୁର ଶୟନ ଯାଇନଥିଲେ। ତେଣୁ ପହୁଡ଼ ପଡ଼ିବା ପରେ ସକାଳ ପ୍ରାୟ ସାଢ଼େ ୭ଟାରେ ଠାକୁର ଶୟନ ଗଲେ ଏବଂ ୮ଟାରେ ଉଠିଲେ। ଏହା ପରେ ପର୍ଯ୍ୟାୟକ୍ରମେ ମଙ୍ଗଳ ଆଳତି, ଅବକାଶ ନୀତି ସମ୍ପନ୍ନ ହେଲା ଏବଂ କିଛି ସମୟ ପାଇଁ ସାହାଣ ମେଲା ରହିଲା। ଏହାପରେ ପଛକୁ ପଛ ରୋଷହୋମ, ପାକ କାର୍ଯ୍ୟ, ଛାମୁ ପରିଷ୍କାର, ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯାଇଥିଲା। ଶ୍ରୀଜିଉଙ୍କ ବଲ୍ଲଭ, ମା’ ଗୋପାଳୁଣି (ଭୁବନେଶ୍ୱରୀ) ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ପରେ ସକାଳ ଧୂପ ନୀତି ହୋଇଥିଲା। ଏହା ପରେ ଭୋଗ ମଣ୍ଡପ ନୀତି ଓ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହୋଇଥିଲା। ଏମିତି ବିଳମ୍ବିତ ନୀତିକାନ୍ତି ପାଇଁ ଅପରାହ୍ନ ୩ଟାରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହେଲା। ମହାପ୍ରଭୁ ଅପରାହ୍ଣ ୪ଟାରେ ରଥାରୂଢ଼ ହେଲେ। ବିଗ୍ରହମାନେ ସିଂହାସନରେ ଉପବେଶନ ହେବା ପରେ ଚକ ପୂଜା, ଚାରିଦ୍ବାର ପୂଜା, ବ୍ରହ୍ମା ପୂଜା, ଅଶ୍ବ ପୂଜା, ଟେରା ପିଠା ନୀତି ହେଲା ଏବଂ ଏହାପରେ ଛେରା ପହରା କରାଯାଇଥିଲା। ରଥରେ ଚାରି ଅଶ୍ବ ବନ୍ଧା ଯିବା ପରେ ଚାରାମାଳ ଖୋଲା ଯାଇଥିଲା। ଅପରାହ୍ନ ୫ଟା ୧୮ମିନିଟ୍‌ରେ ଡାହୁକ ରଥ ସମ୍ଭାଳିଥିଲେ। ୫ମିନିଟ୍‌ ପରେ ଅର୍ଥାତ୍‌ ୫ଟା ୨୩ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇଥିଲା।

୧୦ ହଜାର ପାଣି ବୋତଲ ବାଣ୍ଟିଲା ବିଏମ୍‌ସି

ରୁକୁଣା ରଥ ଯାତ୍ରାରେ ଭକ୍ତଙ୍କ ସୁବିଧା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମେୟର ସୁଲୋଚନା ଦାସ, କମିସନର ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ଆଜି ସମସ୍ତ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ବିଏମ୍‌ସି ପକ୍ଷରୁ ସଫେଇ ପାଇଁ ବିଭିନ୍ନ ପର୍ଯ୍ୟାୟରେ ୧୦୦ ଜଣ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବିଏମ୍‌ସି ପକ୍ଷରୁ ୧୦ ହଜାର ପାଣିବୋତଲ ଭକ୍ତମାନଙ୍କୁ ବଣ୍ଟାଯାଇଛି। ଆଶୁ ଚିକିତ୍ସା କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି। ଭଜନ କାର୍ଯ୍ୟକ୍ରମ ପାଇଁ ମଞ୍ଚ ସହ ୧୨ ଶହରୁ ଅଧିକ ଦର୍ଶକ ବସିବା ବ୍ୟବସ୍ଥା କରାଯାଇଛି। ରଥଖଳାରେ ଦର୍ଶକଙ୍କ ନିମନ୍ତେ ଛାମୁଣ୍ଡିଆ, ସୂଚନାକେନ୍ଦ୍ର, ଓଡ଼ିଶୀ ନୃତ୍ୟ ପରିବେଷଣ ପାଇଁ ଲିଙ୍ଗରାଜ ମନ୍ଦିରର ଉତ୍ତର ଓ ମାଉସୀ ମା’ ମନ୍ଦିର ଠାରେ ସ୍ୱତନ୍ତ୍ର ମଞ୍ଚ କରାଯାଇଛି। ବିଏମ୍‌ସି ରିକ୍ରିଏସନ ସେଣ୍ଟର ତରଫରୁ ମୁକ୍ତେଶ୍ୱର ମନ୍ଦିର ପାଖରେ ଜଳ ଯୋଗାଣ କ୍ୟାମ୍ପ କରାଯାଇଛି। ଆଜି ଡେପୁଟି ମେୟର ମଞ୍ଜୁଲତା କହଁର ସମସ୍ତ କର୍ପୋରେଟରଙ୍କ ସମେତ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ଉପସ୍ଥିତ ଥିଲେ।

ଗୁଳୁଗୁଳି ପାଇଁ ଜଳ ସିଞ୍ଚନ

ଆଜି ମଧ୍ୟାହ୍ନ ସମୟରେ ଟାଣ ଖରା ହେଉଥିବାରୁ ରଥଦାଣ୍ଡରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା। ତେଣୁ ଠାକୁରଙ୍କ ପହଣ୍ଡି ବେଳେ ଲିଙ୍ଗରାଜ ମନ୍ଦିର ପରିସର, ମନ୍ଦିରରୁ ରଥ ପର୍ଯ୍ୟନ୍ତ ଓ ରଥ ଖଳାରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ ଜଳ ସିଞ୍ଚନ କରାଯାଇଥିଲା। ମନ୍ଦିର ଭିତରେ ସ୍ବେଚ୍ଛାସେବୀ ଓ ଏଏସ୍ଆଇ ପକ୍ଷରୁ ପାଣି ସିଞ୍ଚନ କରାଯାଇଥିବା ବେଳେ ମନ୍ଦିର ବାହାରେ ବିଏମ୍‌ସି ପକ୍ଷରୁ ପାଣି ପକାଯାଇଥିଲା। ତେବେ ରଥ ଟଣା ପୂର୍ବରୁ ସାଢ଼େ ୩ଟା‌ ବେଳକୁ କୋହଲା ପାଗ ହେଲା। ପ୍ରାୟ ୪ଟା ୪୦ ମିନିଟ୍‌ ସମୟରେ ଝିପିଝିପି ବର୍ଷା ହେବାରୁ ଭକ୍ତ, ଶ୍ରଦ୍ଧାଳୁମାନେ ଆଶ୍ବସ୍ତ ହୋଇଥିଲେ।

One thought on “ରୁକୁଣା ରଥ ଅଣଲେଉଟା

  • Sushanta Kumar Das

    Thanks for these crucial informations.

    Reply

Leave a Reply

Your email address will not be published. Required fields are marked *