ମୁଖ୍ୟ ଖବର

ଶାଗମାଛ ଦରରେ ସରକାର ଖଣି ଲିଜ ପ୍ରଦାନ କରୁଛନ୍ତି: ପ୍ରଫୁଲ ସାମନ୍ତରା

ରାୟଗଡା: ଓଡ଼ିଶା ସରକାର ରାଜସ୍ବ ବୃଦ୍ଧି ନାମରେ ରାଜ୍ୟର ଖଣିଜ ସଂପଦକୁ ଶେଷ କରିଦେବାକୁ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ଆଇନକୁ ଅମାନ୍ୟ କରି ଚାଲିଛନ୍ତି। ଏହାଦ୍ବାରା ରାଜ୍ୟ ସମ୍ବଳହୀନ ହୋଇଯିବ। ଏଥିସହ ରାଜ୍ୟରେ ଥିବା ନଦୀ ଓ ଝରଣା ଶୁଖିଯିବ ଓ ମରୁଭୂମିରେ ପରିଣତ ହେବ।ସେହି ପାହାଡ଼-ଝରଣା ଦ୍ବାରା ଜୀବିକା ପାଉଥିବା ଆଦିବାସୀ ଓ ଦଳିତମାନେ ଚାଷବାସ ଓ ଜୀବିକା ହରାଇବେ। ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଏହା କହିଛନ୍ତି।

ଶ୍ରୀ ସାମନ୍ତରା କହିଛନ୍ତି ଯେ, ବିନା ଗ୍ରାମସଭା ଓ ସମ୍ମତିରେ କାଶୀପୁର ବ୍ଲକର ସିଜିମାଲି ଓ କୁଟୀରମାଲି, ନନ୍ଦପୁର ବ୍ଲକର ବାଲଦା, କଳାହାଣ୍ଡିର କରଲାପାଟ, ମାଲକାନଗିରିର କୋତାମେଟା ଓ ଉଷ୍କଲଭାଗ ଖଣିକୁ। ଏହା ଜଂଗଲ ଅଧିକାର ଆଇନ ଓ ପେସାକୁ ଉଲଙ୍ଘନ କରୁଛି। ଏହି ଜଂଗଲ ଧ୍ବଂସ ହେଲେ ନଦୀ ଓ ଝରଣାରେ ଜଳର ଅଭାବ ସହ ପ୍ରଦୂଷଣ ହେବ ଓ ହଜାର ହଜାର ଆଦିବାସୀ, ଦଳିତମାନେ ଦୁର୍ବିସହ ହୋଇଯିବେ। ଏଥିସହ ଜଳବାୟୁ ପରିବର୍ତ୍ତନ ସଂକଟ ବଢିବ। ଭବିଷ୍ୟତ ପିଢିଙ୍କ ପାଇଁ କିଛି ରହିବ ନାହିଁ ବୋଲି ଶ୍ରୀ ସାମନ୍ତରାୟ କହିଥିଲେ। ଏବେ ବକସାଇଟ ବ୍ୟବହାର ପାଇଁ ଆଲୁମିନା ଉତ୍ପାଦନ କରୁଥିବା କମ୍ପାନି ପାଖରେ ୩୦ରୁ ୫୦ ବର୍ଷ ପାଇଁ ଖଣି ରହିଛି। ଏସବୁ ନୂଆ ଲିଜ ବଜାରରେ ବିକ୍ରି କରାଯିବାକୁ ଦିଆଯିବା ଦ୍ବାରା ପ୍ରାକୃତିକ ସଂପଦ ଲୁଟ ହେବ ଓ ରାଜ୍ୟ ସମ୍ବଳ ଶୂନ୍ୟ ହୋଇଯିବ।

ସରକାର ଯଦି ଖଣିରୁ ରାଜସ୍ବ ବୃଦ୍ଧି କରି ଚାଲିବେ ତାହା ରାଜ୍ୟ ଓ ଦେଶ ପାଇଁ ଅତି ସାଂଘାତିକ। ଶହେ ଟଂକା ରାଜସ୍ବ ମିଳିବା ପଛରେ ୧୦୦୦ ଟଂକା ଲୁଟ ହେବ। ବର୍ତ୍ତମାନ ଆଲୁମିନିୟମ ଷ୍ଟିଲରୁ ଅନେକ ଶିଳ୍ପ ହୋଇପାରିବ ତାହା ଓଡ଼ିଶାରେ ହେଉ ନାହିଁ କାହିଁକି ବୋଲି ପ୍ରଶ୍ନ କରିଥିଲେ। ପୁଣି ଇଣ୍ଟର ମିଡିଏଟେରୀ ଇଣ୍ଡଷ୍ଟ୍ରି ପାଇଁ ପୁଞ୍ଜି ନିବେଶ କାହିଁକି ହେଉ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଖଣି ଲୁଟରୁ ଶାସକ ଦଳକୁ କଳାଧନ ମିଳୁଛି। ଏବେ ଶାଶୁବୋହୁ ମାଳି ନିଲାମ ପାଇଁ ସରକାର ପ୍ରସ୍ତୁତ ହେଲେଣି। ବେଦାନ୍ତ, ବିର୍ଲା, ଜିନ୍ଦଲ ପରେ ଦେଶକୁ ଲୁଟୁଥିବା ଆଦାନୀକୁ ରାଜ୍ୟ ସରକାର କୁଟୁର ମାଳି ଓ ବଳଦା ଖଣି ଦେବା ପରେ ଏବେ ଶାଶୁ ବୋହୁ ମାଳି ଦେବାକୁ ଚକ୍ରାନ୍ତ କରୁଛନ୍ତି। ଏହାଦ୍ବାରା ୩୦ଟି ଝରଣା ଶୁଖିଯିବ, ଝଞ୍ଜାବତୀ ମରିବ ଓ ନାଗାବଳୀର ପାଣି ଶୁଖିବ। ହଜାର ହଜାର ଆଦିବାସୀ ସିଜିମାଳି, କୁଟୁର ମାଳି ଓ ଶାଶୁବୋହୁ ମାଳି ସୁରକ୍ଷା ସମାବେଶରେ ଆହ୍ବାନ ଦେଇଛନ୍ତି ଯେ ସରକାର ଅଗଣତାନ୍ତ୍ରିକ ନିଲାମ କରି ଦେଇଥିବା ଖଣି ଲିଜକୁ ପ୍ରତ୍ୟାହାର ନକଲେ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ। ସମସ୍ତ ରାଜନୈତିକ ଦଳର ନେତାମାନେ ଏଥିରେ ସାମିଲ ହେବା ଉଚିତ ବୋଲି ଶ୍ରୀ ସାମନ୍ତରା କହିଥିଲେ। ଅବିଭକ୍ତ କୋରାପୁଟ ଓ କଳାହାଣ୍ଡିର ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରହିବ।

Leave a Reply

Your email address will not be published. Required fields are marked *