ମହାନଗର

ରାମେଶ୍ବର ମନ୍ଦିରରେ ତିନି ଠାକୁର

ପୁରୁଣା ଭୁବନେଶ୍ୱର: ଗତକାଲି ବଢ଼େଇବାଙ୍କ ଛକରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟାରେ ରାମେଶ୍ୱର ମନ୍ଦିରରେ ପହଞ୍ଚିଛି। ବାଟରେ ରଥ ଦୁଇ ଦୁଇ ଥର ଦବିଥିବା ବେଳେ ଗୋଟିଏ ଚକରୁ ପଳଖା ଛାଡ଼ି ଯାଇଛି। କିନ୍ତୁ ଶକ୍ତିପୀଠ ଭାବେ ପରିଚିତ ରୁକୁଣା ରଥ ତିନି ଠାକୁରଙ୍କୁ ନିରାପଦରେ ନେଇ ମାଉସୀ ଘରେ ପହଞ୍ଚାଇଛି। ଅସୁର ରାଜା ତ୍ରିପୁରବିଜୟୀ ତ୍ରିପୁରାସୁରକୁ ବଧକରିବାକୁ ପ୍ରସ୍ତୁତ ହୋଇଥିବା ରୁକୁଣା ରଥ ଆଜି ପ୍ରତିବନ୍ଧକ ସତ୍ତ୍ବେ ରାମେଶ୍ବର ମନ୍ଦିରରେ ପହଞ୍ଚିଯାଇଛି। ଏହାପରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ଭଉଣୀ ଶକ୍ତିପ୍ରଦାୟିନୀ ମା’ ରୁକ୍ମିଣୀ ଓ ପ୍ରଭୁ ଶ୍ରୀଦୋଳଗୋବିନ୍ଦଙ୍କୁ ମାଉସୀ ଘର ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମାଉସୀମା’ ମନ୍ଦିରରେ ସେବାୟତମାନେ ଶ୍ରୀଜିଉମାନଙ୍କୁ ପହଣ୍ଡି କରି ନେବା ପରେ ଯଥାରୀତି ପୂଜାର୍ଚ୍ଚନା କରାଯାଇଛି। ରାମେଶ୍ବରଙ୍କ ସହ ଭେଟ ‌ଆଳତି ଓ ଶ୍ରୀଜିଉଙ୍କ ସିଂହାସନ ବିଜେ ନୀତି ଦର୍ଶନ କରି ଶ୍ରଦ୍ଧାଳୁମାନେ ଖୁସି ହୋଇଥିଲେ। ତିନି ଠାକୁର ରାମେଶ୍ବର ମନ୍ଦିରରେ ପହଞ୍ଚିବା ପରେ ସେଠାରେ ଅପୂର୍ବ ପରିବେଶ ସୃଷ୍ଟି ହୋଇଛି। ଶହଶହ ଭକ୍ତ ଓ ଶ୍ରଦ୍ଧାଳୁମାନେ ମାଉସୀ ଘରେ ତିନି ଠାକୁରଙ୍କୁ ଦର୍ଶନ କରି ମହାଆନନ୍ଦ ଲାଭ କରିଛନ୍ତି। ବର୍ଷକୁ ଥରେ ଏହି ଦିବ୍ୟ ଦର୍ଶନ ସୁଯୋଗ ଆସୁଥିବାରୁ ଏକାମ୍ର କ୍ଷେତ୍ରର ଅଧିବାସୀମାନେ ଆଜି ସନ୍ଧ୍ୟାରେ ରାମେଶ୍ବର ମନ୍ଦିରରେ ଭିଡ଼ କରିଛନ୍ତି।

ଆଜି ସକାଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସରିବା ପରେ ବଢ଼େଇବାଙ୍କ ଛକରେ ରୁକୁଣା ରଥ ଉପରେ ଶ୍ରୀଜିଉଙ୍କ ମଙ୍ଗଳ ଅାଳତି ଓ ଅବକାଶ ନୀତି କରାଯାଇଥିଲା। ରଥରେ ମହାପ୍ରଭୁଙ୍କ ସ୍ନାନ, ବେଶ ନୀତି ସହ ସକାଳ ଧୂପ କରାଯାଇଥିଲା। ରଥ ଦାଣ୍ଡରେ ପ୍ରଭୁଙ୍କ ଏଭଳି ପୂଜାର୍ଚ୍ଚନା ଦେଖିବାକୁ ଆଜି ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ବଢ଼େଇବାଙ୍କ ଛକରେ ଭିଡ଼ କରିଥିଲେ। ଗତକାଲି ସନ୍ଧ୍ୟାରୁ ରଥରେ ଲାଗିଥିବା ଶିଡ଼ିରେ ଚଢ଼ି ସେମାନେ ଠାକୁରଙ୍କୁ ଭୋଗ ଲାଗି କରିଥିଲେ। ସ୍ଥାନୀୟ ଲୋକମାନେ ପିଠା ଭୋଗ କରିଥିଲେ। ବଡ଼ କଥା ହେଉଛି ଲିଙ୍ଗରାଜ ମନ୍ଦିରରେ ଶକ୍ତି ପାଖରେ ଯେଉଁସବୁ ନୀତି ହେଉଥିଲା, ଏପଟେ ରଥରେ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ପାଖରେ ସେହିସବୁ ନୀତି କରାଯାଇଥିଲା। ଅପରାହ୍ନ ୩ଟା ୫ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇଥିଲା। ଗରାବଡ଼ୁସାହିଠାରେ ରଥ ପହଞ୍ଚିବା ବେଳକୁ ରଥ ଚକ ଦବି ଯିବାରୁ ପ୍ରାୟ ୪୫ମିନିଟ୍‌ ପାଇଁ ରଥ ଅଟକିଗଲା। ସେହିପରି ସରକାରୀ ପାଇଖାନା ନିକଟରେ ପହଞ୍ଚିବା ବେଳକୁ ରଥ ପୁଣି ଦବିଲା ଏବଂ ୨୫ମିନିଟ୍‌ ପାଇଁ ରଥ ଅଟକି ଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ୨୪ଘଣ୍ଟିଆ ପାଣି ପାଇପ୍‌ କାମ କରାଯାଇଥିବା ବେଳେ ଠିକଣା ଭାବେ ମରାମତି ହୋଇନଥିବାରୁ ରଥ ଚକ ବାରମ୍ବାର ଦବିଥିଲା। ରଥ ଉପରୁ ସେବାୟତମା‌ନେ ଓହ୍ଲାଇବା ପରେ ରଥକୁ ଟଣାଯାଇ ଦବିଥିବା ସ୍ଥାନରୁ ଉଠାଯାଇଥିଲା। ପ୍ରାୟ ସାଢ଼େ ୫ଟାରେ ରଥ ଅସୁଲ କିଆରିଠାରେ ପହଞ୍ଚିବା ପରେ ରଥରେ ମହାପ୍ରଭୁଙ୍କ ଦ୍ୱିପ୍ରହାର ଧୂପ କରାଯାଇଥିଲା। ଶେଷରେ ସନ୍ଧ୍ୟା ୬ଟା ୪୫ମିନିଟ୍‌ରେ ରଥ ରାମେଶ୍ବର ମନ୍ଦିରରେ ପହଞ୍ଚିଥିଲା। ଆଜି ଯାତ୍ରାରେ ବିଧାୟକ ସୁରେଶ କୁମାର ରାଉତରାୟ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସିପି ଅନିରୁଦ୍ଧ ରାଉତରାୟ, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ଓ ସେବାୟତମାନେ ରଥ ଟାଣି ନେଇଥିଲେ।

Leave a Reply

Your email address will not be published. Required fields are marked *