ମନୋରଞ୍ଜନ

ତିନି ବର୍ଷ ପରେ ସ୍ବଦେଶରେ ଫ୍ରିଡ଼ା

ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ଭାରତୀୟ ଅଭିନେତ୍ରୀ ଫ୍ରିଡ଼ା ପିଣ୍ଟୋ ତିନି ବର୍ଷ ପରେ ଭାରତକୁ ଆସିଛନ୍ତି। ଫ୍ୟାସନ୍ କମ୍ପାନି ‘ଖ୍ରୀଷ୍ଟିଆନ୍ ଡିଅର୍’ ଦ୍ବାରା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ଯାହାକୁ ଭାରତୀୟ ସଂସ୍କୃତି ପ୍ରତି ଉତ୍ସର୍ଗ କରାଯାଇଛି। ଏଥିରେ ଯୋଗ ଦେବା ଲାଗି ଫ୍ରିଡ଼ାଙ୍କୁ ନିମନ୍ତ୍ରିତ କରାଯାଇଥିଲା। ଖାସ୍ ଏଥିପାଇଁ ସେ ନିଜ ପରବର୍ତ୍ତୀ ସିନେମାର ପ୍ରସ୍ତୁତିରୁ ବିରତି ନେଇ କିଛି ଦିନ ପାଇଁ ମୁମ୍ବାଇ ଆସିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇକୁ ଆସି ସେ ଖୁବ୍ ଉତ୍ସାହିତ।ଏକ ଅନ୍ତର୍ଜାତୀୟ ଫ୍ୟାସନ୍ ବ୍ରାଣ୍ଡ୍‌ ଯେତେବେଳେ ଭାରତର ଅବଦାନକୁ ଉତ୍‌ଥାପନ କରୁଛି ସେତେବେଳେ ତାହାକୁ ସମର୍ଥନ କରିବା ଲାଗି ଫ୍ରିଡ଼ା ଆଗେଇ ଆସିଛନ୍ତି। ତାଙ୍କ ମତରେ ଭାରତୀୟ କଳା ଓ କ୍ରୀଡ଼ା ଲାଗି ଏହା ଏକ ସଫଳ ବର୍ଷ ହୋଇସାରିଛି, ତେଣୁ ଭାରତୀୟ ଫ୍ୟାସନ୍ ବା କାହିଁକି ଏହି ତାଲିକାରୁ ବାଦ ପଡ଼ିବ? ‘ସ୍ଲମ୍‌ଡଗ୍ ମିଲିଓନେର୍’ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଫ୍ରିଡ଼ାଙ୍କ ଲୋକପ୍ରିୟତା ଅନ୍ତର୍ଜାତୀୟ ସ୍ତରକୁ ପହଞ୍ଚିଯାଇଥିଲା। ସେ ଆଗକୁ ନିଜ ପ୍ରଯୋଜନା ସଂସ୍ଥା ଜରିଆରେ ‘ଦି ହେନା ଆର୍ଟିଷ୍ଟ’ ନାମକ ଧାରାବାହିକ ଏବଂ ହୁମା ଆବେଦିନଙ୍କ ବାୟୋପିକ୍‌ର ପ୍ରସ୍ତୁତି ଚଳାଇଛନ୍ତି। ଭାରତ ଆସିବା ପୂର୍ବରୁ ସେ ନ୍ୟୁୟର୍କ ଵିମେନ୍ ଇନ୍‌ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ପକ୍ଷରୁ ମ୍ୟୁଜ୍ ସମ୍ମାନ ପାଇଥିଲେ।

Leave a Reply

Your email address will not be published. Required fields are marked *