ରାଜନୀତି

ନବ ଦାସଙ୍କ ଝିଅ ଦୀପାଳିଙ୍କୁ ମିଳିଲା ବିଜେଡି ଟିକେଟ୍‌

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ହେଲା ପରେ ବିଜୁ ଜନତା ଦଳ (ବିଜେଡି) କାହାକୁ ପ୍ରାର୍ଥୀ କରିବ ସେ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରଥମ ଦଳ ଭାବେ ନିଜର ପ୍ରାର୍ଥୀ ଘୋଷଣା କରିଛି। ସ୍ବର୍ଗତ ସ୍ବାସ୍ବ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରୁ ଦୀପାଳି ଦାସଙ୍କୁ ଟିକେଟ୍‌ ମିଳିଥିବା ନେଇ ଶୁକ୍ରବାର ପ୍ରକାଶ କରିଛନ୍ତି  । ବିଜେଡିର ପ୍ରାର୍ଥୀ ଘୋଷଣା ହେଲା ପରେ ଖୁବ ଶୀଘ୍ର ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଦଳ ନିଜନିଜର ପ୍ରାର୍ଥୀ ଘୋଷଣା କରିବେ ବୋଲି ଆଶା କରାଯାଉଛି।

ସ୍ବର୍ଗତ ନବ ଦାସଙ୍କ ମୃତ୍ୟୁ ପରେ ଗତ ଜାନୁଆରି ୨୯ ତାରିଖଠାରୁ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି। ନିର୍ବାଚନ କମିସନ ପକ୍ଷରୁ ଗତ ୨୯ ତାରିଖରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲା। ଏଠାରେ ଆସନ୍ତା ମେ’ ୧୦ରେ ମତଦାନ ହେବ। ୧୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ନିର୍ବାଚନ ତାରିଖ ଘୋଷଣା ହେଲା ପରେ ଦୀପାଳି ଦାସ ଗତ ୨୯ ତାରିଖ ଦିନ ଗଣମାଧ୍ୟମକୁ କହିଥିଲେ ଯେ, ‘ଆଜିକୁ ଠିକ୍‌ ୨ ମାସ ତଳେ ବାପାଙ୍କ ଦେହାନ୍ତ ହୋଇଥିଲା। ଠିକ୍‌ ଦୁଇ ମାସ ପରେ ଉପନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏହା ଆମ ସମସ୍ତଙ୍କ ପାଇଁ ବେଶ ଭାବପ୍ରବଣର ଦିନ। ଆମେ କେବେ ଭାବି ନଥିଲୁ ଯେ ବାପାଙ୍କ ଆସନରେ ଉପନିର୍ବାଚନ ହେବ। ଆମ ପରିବାର ଉପରେ ବାପାଙ୍କ ଆଶୀର୍ବାଦ ରହିଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ପୂରା ଭରସା ରହିଛି। ତେଣୁ ସେ ଯାହାକୁ ବି ନିର୍ଦ୍ଦେଶ ଦେବେ ବା ପ୍ରାର୍ଥୀ କରିବେ, ଆମ ପରିବାର ତାଙ୍କୁ ସମର୍ଥନ ଦେବ। ମୁଁ, ମୋ ଭାଇ ଓ ମୋ ମା’ ସମସ୍ତେ ନବ ପରିବାର। ଆମ ପରିବାର ଉପରେ ଝାରସୁଗୁଡ଼ାବାସୀଙ୍କ ପ୍ରେମ, ସେହ୍ନ ଓ ଆଶୀର୍ବାଦ ରହିଛି। ବାପାଙ୍କ ପ୍ରତି ମଧ୍ୟ ସେମାନଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ତେଣୁ ଆମେ ସବୁ କିଛିକୁ ଦେଖି ଫୁଲ ଦମରେ ଲଢ଼ିବୁ।

ଦୀପାଳିଙ୍କୁ ବିଜେଡି ସୁପ୍ରିମୋ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦଳ ପ୍ରତିକ୍ରିୟା ଦେଇଛି। ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲିକଙ୍କ ଦମ୍ଭୋକ୍ତିର ସହ କହିଛନ୍ତି ଏହି ଉପନିର୍ବାଚନରେ ବିଜେଡି ୫୦ ହଜାରରୁ ଅଧିକ ଭୋଟରେ ଜିତିବ। ଦୀପାଳି ଜଣେ ଉଚ୍ଚଶିକ୍ଷାତା ମହିଳା। ବିରୋଧୀଙ୍କ ଉପରେ ଭାରି ପଡିବେ। ସିମ୍ପାଥି ଫ୍ୟାକଟର କାମ କରିପାରେ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବୈଠକ ଡାକିଛନ୍ତି। ରଣନୀତି ନେଇ ଯାହା ପ୍ରସ୍ତୁତ ହେବ ଓ ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ତାକୁ ନେଇ ଆମେ ନିର୍ବାଚନି ମଇଦାନରେ କାର୍ଯ୍ୟକାରୀ କରିବୁ। ସେହିପରି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି ନିର୍ବାଚନ ଏକ ପାଖିଆ ହେବ।

ସୂଚନାଯୋଗ୍ୟ, ଝାରସୁଗୁଡ଼ାରେ ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ଅଛନ୍ତି। ଏଥିରୁ ପୁରୁଷ ଭୋଟର ୧ ଲକ୍ଷ ୧୦ ହଜାର ୩୨୦ ହୋଇଥିଲା ‌ବେଳେ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୧୦ ହଜାର ୬୮୭। ଏହି ତାଲିକାରେ ୮୦ ବର୍ଷରୁ ଊର୍ଦ୍ଧ ବ୍ୟକ୍ତି ୪୦୭୪ ଜଣ ଥିବା ବେଳେ ୨୫୨୬ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ସେହିପରି ତୃତୀୟ ଲିଙ୍ଗୀ ୬୩ ଜଣ ରହିଛନ୍ତି। ୨୫୩ ପୁଲିଂ ସେଣ୍ଟର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ନିର୍ବାଚନ ସମୟରେ ଖରାଦିନ ଥିବାରୁ ଗୀଷ୍ମ ପ୍ରବାହ ଦୃଷ୍ଟିରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ପୁଲିଂ ସେଣ୍ଟରରେ ପିଇବା ପାଣି, ଇଲେକ୍ଟ୍ରି, ରାମ୍ପ, ଶୌଚାଳୟ, ସମେତ ଗ୍ରୀଷ୍ମ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଯେତିକି ଇଭିଏମ ଆବଶ୍ୟକ ହେବ ଯୋଗାଇ ଦିଆଯିବ। ସମ୍ଭାବ୍ୟ କୋଭିଡ଼ ସ୍ଥିତି ପାଇଁ ସ୍ବାସ୍ଥ୍ୟ ବିଭାଗ ଯାହା ଉପଦେଶ ସେ ହିସାବରେ କାମ କରାଯିବ। ପୁଲିସ ଡିଜିଙ୍କ ସହ ଆଲୋଚନା କରି ନିର୍ବାଚନକୁ ସ୍ଵଚ୍ଛ ଏବଂ ଅବାଧ ପାଇଁ ଚେଷ୍ଟା କରାଯିବ।

Leave a Reply

Your email address will not be published. Required fields are marked *