ଦେଶ- ବିଦେଶ

ମାଗଣା ଅଟା ପାଇଁ ଦଳାଚକଟା, ୧୨ ମୃତ

କରାଚି : ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ଖାଦ୍ୟ ପାଇଁ ହିଂସା ଆରମ୍ଭ ହୋଇଯାଇଛି । ଖାଦ୍ୟସାମଗ୍ରୀ ପାଇଁ ଲୋକମାନେ ପରସ୍ପର ମଧ୍ୟରେ ଲଢେଇ ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି । ଶୁକ୍ରବାର ରାତିରେ କରାଚି ସହରରେ ରମଜାନ ଉପଲକ୍ଷେ ମାଗଣା ଅଟା ବଣ୍ଟନ ହେଉଥିଲା । ମାଗଣା ଅଟା ପାଇଁ ଏତେ ଲୋକ ଜମା ହୋଇଗଲେ ଯେ ସେମାନଙ୍କ ମଧ୍ୟରେ ଦଳାଚକଟା ଓ ସଂଘର୍ଷ ଆରମ୍ଭ ହୋଇଗଲା । ଏଥିରେ ୧୨  ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଦୁର୍ଭାଗ୍ୟଜନକ କଥା ହେଉଛି ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଅଛନ୍ତି । ଏହି ଘଟଣାରେ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି ।

କରାଚିର ସିନ୍ଧ ଇଣ୍ଡଷ୍ଟ୍ରିଆଲ ଆଣ୍ଡ ଟ୍ରେଡିଂ ଇଷ୍ଟେଟ (ଏସଆଇଟିଇ) ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନିର କର୍ମଚାରୀଙ୍କ ପରିବାର ମଧ୍ୟରେ ମାଗଣା ବଣ୍ଟନ ସମୟରେ ଏହି ଦଳାଚକଟା ଓ ସଂଘର୍ଷ ହୋଇଥିଲା ।

କେମାରୀ ପୁଲିସ ଏକ ବିବୃତ୍ତିରେ ମୃତକଙ୍କ ସଂଖ୍ୟା କୁ ସ୍ବୀକାର କରିବା ସହ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ଓ ଆହତଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା କହିଛି । ୭ ଜଣ ମହିଳା ଓ ୨ ଜଣ ବାଳକଙ୍କ ସମେତ ୯ ଜଣଙ୍କ ମୃତଦେହକୁ ଅବ୍ବାସି ସହିଦ ହସ୍ପିଟାଲକୁ ଅଣାଯାଇଛି ବୋଲି ପୁଲିସ ସର୍ଜନ ଡାକ୍ତର ସୁମୟ ସୟଦ ସୂଚନା ଦେଇଛନ୍ତି।

କେମାରୀର ବରିଷ୍ଠ ପୁଲିସ ଅଧୀକ୍ଷକ ଫିଦା ହୁସେନ୍ ଜାନୱାରୀ କହିଛନ୍ତି ଯେ କମ୍ପାନି ପକ୍ଷରୁ ଏହାର କର୍ମଚାରୀଙ୍କ ପରିବାରକୁ ମାଗଣା ବଣ୍ଟନ ପାଇଁ ନିମନ୍ତ୍ରଣ କରିଥିଲା। ଏହା ଜାଣି ଅନେକ ଲୋକ ଏକାଠି ହୋଇଯାଇଥିଲେ । ଫଳରେ ଦଳାଚକଟା ହୋଇଥିଲା ।

Leave a Reply

Your email address will not be published. Required fields are marked *