ଅପରାଧ

ନକଲୀ ସାର କାରଖାନା ଠାବ: ୯ଗିରଫ

ବରଗଡ଼ : ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଜାମମାଲ ଗ୍ରାମରେ ଶୁକ୍ରବାର ପୋଲିସ ଏକ ନକଲୀ ସାର କାରଖାନା ଠାବ କରିଛି । ସେଠାରୁ ଗୋଟିଏ ଟାଟା ପିକ୍‌ଅପ୍‌ ଗାଡ଼ି(ଓଡ଼ି୨୧ଏଚ୍‌ ୫୯୫୪), ୨୫କି.ଗ୍ରା ବିଶିଷ୍ଟ ୬୦ ପକେଟ୍‌ ଲୁଣ, ୩୪ପକେଟ୍‌ ନକଲୀ ପଟାସ୍‌(ଏମଓପି) ସାର, ଏମଓପି ଲେଖାଥିବା ୩୬ପ୍ଲାଷ୍ଟିକ ବସ୍ତା, ଗୋଟିଏ କଲର ପକେଟ୍‌, ୨ଖାଲି କଲର ପକେଟ୍‌, ୬୦ଖାଲି ଲୁଣବସ୍ତା, ପକେଟ୍‌ ସିଲ୍‌ କରିବା ମେଶିନ, ଓଜନ ମାପକ ଯନ୍ତ୍ର ଏବଂ ୭ମୋବାଇଲ ଫୋନ ଜବତ ହୋଇଛି ।
ଉକ୍ତ ଘଟଣାରେ ପୋଲିସ ୯ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ, ଗାଇସିଲେଟ ଥାନା ଜାମମାଲ ଗ୍ରାମର ହୃଷିକେଶ ସାହୁ(୩୦), ବଡ଼ସାହାଜବାହାଲ ଗ୍ରାମର ଆକାଶ ସାହୁ(୨୭), ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଡୁମେରପାଲି ଗ୍ରାମର ବିଶ୍ୱାମିତ୍ର ସାହୁ(୨୪), ବାବୁଲୁ ତରିଆ(୨୪), ଡୁଙ୍ଗୁରିପାଲି ଥାନା କର୍ଲାଜୁରୀ ଗ୍ରାମର ଭରତ ସାହୁ(୨୪), କାର୍ତ୍ତିକ ସାହୁ(୩୭), ସୁନିଲ ସାହୁ(୨୬), ବଲାଙ୍ଗିର ଜିଲା ଆଗଲପୁର ଥାନା ମହୁଲପାଲି ଗ୍ରାମର ସତ୍ୟବାଦୀ ସାହୁ(୨୪) ଏବଂ ଲୋଇସିଂହା ଥାନା ଗଣ୍ଡପାଲି ଗ୍ରାମର ଗୌରାଙ୍ଗ ସାହୁ(୩୦) । ସେମାନଙ୍କ ବିରୋଧରେ ଗାଇସିଲେଟ ଥାନାରେ ଦଫା ୪୮୨, ୪୮୫, ୪୮୬, ୪୮୭, ୪୮୮, ୪୨୦, ୩୪ଆଇପିସି ଏବଂ ୭ଅତ୍ୟାବଶ୍ୟକୀୟ ଆଇନରେ ଏକ ମାମଲା(ନଂ-୫୩/୨୩) ରୁଜୁ ହୋଇଛି ।ଏ ନେଇ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ସୂଚନା ଦେଇ କହିଥିଲେ, ଜାମମାଲ ଗ୍ରାମରେ ନକଲୀ ପଟାସ୍‌ ସାର ପ୍ରସ୍ତୁତ କରି ବିକ୍ରି ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଫଳରେ ଏସପି ପି.ଏସ୍‌ ମିନାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସେଠାରେ ଚଢ଼ାଉ କରିଥିଲା ଏବଂ ନକଲୀ ସାର ସହିତ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିଲା । ହୃଷିକେଶ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ତତ୍ତ୍ବାବଧାନରେ ନକଲୀ ସାର ପ୍ରସ୍ତୁତ କରାଯାଇ ପକେଟ୍‌ ପ୍ରତି ୧୨୦୦ ଟଙ୍କାରେ ବିକ୍ରି କରାଯାଉଥିଲା । ତେବେ କେବଳ ଚାଷୀମାନେ ସେଠାକୁ ଯାଉଥିଲେ, ତାହା ନୁହେଁ, ଏହି ନକଲୀ ସାର କାରଖାନାରୁ ବିଭିନ୍ନ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ମଧ୍ୟ ତାହା ଯୋଗାଇ ଦିଆଯାଉଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସଡ଼ିପିଓ ଭୋଇ କହିଛନ୍ତି । ଏହି କ୍ରମରେ ଘେଁସ୍‌ସ୍ଥିତ ଶଙ୍କର ଟ୍ରେଡ଼ର୍ସ ସାର ଦୋକାନକୁ ୧୪୦ପକେଟ୍‌ ନକଲୀ ସାର ଯାଇଥିବା ତଦନ୍ତରୁ ଜଣାପଡ଼ିଛି । ଏହା ଜଣାପଡ଼ିବା ପରେ ସେହି ଦୋକାନକୁ ସିଲ୍‌ ସହିତ ଲାଇସେନ୍ସ ରବ୍ଦ ପ୍ରକିୟା ଚାଲିଛି ବୋଲି ଏସଡ଼ିପିଓ ଭୋଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *