ସାହିତ୍ୟ

*🍁ମହାଯାତ୍ରା🍁*

ଥୁରୁ ଥୁରୁ ଶୀତ। ଡିସେମ୍ବର ତିନି ତାରିଖ ରାତି।ନିଦ ଭାଙ୍ଗି ଗଲା ମୋର ପ୍ରବଳ ଗହଳ ଚହଳ ଓ କନ୍ଦାକଟା ରେ। ଅସ୍ୱାଭାବିକ ଭିଡ଼ ଆମ ଘରେ।ରାତିଟା ରେ ଏତେ ଲୋକ ଏଠି କଣ କରୁଛନ୍ତି ! ଆହୁରି ଆଶ୍ଚର୍ଯ୍ୟ ମୁଁ ଇତୁ ଆଣ୍ଟି ଙ୍କ ବେଡ୍ ରେ ଶୋଇଛି ! ଏଠିକୁ କେମିତି ଆସିଲି ! ପୁଣି କାହିଁକି ଆସିଲି ! ଇତୁ ଅପା ବି ବେଡ୍ ରେ ନାହିଁ ! ମୋ ବାପା ମାଆଙ୍କ ବିନା ମୋତେ ନିଦ ହୁଏନାହିଁ ; ଏକଥା ତ ସମସ୍ତେ ଜାଣିଛନ୍ତି। ବେଡ୍ ରେ ସି ସି କରି ଦେଲି କି ! ଦିନେ ଦିନେ ହାଣ୍ଡିଏ ଲେଖାଏଁ ସି ସି କରି ଦିଏ ବୋଲି ମାଆ ଆଣି ଜେଜେମା ଓ ଜେଜେବାପା ଙ୍କ ପାଖରେ ଶୁଆଇ ଦିଏ। ଏତେ ଶୀତରେ ବୋଧେ ସି ସି କରି ଦେଇଛି।କିନ୍ତୁ ସି ସି କଲା ଦିନ ମୋ ପିନ୍ଧା ଓଦା ପ୍ୟାଣ୍ଟ୍ ତ ବଦଳା ଯାଇଥାଏ । ଆଜିର ସେଇ ଏକା ପ୍ୟାଣ୍ଟ୍ ତ ପିନ୍ଧିଛି! ଶୋଇଲା ବେଳେ ଦେହରେ କିଛି ପିନ୍ଧିବାକୁ ମୋତେ ଭଲ ଲାଗେ ନାହିଁ। ଅଦ୍ଭୁତ ଲଙ୍ଗଳା ହୋଇ ଶୁଏ । ଏବେ ଟିକେ ବଡ଼ ହେଲା ରୁ ବାଧ୍ୟ କରି ମାଆ ପ୍ୟାଣ୍ଟ୍ ଟିଏ ପିନ୍ଧାଇ ଦିଏ। କୁହେ ଖାଲି ଦେହ କଲେ ସ୍ୱପ୍ନରେ ତୋ ପାଖକୁ ପରି ଆସିବ ନାହିଁ।ପରି ସ୍ୱପ୍ନ ଦେଖିବାକୁ ମୋତେ ଭାରି ଭଲ ଲାଗେ । ତା ଡେଣାରେ ବସି କୁଆଡ କୁଆଡେ ସ୍ୱପ୍ନରେ ବୁଲେ । ଏମିତି ନିଦ ଶୁଏ ଯେ ଲାଳ ଗଡି ମୋ ଦୁଇ ପଟ ଗାଲରେ ଜରି ବାନ୍ଧିଲା ପରି ହୋଇଯାଇଥାଏ। ଗଧଙ୍କ ପରି ଶୁଏ ବୋଲି ଦିନେ ଦିନେ ସି ସି କରି ବୁଡ଼େଇ ଦିଏ ବେଡ୍ ଓ ଓଦା ହୋଇ ଯାଆନ୍ତି ବେଶୀ ବାପା। କାହିଁକିନା ବାପାଙ୍କ ଉପରେ ଗୋଡ଼ ନଦି ଗୁଡେଇ ହୋଇ ଶୋଇଥାଏ ପ୍ରତିଦିନ। ଯେମିତି ଆମ ବାଡ଼ିରେ ଗାଧୁଆ ଘର ପାଖ ଆମ୍ବ ଗଛରେ ଗୁଡେଇ ହୋଇଛି ଦେଶୀଆଳୁ ଲଟା ।ସି ସି କରିଦେଲେ କେବେ କେବେ ମାଆ ବିରକ୍ତ ହୁଏ। ବାପା କିନ୍ତୁ କୁହନ୍ତି ପିଲା ଲୋକ।ସ୍ୱପ୍ନ ଦେଖି ଡରି ଯାଇ ସି ସି କରି ଦେଇଥିବ। ମାଆ କୁହେ ତୁମରି ମୁହଁ ପାଇ ‘ଧ୍ଵନି’ ଆଜି ଏମିତି।ମୋତେ ବହୁତ ଖରାପ ଲାଗେ ଏ ଅଭ୍ୟାସ ପାଇଁ । ସ୍କୁଲ୍ ଯାଇ ୟୁ-କେଜି ରେ ପଢିଲିଣି। ସିନି ,ପିହୁ,ଇଶାନ୍, ସିଟି, କୁହୁ, ଫୈଜ୍ ଆଦି ମୋ ସାଙ୍ଗ।ସେମାନେ ଯଦି ଜାଣିଦେବେ ତ ଚିଡ଼େଇବେ। ଏ ହେ ବ୍ୟାଡ୍ ବଏ ଧ୍ଵନି ବୋଲି ସମସ୍ତେ କହିବେ। ଏଣୁ ଯଥାସାଧ୍ୟ ସି ସି ନ କରିବାକୁ ମନସ୍ଥ କରି ଶୁଏ ତ ଦିନେ ଦିନେ ବର୍ତ୍ତି ପାରେ ନାହିଁ ଏଇ ସି ସି କରିବାରୁ।ପ୍ୟାଣ୍ଟ୍ ବଦଳା ହୋଇନି ଅର୍ଥ ମୁଁ ସି ସି କରି ନାହିଁ । ମୋତେ କିଛି ଭଲ ଲାଗିଲା ନାହିଁ। କାନ୍ଦ ବୋବାଳି ରାତିର ପରିବେଶକୁ ଆହୁରି ଭୟଙ୍କର କରି ଦେଉଥାଏ। ଭୟରେ ଭେମା ରଡି ଛାଡ଼ିଲି ମାଆ । ମୋ କାନ୍ଦ ଶୁଣି ଦଉଡି ଆସିଲେ ଜେଜେ। ମୋତେ କମ୍ବଳରେ ଭଲ କି ଘୋଡେଇ ଥାପୁଡ଼େଇ ଦେଇ କହିଲେ ଶୋଇ ପଡ଼ ଧନ ଅନେକ ରାତି ଅନିଦ୍ରା ହେବାକୁ ଅଛି ତୋତେ ।ମୋତେ ନିଦ ହେଉ ନ ଥିଲା ।ପଚାରିଲି ଜେଜେ ଆଜି କଣ କି ? ଏତେ ରାତିରୁ ପାଟି ତୁଣ୍ଡ ? ସମସ୍ତେ କାନ୍ଦୁଛନ୍ତି କାହିଁକି ? ସି ସି କରି ନ ଥିଲେ ମଧ୍ୟ ଇତୁ ଆଣ୍ଟିଙ୍କ ବେଡ୍ ରେ ଶୋଇଛି ? ଜେଜେ ମୋତେ କମ୍ବଳ ସହ ଉଠେଇ ଛାତିରେ ଜାକି ଲୁହେଇ ଗଲେ। ମୁଁ କମ୍ବଳ କାଢି ବେଡ୍ ତଳକୁ ଆସିବାକୁ ବ୍ୟଗ୍ର ହେଲି । ଜେଜେ ଟାଣି ଧରି କହିଲେ, ରହ କୁଆଡ ଯାଉଛୁ ? ମୋତେ କାଖେଇ ନେଇ ବେଡ୍ ରୁମ୍ ବାହାରକୁ ଗଲେ।ଏଁ ଏତେ ଲୋକ ! ଆଦ୍ରିକା ଆଣ୍ଟି ଓ ବିଭବ ଅଙ୍କଲ୍ ! ମୋ ମାମୁଁ ମାଇଁ ,ଆମ ଗାଁ ଲୋକଙ୍କ ସହ ଆଖ ପାଖର କେତେ ଲୋକେ ରୁଣ୍ଡ ! ଖାଲି ରୁଣ୍ଡ ନୁହଁ ସମସ୍ତେ କାନ୍ଦ କାନ୍ଦ ! ଜେଜେ ମାଆ ଇତୁ ଆଣ୍ଟି କାନ୍ଦି କାନ୍ଦି ଆଖି ଫୁଲିଛି। ଆଉ ମୋ ବାପା ମାଆ ! ତାଙ୍କୁ ତ ଦେଖିବାକୁ ପାଉନି ! ଆମ ବେଡ୍ ରୁମ୍ କବାଟ ଅଧା ଆଉଜା । ଜେଜେଙ୍କ କାଖରୁ ଓହ୍ଲେଇ ପଡି ଆମ ବେଡ୍ ରୁମକୁ ଦୌଡ଼ି ଗଲି। ବାପା ଚୁପ୍ ଚାପ୍ ଶୋଇଛନ୍ତି ଧଳା ଚଦର ଟିଏ ଘୋଡ଼ି ହୋଇ । ବାପା ତ ଏଠି ଶୋଇଛନ୍ତି, ମୋତେ କାଇଁ ଏଠୁ ନେଇ ଇତୁ ଆଣ୍ଟି ବେଡ୍ ରେ ଶୁଆଇଲେ? କିଛି ବୁଝି ପାରୁ ନଥାଏ କଣ ହେଉଛି। ବେଡ୍ ଉପରକୁ ଉଠି ଯାଇ ଡାକିଲି ବାପା ରାତି ପାହିଲାଣି ଶୋଇଛ କଣ ଫୁଲ ପାଇଁ ଆଜି ଯିବିନି କି ? ଉଠ ବାପା ମୋତେ ବ୍ରସ୍ କରି ଦେବ।ଯେତେ ଡାକିଲେ ବାପା ଉଠୁ ନଥିଲେ।ଅନ୍ଧାର ଚିରି ରାତି ପାହି ପାହି ଆସୁଥିଲା। ମାଆ ମାଆ ରାହା ଧରି କାନ୍ଦିଲି ଯଦିଓ ମିସ୍ କହିଛନ୍ତି କାନ୍ଦିବା ବ୍ୟାଡ ହାବିଟ୍ । ଲୋକେ କୁହା କହି ହେଉଥିଲେ ତେତିଶି ବର୍ଷର ଭେଣ୍ଡା ଟୋକାଟା ହାର୍ଟ ଆଟାକ୍ ରେ ଚାଲିଗଲା। ଧ୍ୱନି ଓ ତା ମାଆ କଣ କରିବେ !!ମଝି ଘର ଭିତରୁ ମୋ କାନ୍ଦ ଶୁଣି ମାଆର ବୁକୁ ଫଟା କରୁଣ ଚିତ୍କାର ଶୁଭିଲା। ମାଆ ବାରମ୍ବାର ବେହୋସ୍ ହୋଇ ଯାଉଥିଲା । ମାଆ ପାଖକୁ ଦୌଡ଼ି ଗଲି। ମାଆ ମୋତେ ଧରି ଧ୍ଵନି …ବାପା କହି ପୁଣି ବେହୋସ୍ ହୋଇଗଲେ। ଦାଦା ମୋତେ କାଖେଇ ନେଇ କହିଲେ ଚାଲେ ତୋର ମୋର ଫୁଲ ତୋଳିବା। ବଗିଚାକୁ ସିନା ନେଇଗଲେ ଗଛ କିନ୍ତୁ ଛୁଆଇଁ ଦେଲେନି । କିଛି ସମୟ ପରେ ଲମ୍ବା ଧଳା ଗାଡିଟିଏ ଆମ ଦାଣ୍ଡ ଆଗରେ ଥୁଆ ହେଲା ଯେଉଁଥିରେ ଲେଖା ହୋଇଥିଲା ” ମହାଯାତ୍ରା।”ଦାଦା ଏ ମହାଯାତ୍ରା ଗାଡିଟି କାହିଁକି ଆସିଛି ?ଆମେ ପିକନିକ୍ ଯିବା କି ? ନାଁ ରେ ଧ୍ୱନି ଏଥିରେ ତୋ ବାପା ପୁରୀ ଯିବେ ମହାଯାତ୍ରା ରେ।ମୁଁ ବାପାଙ୍କ ସାଙ୍ଗେ ପୁରୀ ଯିବି କହି ଛାଟି ପିଟି ହେଲି ଦାଦାଙ୍କ କାଖରେ। ଦାଦା ଲୁହ ଲୁହ।ଇତୁ ଆଣ୍ଟି ଡାକିଲେ ସାନଭାଇ ଧ୍ୱନିକୁ ଆଣି ଆସ ସେ ବଡ଼ ଭାଇଙ୍କୁ ମାଟି ଦେବ। ଦାଦା ମୋତେ ଆମ ବେଡ୍ ରୁମକୁ ନେଇ ମୋ ହାତରେ ମୁଠାଏ ମାଟି ଦେଇ ବାପାଙ୍କୁ ଉପରକୁ ଫିଙ୍ଗି ଦେଲେ।ଏ କଣ କରୁଛ ? ମୋ ବାପାଙ୍କୁ ଅସନା କରୁଛ କହି ଦାଦାଙ୍କ କାଖରୁ ଖସି ବାପାଙ୍କ ଉପରକୁ ମାଟି ଗୁଡା ଝାଡି ଦେଇ ବାପାଙ୍କ ପେଟ ଉପରେ ଶୋଇ ପଡ଼ିଲି। ବାପା ଉଠ ବାପା। ଏମାନେ ତୁମକୁ ଅସନା କରୁଛନ୍ତି। ମୋ କାନ୍ଦରେ ସାରା ଗାଁ, ଗଛ ,ପତର, ପବନ ବି କାନ୍ଦୁଥିଲେ।ଆମ ପଡିଶା ଘର ବିନ ଦାଦା ମୋତେ ଜୋର ଜବରଦସ୍ତ ବାପାଙ୍କ ଦେହରୁ ଅଲଗା କରି ନେଇ ଚାଲିଗଲେ ଛକକୁ। କିଛି ସମୟ ପରେ ସେଇ ବାଟ ଦେଇ ମହାଯାତ୍ରା ଗାଡିଟି ଚାଲିଗଲା ମୋରି ଆଖି ଆଗରେ।ସେବେଠାରୁ ବାପା ଆଉ ଫେରି ନାହାଁନ୍ତି ସେ ମହାଯାତ୍ରାରୁ। ମୁଁ କିନ୍ତୁ ପ୍ରତି ମୁହୂର୍ତ୍ତରେ ବାପା ଫେରିବେ ଅପେକ୍ଷା ରଖେ। ମାତ୍ର ସେଇ ଦିନଠାରୁ ଆଉ ମୁଁ ବାପାଙ୍କୁ ଦେଖିନି । ବାପା ସତରେ କୁଆଡେ ଗଲେ ଯାହାକୁ ପଚାରେସମସ୍ତେ କେବଳ ଉତ୍ତର କାନ୍ଦରେ ଦିଅନ୍ତି। ବେଶୀ ମୋ ମାଆ।

              

     

    

     

  

Leave a Reply

Your email address will not be published. Required fields are marked *