ମୁଖ୍ୟ ଖବର

ରାହୁଲ ଗାନ୍ଧିଙ୍କୁ ଆଶ୍ବସ୍ତି : ମାନହାନି ମାମଲା ଦଣ୍ଡାଦେଶ ସ୍ଥଗିତ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ମିଳିଲା ଆଶ୍ବସ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୯ରେ ‘ମୋଦୀ’ ସାଙ୍ଗିଆକୁ ପ୍ରସଙ୍ଗରେ ଦେଇଥିବା ମାନହାନି ସୂଚକ ମନ୍ତବ୍ୟକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ କରିଥିବା ଅପରାଧିକ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ ହେବା ପରେ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ।  ଆଜି ସେ ଏହି ରାୟ ବିରୋଧରେ ସୁରଟ ସେସନ୍ସ କୋର୍ଟରେ କରିଥିବା ଆବେଦନର ଶୁଣାଣି ହୋଇ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ପାଇଥିବା ବେଳେ ତାଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ମିଳିଛି। ରାହୁଲଙ୍କ ମାମଲା ଲଢ଼ୁଥିବା ଓକିଲ ରୋହନ ପାନୱାଲା ଏହା ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ତାଙ୍କୁ (ରାହୁଲ ଗାନ୍ଧି) କୋର୍ଟ ଜାମିନ ପ୍ରଦାନ କରିଛନ୍ତି (୨୦୧୯ ମାନହାନି ମାମଲାରେ)। ଦଣ୍ଡାଦେଶ ଉପରେ ମଧ୍ୟ ରୋକ ଲଗାଇଛନ୍ତି ଅଦାଲତ। ଏବେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବା ଆବେଦନର ଶୁଣାଣି ଏପ୍ରିଲ ୧୩ ତାରିଖକୁ ଧାର୍ଯ୍ୟ କରାଯାଇଛି ବୋଲି  ପାନୱାଲା ସୂଚନା ଦେିଛନ୍ତି। ରାହୁଲ ଗାନ୍ଧୀ ଏପ୍ରିଲ ୧୩ରେ କୋର୍ଟ ଶୁଣାଣିରେ ଉପସ୍ଥିତ ରହିବେ ନାହିଁ ବୋଲି ଜଣାପଡ଼ିଛି। ସେହିପରି ଦୋଷୀସାବ୍ୟସ୍ତ ହେବା ଉପରେ ରହିତାଦେଶ ଲାଗି କରାଯାଇଥିବା ଆବେଦନର ଶୁଣାଣି ମେ ୩ ତାରିଖରେ ହେବ।

ସୂଚନାଯୋଗ୍ୟ, ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ ଗୁଜରାଟର ସୁରଟର ଜିଳ୍ଲା ଅଦାଲତ। ଏହି ରାୟକୁ ଚାଲେଞ୍ଜ କରି ସେ ଆଜି ସୁରଟର ଏକ ସେସନ୍ସ କୋର୍ଟରେ ଆବେଦନ କରିଛନ୍ତି। ସୁରଟରେ ରାହୁଲ ଗାନ୍ଧିଙ୍କ ଲିଗାଲ୍‌ ଟିମ୍ ଦୁଇଟି ଆବେଦନ କରିଛି। ପ୍ରଥମତଃ ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଉପରେ ରହିତାଦେଶ ଲାଗି ଆବେଦନ ହୋଇଛି। ଏହାପରେ ଦଣ୍ଡାଦେଶକୁ ସ୍ଥଗିତ କରିବାକୁ ଅବେଦନ କରାଯାଇଛି। ଯଦି ଅଦାଲତ ଦଣ୍ଡାଦେଶକୁ ସ୍ଥଗିତ ରଖନ୍ତି ତେବେ ରାହୁଲଙ୍କ ଲୋକସଭା ସାଂସଦ ପଦ ଜାରି ରହିବା ବାଟ ଫିଟିବ। ତେଣେ ଅଦାଲତ ଅପରାଧିକ ମାନହାନି ମାମଲା ଦାୟର କରିଥିବା ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀଙ୍କୁ ରାହୁଲଙ୍କ ଆବେଦନ ଉପରେ ଏପ୍ରିଲ ୧୦ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଏହାର ଶୁଣାଣି ଏପ୍ରିଲ ୧୩ରେ ହେବ ଏବଂ ରାହୁଲ ଗାନ୍ଧି ବ୍ୟକ୍ତିଗତ ଭାବେ ହାଜର ହେବାର ଆବଶ୍ୟକତା ନାହିଁ ବୋଲି ସେସନ୍ସ କୋର୍ଟ କହିଛନ୍ତି।

Leave a Reply

Your email address will not be published. Required fields are marked *