ରାଜ୍ୟ

ମା ମଙ୍ଗଳାଙ୍କ ମନ୍ଦିରରେ ଚତୁର୍ଥ ପାଳିଯାତ୍ରାରେ ପାଟୁଆ ଓ କାଳିକା ନୃତ୍ୟ


ନିମାପଡ଼ା: ଆଜି ଚୈତ୍ର ମାସ ର ଚତୁର୍ଥ ବା ଶେଷ ମଙ୍ଗଳବାର।ପାରମ୍ପରିକ ପ୍ରଥାନୁସାରେ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ପାଳିତ ହୋଇଛି ଚତୁର୍ଥ ବା ଶେଷ ପାଳି ଯାତ୍ରା। ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଇଥିଲା। ବଲ୍ଲଭ ନୀତି ପରେ ସକାଳ ଧୂପ, ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଙ୍କ ଦର୍ଶନ ପାଇଁ ମନ୍ଦିର ସାହାଣମେଲା କରାଯାଇଥିଲା । ମାତୃଭକ୍ତ ମାନେ ଉତ୍ତର ଓ ସିଂହ ଦ୍ୱାର ଦେଇ ବ୍ୟାରିକେଟ ମଧ୍ୟରେ ଧାଡ଼ି ରେ ମନ୍ଦିର ଗର୍ଭଗୃହ କୁ ଯାଇ ମା ଙ୍କର ଚନ୍ଦନ ବେଶ ଦର୍ଶନ କରିଥିଲେ। ସୀମନ୍ତିନୀ ମହିଳାମାନେ ମନ୍ଦିର ବେଢାରେ ନିଜ ସ୍ବାମୀ ଓ ପରିବାର ର ମଙ୍ଗଳ କାମନା କରି ପନ୍ଥେଇ ପୂଜା କରିଥିଲେ। ଦିନ ପ୍ରାୟ ୧ଟା ବେଳକୁ ଝଙ୍କଡ ପୀଠ ରୁ ଆସିଥିବା ରାଉଳ ସେବକ ମାନେ ଓ ସ୍ଥାନୀୟ ଅଞ୍ଚଳ ର ଭୋଇ ପାଟୁଆ ମାନେ ଏକ ଶୋଭାଯାତ୍ରା ରେ ପ୍ରାଚୀ ନଦୀ ର ଘଣ୍ଟ ତୋଳା ତୁଠ କୁ ଯାଇ ପାଣି ତୋଳି, ଘାଟ ସ୍ଥାପନା କରି ମନ୍ଦିର କୁ ଆସିଥିଲେ। ମା ଙ୍କର ଆଜ୍ଞାମାଳ ପାଇବା ପର ପାଟୁଆ ମାନେ ଘଣ୍ଟ, ଢୋଲ ଓ କାହାଳୀ ହରିବୋଲ, ହୁଳହୁଳି ଶବ୍ଦ ମଧ୍ଯରେ ଘଣ୍ଟ ପାଟୁଆ ନୃତ୍ୟ କରିଥିଲେ।
ମଧ୍ଯରାତ୍ରି ସମୟରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଜଣେ ଖମାରେଇ ସେବକ ନିଜକୁ ମହାକାଳୀ ବେଶରେ ସଜ୍ଜିତ କରି ଖଡ୍ଗ ଧାରଣ ପୂର୍ବକ ଘଣ୍ଟ, ଢୋଲ, ମହୁରୀ, ମଶାଲ ମଧ୍ୟରେ ମା ଙ୍କ ଆଜ୍ଞାମାଳ ପାଇବା ପରେ ମନ୍ଦିର ବେଢ଼ାରେ ଓ ସେବକ ସାହି ଦାଣ୍ଡ ରେ କାଳିକା ନୃତ୍ୟ ପ୍ରଦର୍ଶନ କରିଥିଲେ।
ତା ପରେ ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ଓ ବଡସିଂହାର ପରେ ଭ୍ରମଣୀ ନୀତି ଅନୁଷ୍ଠିତ ହୋଇଥିଲା।ମା’ ଙ୍କର ବଡସିଂହାର ଧୂପ ସରିବା ପରେ ମନ୍ଦିର ପହୁଡ଼ ପଡିଥିଲା। ଦିନରେ ପାଟୁଆ ନୃତ୍ୟ ଓ ରାତିରେ କାଳିକା ନୃତ୍ୟ ଦେଖି ମାତୃ ଭକ୍ତ ମାନେ ବିମୋହିତ ହୋଇ ପଡ଼ିଥିଲେ। ଶେଷ ପାଳି ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପୂଜା ପଣ୍ଡା ଭାବେ ସର୍ବେଶ୍ଵର ପାଢ଼ୀ ମାଙ୍କ ସମସ୍ତ ନୀତି କାନ୍ତି ସମ୍ପନ୍ନ କରିଥିବାବେଳେ ପାଳିଆ ପଣ୍ଡା ଭାବେ ଅଶୋକ କୁମାର ପଣ୍ଡା କାର୍ଯ୍ୟ ତୁଲାଇଥିଲେ। ଆସନ୍ତା ୧୧ ତାରିଖ ଦିନ ମନ୍ଦିର ରେ ମା ଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇ ଏକ ମାସ ବ୍ୟାପି ଅନୁଷ୍ଠିତ ଚୈତ୍ର ଯାତ୍ରା ଶେଷ ହେବ ବୋଲି କହିଛନ୍ତି ମା ଙ୍କ ପୂଜକ ତୁଷାର ରଞ୍ଜନ ଦିକ୍ଷୀତ।

Leave a Reply

Your email address will not be published. Required fields are marked *