ମନୋରଞ୍ଜନ

ସୋନୁ ନିଗମକୁ ଦୁର୍ବ୍ୟବହାର ଘଟଣାରେ ବିଧାୟକଙ୍କ ପୁଅ ଗିରଫ

ମୁମ୍ବାଇ: ‌ସୋମବାର ରାତିରେ ଏକ ସଂଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସୋନୁ ନିଗମ ଓ ତ‌ାଙ୍କ୍‌ ଟିମ୍‌ ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ସ୍ବପ୍ନିଲ୍‌ ପ୍ରକ‌ାଶ ଫ‌ଟେରପେକର୍‌ଙ୍କୁ ଗିରଫ କରିଛି। ସ୍ବପ୍ନିଲ୍‌ ହେଉଛନ୍ତି ଚେମ୍ବୁରର ବିଧାୟକ ପ୍ରକାଶ ଫ‌ଟେରପେକର୍‌ଙ୍କ ପୁଅ।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ସ୍ପପ୍ନିଲ୍‌ ସୋନୁଙ୍କ ସହ ଏକ ଫଟୋ ଉଠାଇବାକୁ ତାଙ୍କ ନିକଟକୁ ଯାଇଥିଲେ। ହେଲେ କଣ୍ଠଶିଳ୍ପୀଙ୍କ ଟିମ୍‌ର ସଦସ୍ୟ ତାଙ୍କୁ ଚିହ୍ନିନପାରି ସୋନୁଙ୍କ ପାଖକୁ ସ୍ବପ୍ନିଲ୍‌ଙ୍କୁ ଛାଡ଼ିନଥିଲେ। ଏହି କଥାକୁ ନେଇ ବିଧାୟକଙ୍କ ପୁଅ ସ୍ବପ୍ନିଲଙ୍କ ସମର୍ଥକ ଓ ସୋନୁ ନିଗମଙ୍କ ଟିମ୍‌ ମଧ୍ୟରେ ବିବାଦ ଉପୁଜିିଥିଲା।

ତାପରେ ସୋନୁ ଏବଂ ତାଙ୍କ ଟିମ୍‌ ସେଠାରୁ ସିଧା ପୁଲିସ୍‌ ଷ୍ଟେସନ୍‌ ଯାଇଥିଲେ। ତେବେ ପୁଲିସ୍‌ ଏତଲା ଗ୍ରହଣ କରିବା ପରେ ଭିଡିଓଟିର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ କରି ପୁଲିସ୍‌ ସ୍ବପ୍ନିଲଙ୍କୁ ଗିରଫ କରିଛି।

ସୂଚନା ରହିଛି ଯେ ସୋନୁ ଏବଂ ତାଙ୍କ ଦଳ ଚେମ୍ବୁରରେ ଶିବସେନା (ୟୁଟିବି) ନେତା ପ୍ରକାଶ ଫ‌ଟେରପେକର୍‌ଙ୍କ ଦ୍ବାରା ଆୟୋଜିତ ହୋଇଥିବା ଏକ ସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଏପରି ଅଘଟଣ ଘଟିଥିଲା।

ତେବେ ଏ ନେଇ ପ୍ରକାଶ ଫ‌ଟେରପେକର୍‌ ବୟ‌ାନ ଦେଇ କହିଥିଲେ ଯେ ‘ସେପରି କିଛି ବି ଘଟି ନାହିଁ। ସୋନୁ ନିଗମ ମଞ୍ଚରୁ ତଳକୁ ଆସିବା ବେଳେ କିିଛି ଲୋକ ତାଙ୍କ ସହ ସେଲ୍‌ଫି ନେବାକୁ ତାଙ୍କୁ ଭିଡ଼ାଟଣା କରିଥିଲେ। ସେହି ମସୟରେ ଅନ୍ୟ କିଛି ଲୋକ ଭୁଲ୍‌ବଶତଃ ତାଙ୍କ ଟିମ୍‌ର ଜଣଙ୍କୁ ଟାଣିକି ତଳକୁ ନେଇ ଆସିଥିଲେ।’

ହେଲେ ସୋନୁ ନିଗମ ଅଭିଯୋଗ ଆଣିଥିଲେ ଯେ ପ୍ରକାଶ ଫ‌ଟେରପେକର୍‌ଙ୍କ ପୁଅ ହିଁ ତାଙ୍କ ସହ ଏବଂ ତାଙ୍କ ଟିମ୍‌ ସହ ଏପରି ଦୁର୍ବ୍ୟବହାର କରିଛନ୍ତି।

Leave a Reply

Your email address will not be published. Required fields are marked *