ରାଜ୍ୟ

କାନପୁର ରେ ମାଇପି ମେଳା ଅନୁଷ୍ଠିତ


ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଛଣିଜଙ୍ଗ ପଞ୍ଚାୟତ ର କାନପୁର ଠାରେ ମାଇପି ମେଳା ଆଜି ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି ମେଳା ର ବିଶେଷତ୍ଵ ହେଉଛି ଏଠାରେ ଥିବା ବରଗଛ ମୂଳରେ ଗୁହାରିଆ ପଡ଼ିଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି ।ପ୍ରାୟ ତିନି ପୁରୁଷ ଧରି ଏଠାରେ ମେଳା ହୋଇଆସୁଛି ।ପଚାଶ ଖଣ୍ଡ ଗ୍ରାମର ଜନସାଧାରଣ ଏହି ମେଳା କୁ ଆସି ବଟ ଗୋସାଇଁ ଙ୍କୁ ପୂଜା କରିଥାନ୍ତି ।କୌଣସି ପୁରୁଣା ରୋଗ ରୁ ମୁକ୍ତି ପାଇବାକୁ ଅଥବା ଅପୁତ୍ରିକ ମହିଳା ପୁତ୍ର ପ୍ରାପ୍ତି ଲାଗି ବଟ ଗୋସାଇଁ ଙ୍କ ନିକଟରେ ରାତି ଚାରିଟା ରୁ ଆସି ଗୁହରିଆ ପଡିଥାନ୍ତି । ଠାକୁର ଙ୍କ ପାଖରେ ଭୋଗ ଲାଗି, ଅନ୍ୟାନ୍ୟ ନିତିକାନ୍ତି ସରିବା ପରେ ପୂଜକ ଫୁଲ ପାଣି ନେଇ ସେମାନଙ୍କୁ ଉଠାଇ ଫୁଲ ଓ ପାଣି ଦେଇ ମନବାଞ୍ଛା ପୂର୍ଣ୍ଣ ହେଉ ବୋଲି କହିଥାନ୍ତି ।ଗଛମୂଳେ ଥିବା ଏହି ବଟ ଗୋସାଇଁ ଙ୍କ ମହିମା ଅପାର ବୋଲି କହନ୍ତି ପୂଜକ ପ୍ରଦୀପ୍ତ ଦାସ ଓ ପୂର୍ବତନ ସରପଂଚ ସ୍ଵପ୍ନେଶ୍ୱର୍ ଲେଙ୍କା ,ପୂର୍ବତନ ସମିତି ସଭ୍ୟ ଭରତ ପ୍ରଧାନ ।ଗତ ଦୁଇବର୍ଷ ହେଲା କରୋନା କଟକଣା ହେତୁ ମେଳା ବନ୍ଦ ଥିବା ବେଳେ ଚଳିତ ବର୍ଷ କଟକଣା ନଥିବାରୁ ବଟ ଗୋସାଇଁ ଙ୍କ ପୀଠ ଠାରେ ମେଳା ଲାଗିଥିବା ବେଳେ ଭୋଗ ଓ ଦୀପ ଦୋକାନ ମାନ ଖୋଲିଛି ।ଗ୍ରାମକମିଟି ପକ୍ଷରୁ ଜଳଚ୍ଛତ୍ର ଖୋଲାଯାଇଛି ଓ ନାମଯଜ୍ଞ ଅନୁଷ୍ଠିତ ହେଉଛି।ନିମାପଡ଼ା ପୋଲିସ ପକ୍ଷରୁ ମେଳାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *