ମୁଖ୍ୟ ଖବର

ମୋ କବର ଖୋଳିବାକୁ ଧମକ ଦେଲେଣି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାଦଶାହୀ ମିଜାଜ୍‌ର ଲୋକେ ଏଥର ମୋ କବର ଖୋଳିବାକୁ ଧମକ ଦେଲେଣି ବୋଲି ଆଜି ‘ବିଜେପି’ର ୪୩ତମ ସ୍ଥାପନା ଦିବସରେ ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ବ‌େଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି।

ଆଜି ସମଗ୍ର ଦେଶରେ ହନୁମାନ ଜୟନ୍ତୀ ପାଳନ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ କହିଲେ, ତାଙ୍କ ଦଳ ହନୁମାନଙ୍କଠାରୁ ଏବଂ ହନୁମାନଙ୍କ ପାରିବାର ମନୋଭାବରୁ ପ୍ରେରଣା ପାଏ। ହନୁମାନ ରାକ୍ଷସମାନଙ୍କ ସହିତ ଲଢ଼ିବା ପରି ଆମେ ଦୁର୍ନୀତି ଓ ବଂଶବାଦ ରାଜନୀତି ବିରୋଧରେ ଭୀଷଣ ସଂଗ୍ରାମ କରିବୁ। ‘ବିଜେପି’ ହେଉଛି ଏମିତି ଏକ ଦଳ ଯିଏ ସର୍ବୋପରେ ଦେଶର ସ୍ବାର୍ଥକୁ ବଡ଼ ବୋଲି ବିବେଚନା କରେ।

ସେ ଆହୁରି ମଧ୍ୟ କହିଲେ, ବିଗତ ବର୍ଷମାନଙ୍କରେ ଅନେକ ରାଜନୈତିକ ଦଳ ନ୍ୟାୟ ଉପରେ ରାଜନୀତି କରିଛନ୍ତି, କିନ୍ତୁ ସାମାଜିକ ନ୍ୟାୟ ‘ବିଜେପି’ର ସ୍ଲୋଗାନ୍‌ ନୁହେଁ। ଉକ୍ତ ଦଳର ନେତାମାନେ କେବଳ ପରିବାରର ମଙ୍ଗଳ ନିମନ୍ତେ କାର୍ଯ୍ୟ କରିଛନ୍ତି। କିନ୍ତୁ, ‘ବିଜେପି’ ପାତରଅନ୍ତର କରେନାହିଁ।

‘ବିଜେପି’ର ସ୍ଥାପନାକୁ ନୂତନ ରାଜନୈତିକ ଧାରା କହି ପ୍ରଧାନମନ୍ତ୍ରୀ କହିଲେ, କଂଗ୍ରେସର ଧାରା କ’ଣ? କେବଳ ବଂଶବାଦ ରାଜନୀତି। କିନ୍ତୁ, ‘ବିଜେପି’ର ରାଜନୈତିକ ଧାରା ହେଉଛି ସମସ୍ତଙ୍କୁ ସାଥିରେ ଧରି ବଡ଼ ଆଶା କରିବା ଓ ବଡ଼ ସଫଳତା ହାସଲ କରିବା।

୨୦୧୪ରେ ଯାହା ଘଟିଲା ତାହା ଖାଲି ଭାରତରେ ପହରାଦାର ପରିବର୍ତ୍ତନ ନୁହେଁ। ତାହା ଥିଲା ଶହ ଶହ ବର୍ଷର ଦାସତ୍ବରୁ ମୁକ୍ତ ନୂତନ ଯୁଗ ଆଡ଼କୁ ଭାରତର ଗତିଶୀଳତା। ୧୯୪୭ରେ ବ୍ରିଟିସ୍‌ ଦେଶ ଛାଡ଼ିଲେ, କିନ୍ତୁ କିଛି ଲୋକଙ୍କ ଭିତରେ ଦାସତ୍ବ ମନୋବୃତ୍ତି ଛାଡ଼ିଗଲେ। ସୋମାନେ ବାଦଶାହୀ ମିଜାଜ୍‌ ବା ମନୋଭାବକୁ ପରିପୁଷ୍ଟ କରି ଦେଶବାସୀଙ୍କୁ ଗୋଲାମ୍‌ ବୋଲି ବିଚାରିଲେ।

ପ୍ରଧାନମନ୍ତ୍ରୀ ପୁଣି କହିଲେ, ମୁଁ ସ୍ବଚ୍ଛ ଭାରତ କଥା କହିଲା ବେଳେ ସେ ବାଦଶାହୀ ମିଜାଜ୍‌ର ଲୋକେ ମତେ ଉପହାସ କଲେ। ସେମାନେ ମୋ ‘ଡିଜିଟାଲ୍‌ ଇଣ୍ଡିଆ’ ଚିନ୍ତାଧାରାକୁ ସନ୍ଦେହ କରି ବିଦ୍ରୂପ କଲେ। ଧାରା ୩୭୦ ଅତୀତର କଥା ହେବ ବୋଲି ସେମାନେ ପରିକଳ୍ପନା ବି କରି ପାରି ନ ଥିବେ। ସେମାନେ ବର୍ଷ ବର୍ଷ ଧରି ଯାହା କରି ନ ପାରିଲେ ସେଥିରେ ‘ବିଜେପି’ର ସଫଳତା ଦେଖି ସେମାନେ ଅସହିଷ୍ଣୁ ହୋଇ ଉଠିଲେ। ଏବେ ସେମାନେ ମିଥ୍ୟା ଅପପ୍ରଚାର କରୁଛନ୍ତି।

ସେମାନେ ଏତେ ହତାଶ ହୋଇ ପଡ଼ିଛନ୍ତି ଯେ, ଏଥର ସେମାନେ ଖାଲି କହୁଛନ୍ତି କି, ମୋଦୀ ତୋ କବର ଖୋଳିବୁ। ମୁଁ କହି ରଖୁଛି ଯେ, ଏ ଧରଣର ଲୋକେ ଆମ ବିରୋଧରେ ଷଡ଼ଯନ୍ତ୍ର ଜାରି ରଖିପାରନ୍ତି କିନ୍ତୁ, ଗରିବ, ବଞ୍ଚିତ, ଦଳିତ ଓ ଜନଜାତିମାନେ ‘ପଦ୍ମ’କୁ ରକ୍ଷା କରୁଥିବ‌ା କଥା ସେମାନେ ଜାଣନ୍ତି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *