ମନୋରଞ୍ଜନ

ପପୁ ପମ୍‌ପମ୍‌ଙ୍କ ମଞ୍ଚ ଉପରକୁ ପଥର ମାଡ଼ ଘଟଣା: ଚିହ୍ନଟକାରୀଙ୍କ ତଣ୍ଟି କାଟିଲା ଅଭିଯୁକ୍ତ

ଚିକିଟି: ପ୍ରଖ୍ୟାତ ହାସ୍ୟାଭିନେତା ପପୁ ପମପମଙ୍କ ମଞ୍ଚ ଉପରକୁ ପଥର ମାଡ଼ କରିଥିବା ବ୍ୟକ୍ତି ଚି଼ହ୍ନଟ ହୋଇଛନ୍ତି। ଆଜି ଗାଁରେ ଉକ୍ତ ଲୋକକୁ ଦଣ୍ଡବିଧାନ ଲାଗି ଗ୍ରାମସଭା ବସିବାର କାର୍ଯ୍ୟକ୍ରମ ଥିଲା। ଷ୍ଟେଜକୁ ପଥର ମାଡ଼ କରିଥିବା ଦୁର୍ବୃତ୍ତକୁ ସୁରଳ ଗ୍ରାମର ଜଣେ ବ୍ୟକ୍ତି ଚିହ୍ନଟ କରିଥିଲେ। ଏକଥା ଜାଣିବା ପରେ ଅଭିଯୁକ୍ତ ଚି଼ହ୍ନଟକାରୀଙ୍କର ତଣ୍ଟି କାଟି ଦେବା ସହ ମୁଣ୍ଡରେ ଏକ ପଥର ଛେଚି କୂଅରେ ପକାଇ ଦେଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଗାଁ ଲୋକେ ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ପୀଡ଼ିତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଜାଗରଯାତ୍ରା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ହୋଇ ଆସିଥିବା ପ୍ରଖ୍ୟାତ ଓଡ଼ିଆ ହାସ୍ୟାଭିନେତା ପପୁ ପମପମଙ୍କ ମଞ୍ଚ ଉପରକୁ ପଥର ମାଡ଼ ହୋଇଥିଲା। ତେବେ ପଥର ପପୁଙ୍କ କାନ୍ଧର କିଛି ଇଞ୍ଚ ବ୍ୟବଧାନରେ ଯାଇ ଡିଜିଟାଲ୍ ଡିସ୍ପ୍ଲେ ବୋର୍ଡ଼କୁ ବାଜିବାରୁ ତାହା ଭାଙ୍ଗି ଯାଇଥିଲା। ଏହାସହ ଆଉ ଏକ ପଥର ମଞ୍ଚ ଉପରେ ଅନ୍ୟ ଜଣେ ଯୁବକଙ୍କୁ ବାଜିଥିଲା। ଫଳରେ ସୁରକ୍ଷା ଦୃଷ୍ଟିରୁ ପପୁ କାର୍ଯ୍ୟକ୍ରମ ଅଧାରୁ ପଳାଇଥିଲେ। ଗ୍ରାମରେ ମୁକ୍ତେଶ୍ବର ମହାଦେବଙ୍କ ଦୁଇଦିନିଆ ଜାଗର ଯାତ୍ରା ହେଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା।

Leave a Reply

Your email address will not be published. Required fields are marked *