ରାଜନୀତି

ବରିଷ୍ଠ ନେତା ଏକେ ଆଣ୍ଟୋନିଙ୍କ ପୁଅ ଯୋଗ ଦେଲେ ବିଜେପିରେ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନି ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରିକୁ ସମାଲୋଚନା କରି ଟୁଇଟ୍‌ କରିବା ପରେ ସେ ଜାନୁଆରିରେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ଭି ମୁରଲୀଧରନ ଏବଂ ବିଜେପିର କେରଳ ୟୁନିଟ୍‌ ମୁଖ୍ୟ କେ ସୁରେନ୍ଦ୍ରନ ଗୁରୁବାର ଆୟୋଜିତ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ନେତାଙ୍କୁ ସେମାନଙ୍କ ଦଳରେ ସ୍ୱାଗତ କରିଥିଲେ।

ବିବିସି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ପରେ ଦଳ ଛାଡ଼ିବା ପୂର୍ବରୁ ଅନୀଲ ଆଣ୍ଟୋନି କେରଳରେ କଂଗ୍ରେସର ସୋସିଆଲ ମିଡିଆ ସେଲ୍‌ ଚଳାଉଥିଲେ। ଏହି ଡକ୍ୟୁମେଣ୍ଟାରିରେ ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ଉପରେ ନଜର ପକାଯାଇଛି। ଅନୀଲ ବିବିସିର ଏହି ଡକ୍ୟୁମେଣ୍ଟାରିକୁ ସମାଲୋଚନା କରିବା ସହ ଏହା ଭାରତ ବିରୋଧୀ ବୋଲି କହିଥିଲେ।

ଡକ୍ୟୁମେଣ୍ଟାରିକୁ ବିରୋଧ କରି ଅନୀଲ ଆଣ୍ଟୋନି କହିଥିଲେ ଯେ ଭାରତୀୟ ଅନୁଷ୍ଠାନ ଉପରେ ବ୍ରିଟିଶ ବ୍ରଡକାଷ୍ଟରଙ୍କ ମତାମତ ରଖିବା ଦେଶର ସାର୍ବଭୌମତ୍ୱକୁ କ୍ଷୁଣ୍ଣ କରିଛି। ସେ ତାଙ୍କ ନିଜର ଟ୍ଵିଟର ହାଣ୍ଡଲରେ ଲେଖିଥିଲେ, ବିଜେପି ସହ ବହୁ ମତଭେଦ ସତ୍ତ୍ୱେ ମୁଁ ଭାବୁଛି ଯେଉଁମାନେ ପୂର୍ବାଗ୍ରହର ଦୀର୍ଘ ଇତିହାସ ଥିବା ରାଜ୍ୟ ପ୍ରାୟୋଜିତ ଚ୍ୟାନେଲ ବିବିସି ଏବଂ ଇରାକ ଯୁଦ୍ଧ ପଛର ମସ୍ତିଷ୍କ ଜ୍ୟାକ୍‌ ଷ୍ଟ୍ରୋଙ୍କ ମତାମତକୁ ଅନୁଷ୍ଠାନ ଉପରେ ଏକ ବିପଜ୍ଜନକ ପ୍ରାଥମିକତା ଦେଉଛନ୍ତି, ସେମାନେ ଆମ ସାର୍ବଭୌମତ୍ୱକୁ ଦୁର୍ବଳ କରିବେ।

Leave a Reply

Your email address will not be published. Required fields are marked *