ପୁଅର ନିଷ୍ପତ୍ତି ମୋତେ ଆଘାତ ଦେଇଛି : ଏକେ ଆଣ୍ଟୋନି
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ଛାଡି ହଠାତ ଅନିଲ ବିଜେପିରେ ଯୋଗ ଦେବା ଖବର ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ତାଙ୍କ ବାପା ଏ.କେ ଆଣ୍ଟୋନି।
ଅନିଲଙ୍କ ବିଜେପିରେ ଯୋଗଦେବା ନିଷ୍ପତ୍ତି ମୋତେ ପ୍ରକୃତରେ ଆଘାତ ଦେଇଛି। ଏହା ସମ୍ପୂର୍ଣ୍ଣ ଭୁଲ ପଦକ୍ଷେପ ବୋଲି ସେ କହିଛନ୍ତି।” ଏଭଳି କହିବା ସହ ସେ ସ୍ପଷ୍ଟ କରିଛନ୍ତି ଯେ ପୁଅ ଭଳି ସେ ଅନ୍ୟ କୌଣସି ଦଳକୁ ଯିବେ ନାହିଁ। ତାଙ୍କ କହିବା ମୁତାବକ, “ମୋର ବୟସ ୮୨ବର୍ଷ। ମୁଁ ମୋ ଜୀବନର ଶେଷ ପର୍ଯ୍ୟାୟରେ ଅଛି। ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ କଂଗ୍ରେସ ସହିତ ରହିବି।”
ବିଜେପିକୁ ଟାର୍ଗେଟ କରି ଏ.କେ ଆଣ୍ଟୋନି କହିଛନ୍ତି ଯେ ଭାରତର ଏକତା ହେଉଛି ଧର୍ମନିରପେକ୍ଷତା। କିନ୍ତୁ ୨୦୧୪ପରଠାରୁ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା ଚାଲିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ହୋଇଥିବା ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ଅନିଲ ଆଣ୍ଟୋନି ଚଳିତ ବର୍ଷ ଜାନୁଆରିରେ କଂଗ୍ରେସର ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ। ଏ.କେ ଆଣ୍ଟୋନିଙ୍କ ଭଳି ତାଙ୍କ ପୁଅ ମଧ୍ୟ କଂଗ୍ରେସ ସହିତ ରହି ବିଜେପି ସହ ଲଢ଼ିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ତାହା ହେଲା ନାହିଁ। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ନିର୍ମିତ ବିବିସିର ଡକ୍ୟୁମେଣ୍ଟାରୀ ପ୍ରଦର୍ଶନକୁ ବିରୋଧ ଓ ଏହା ପରବର୍ତ୍ତୀ ରାଜନୈତିକ ଗତିବିଧି ପାଇଁ ଅନିଲ ବିଜେପିରେ ଯୋଗ ଦେଇଥିବା କୁହାଯାଉଛି।