ଦେଶ- ବିଦେଶ

ଚିଟ୍‌ଫଣ୍ଡ ଶୁଣାଣି ମାର୍ଚ୍ଚ ୧୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ, : ବହୁକୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ନିରପେକ୍ଷ ତଦନ୍ତ ସହ ଠକାମିର ଶିକାର ହୋଇଥିବା ଓଡ଼ିଶାର ହଜାର ହଜାର ଜମାକାରୀଙ୍କୁ ସେମାନଙ୍କ ଜମା ଅର୍ଥ ଫେରାଇଦେବା ଦାବିରେ ଦାଏର ପିଟିଶନର ଶୁଣାଣିକୁ ସୁପ୍ରିମକୋର୍ଟ ସୋମବାର ଘୁଞ୍ଚାଇ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩ରେ ହେବ ବୋଲି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଇନଜୀବୀ ଶୁଣାଣିକୁ ଗୋଟିଏ ସପ୍ତାହ ଘୁଞ୍ଚାଇବା ପାଇଁ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ। ଲୋକଙ୍କ ଜମା ଅର୍ଥ କୁଆଡ଼େ ଗଲା ବୋଲି ଶୁଣାଣି ବେଳେ ଜଷ୍ଟିସ ଶାହା କେନ୍ଦ୍ରକୁ ପ୍ରଶ୍ନ କରିଥିଲେ। କୋଅପରେଟିଭ୍‌ ସୋସାଇଟି ଦ୍ୱାରା ସଂଗୃହୀତ ଅର୍ଥକୁ ଘରୋଇ କମ୍ପାନୀରେ ନିବେଶ କରାଯାଇଥିଲା ବୋଲି ସରକାରଙ୍କ ପକ୍ଷର ଓକିଲ କହିଥିଲେ। ବିଭିନ୍ନ ଅଦାଲତରେ ବିଚାରାଧୀନ ସମସ୍ତ ଚିଟ୍‌ଫଣ୍ଡ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ପାଇଁ କେନ୍ଦ୍ର ପକ୍ଷରୁ ଦାଏର ପିଟିଶନକୁ ବିଚାରକୁ ନେବା ଲାଗି ନିବେଦନ କରାଯାଇଥିଲା। ଗତ ମାସ ୧୬ରେ ସୁପ୍ରିମକୋର୍ଟ ଜମାକାରୀଙ୍କୁ ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ ନେଇ କେନ୍ଦ୍ର ସରକାର, ଓଡ଼ିଶା ଓ ଅନ୍ୟାନ୍ୟ ପକ୍ଷଙ୍କ ମତାମତ ଲୋଡ଼ିଥିଲେ।

Leave a Reply

Your email address will not be published. Required fields are marked *