ଅପରାଧ

ଦଣ୍ଡୁଆଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଲେ

ବୁଗୁଡ଼ା: ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ପଙ୍କଳସାହି ଗ୍ରାମରେ ଜଣେ ଦଣ୍ଡୁଆଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଦଣ୍ଡୁଆ ଜଣକ ପଙ୍କଳସାହି ଗ୍ରାମର ପ୍ରଦୀପ ଜେନା (୪୨ )। ଗାଁ ପଛପଟ ଚାଞ୍ଚରା ନାଳ ପାଖରେ ଥିବା ଏକ ଆମ୍ବ ଗଛରୁ ତାଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଜବତ କରିଛି। ପ୍ରଦୀପଙ୍କ ୨ ଗୋଡ଼ରୁ ରକ୍ତ ସ୍ରାବ ହୋଇଥିବା ଏବଂ ଆଣ୍ଠୁ ଭାଙ୍ଗି ମାଟି ତଳେ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଗଛରେ ଟାଙ୍ଗୀ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଶ୍ରମିକ ଭାବେ କାମ କରୁଥିବା ପ୍ରଦୀପ ଏ ବର୍ଷ କାନନକୁଟୀର ଗାଁ ଦଣ୍ଡଯାତ୍ରାରେ ଦଣ୍ଡୁଆ ଭାବେ ଯୋଗ ଦେଇଥିଲା। ବୁଧବାର ଦିନ କାନନକୁଟୀର ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ବେଳେ ପ୍ରଦୀପଙ୍କୁ ତାଙ୍କ ପରିବାର ଲୋକେ ସେଠାରେ ଦେଖିବାକୁ ନପାଇବାରୁ ପ୍ରଦୀପର ମଝିଆ ଭାଇ ବବ୍ରୁ ଦଣ୍ଡଯାତ୍ରା କମିଟିକୁ ପ୍ରଦୀପ କୁଆଡେ ଗଲା ବୋଲି ପଚାରି ଥିଲେ ତେବେ ବୁଧବାର ସକାଳ ୧୧ଟାରୁ ପ୍ରଦୀପ ତାଙ୍କର ବ୍ୟାଗ ଓ ପୂଜା ଢାଳ ରଖି କେଉଁ ଆଡେ ପଳାଇଛନ୍ତି ବୋଲି କମିଟି ଵାଲା କହିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ମଧ୍ୟରାତ୍ର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ତା’ର ପତ୍ତା ପାଇପାରି ନଥିଲେ । ତେବେ ପାହାନ୍ତିଆ ସମୟରେ ବିଲକୁ ଖତ ପକାଇବାକୁ ଯାଇଥିବା ଜଣେ ବ୍ୟକ୍ତି ଏକ ଆମ୍ବ ଗଛରେ ଶବ ଝୁଲୁ ଥିବା ଦେଖି ଗ୍ରାମରେ ଖବର ଦେଇଥିଲେ। ଖବର ପାଇ ବୁଗୁଡ଼ା ଥାନାର ଅତିରିକ୍ତ ଆଇ ଆଇ ସି ଶର୍ମିଷ୍ଠା ପ୍ରଧାନ, ଏସ ଆଇ ସମୀର କୁମାର ସେଠି, ଅର୍ଜୁନ କଂହର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି l ଭଞ୍ଜନଗର ଏସ ଡ଼ି ପି ଓ ବିଶ୍ଵାମିତ୍ର ହରପାଲ ମଧ୍ୟ ବୁଗୁଡ଼ା ଥାନାରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *