ଅପରାଧ

ବେକରେ ଲୁଗା ବାନ୍ଧି ଜୀବନ ହାରିଲେ

ବ୍ରହ୍ମପୁର : ଟାଉନ ଥାନା ଅଧୀନ ଗାନ୍ଧୀନଗର ଦ୍ୱିତୀୟ ଲାଇନରେ ରହୁଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ପୋଲିସ ଗୁରୁବାର ମୃତଦେହ ଏମ୍‌କେସିଜି ମେଡିକାଲର ସଂରକ୍ଷଣ ଗୃହରୁ ଜବତ କରିଛି। ମୃତକ ହେଲେ ସୁଷମା ବେହେରା(୨୪)

ବାପା ଭଗବାନ ବେହେରାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୮/୨୩) ରୁଜୁ କରିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଯୁବତୀ ଜଣକ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ବେଳେ ସେ କାହିଁକି ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ଅନୁସନ୍ଧାନ ଚଳାଇଛି।

ହେଲେ କୌଣସି ଏକ କଳହକୁ କେନ୍ଦ୍ରକରି ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଘଟଣାରୁ ପ୍ରକାଶ ଯେ, ସୁଷମା ସ୍ଥାନୀୟ ଏକ ସୁନା ଦୋକାନରେ କାମ କରୁଥିଲେ। ଗାନ୍ଧୀନଗର ତୃତୀୟ ଲାଇନରେ ଦଣ୍ଡଯାତ୍ରା ଚାଲିଥିଲା। ପରିବାର ଲୋକେ ଦଣ୍ଡଯାତ୍ରା ଦେଖିବାକୁ ଯାଇଥିଲେ। ସନ୍ଧ୍ୟାରେ ସେମାନେ ଘରଜୁ ଫେରିଥିଲେ। ହେଲେ ଘର କବାଟ ଭିତର ପଟୁ ବନ୍ଦ ରହିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଭଗବାନ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ। ହେଲେ ଏକ ଫ୍ୟାନ୍‌ ହୁକରେ ସୁଷମା ବେକରେ ଲୁଗା ବାନ୍ଧି ଓହଳି ପଡିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *