ବାଣିଜ୍ୟ

ଭାରତ ଯୋଗୁଁ ବିଶ୍ବ ବଜାରରେ ମହଙ୍ଗା ହେଲା ଚିନିଦର

ନୂଆଦିଲ୍ଲୀ : ବିଶ୍ବର ୨ୟ ବୃହତ୍ତମ ଚିନି ଉତ୍ପାଦନକାରୀ ଦେଶ ଭାରତରେ ଉତ୍ପାଦନ କମିବାରୁ ସମଗ୍ର ବିଶ୍ବରେ ଚିନି ଦର ବଢିଯାଇଛି । ଚିନି ଦର ଗତ ୬ ବର୍ଷର ରେକର୍ଡ ଭାଙ୍ଗିଛି। ନ୍ୟୁୟର୍କରେ ଚିନି ଦର ୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଭାରତ ଚିନିର ରପ୍ତାନି କମାଇବା  ପରେ ବିଶ୍ବବ୍ୟାପୀ ଯୋଗାଣକୁ ନେଇ ଚିନ୍ତା ବଢ଼ିଛି। ଭାରତରେ ଚିନି ଉତ୍ପାଦନ ହ୍ରାସ ଏବଂ ପାକିସ୍ତାନ ଓ ଥାଇଲାଣ୍ଡ ସମେତ ଅନ୍ୟାନ୍ୟ ଦେଶରୁ କମ୍ ଯୋଗାଣ ଯୋଗୁଁ ଚଳିତ ସପ୍ତାହରେ ଅଶୋଧିତ ଚିନି ଦର ୫% ବୃଦ୍ଧି ପାଇଛି । ନ୍ୟୁୟର୍କରେ ଅଶୋଧିତ ଚିନି ଦର ୨.୨% ବୃଦ୍ଧି ପାଇ ପାଉଣ୍ଡ ପିଛା ୨୩.୪୬ ସେଣ୍ଟରେ ପହଞ୍ଚିଛି, ଯାହା କି ୨୦୧୬ ଅକ୍ଟୋବର ପରଠାରୁ ସର୍ବାଧିକ ।

ବ୍ରାଜିଲ୍ ଏବଂ ଭାରତର ଚିନି କଳଗୁଡ଼ିକ ପେଟ୍ରୋଲ ପାଇଁ ଇଥାନଲ୍ ତିଆରିରେ ଅଧିକ ଆଖୁ ବ୍ୟବହାର କରୁଥିବାରୁ ଚିନି ଦର ମଧ୍ୟ ବୃଦ୍ଧି ପାଇଛି। ପ୍ରାଇସ୍ ଫ୍ୟୁଚର୍ସ ଗ୍ରୁପ୍ ର ଉପାଧ୍ୟକ୍ଷ ଜ୍ୟାକ୍ ସ୍କୋଭିଲ୍ କହିଛନ୍ତି, ଚିନିର ଧାରା ବୃଦ୍ଧି ପାଉଛି। ଚିନି ଉତ୍ପାଦନରେ ବ୍ୟାପକ ହ୍ରାସ ଘଟିଛି। ”ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଯୋଗୁଁ ଆଖୁ ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫ​ଳରେ ଚିନି ମିଲକୁ କମ ଆଖୁ ପହଞ୍ଚୁଛି । ତେବେ ବଜାରରେ ଥିବା ପ୍ରତିବନ୍ଧକକୁ ଦୂର କରିବା ପାଇଁ ବ୍ୟବସାୟୀମାନେ ବ୍ରାଜିଲର ଆଖୁ ଫସଲ ଏବଂ ଚିନି ଉତ୍ପାଦନ ଉପରେ ନଜର ରଖିଛନ୍ତି। ବ୍ରାଜିଲ ହେଉଛି ବିଶ୍ୱର ସବୁଠାରୁ ବଡ଼ ଚିନି ଉତ୍ପାଦନକାରୀ ଦେଶ । ବ୍ରାଜିଲ ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଚିନି ଉତ୍ପାଦନକାରୀ ଦେଶ ।

Leave a Reply

Your email address will not be published. Required fields are marked *