ଦେଶ- ବିଦେଶ

୩ଦିନିଆ ସମରାଭ୍ୟାସ ଘୋଷଣା କଲା ଚୀନ୍‌

ବେଜିଙ୍ଗ୍‌: ଆଜିଠାରୁ ତାଇୱାନ୍‌ ପ୍ରଣାଳୀରେ ୩ଦିନିଆ ସମରାଭ୍ୟାସ ଆରମ୍ଭ କରିବ ବୋଲି ଚୀନ୍‌ ଘୋଷଣା କରିଛି।

‘ଦି ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ର ‘ଇଷ୍ଟର୍ଣ୍ଣ ଥିଏଟର୍‌ କମାଣ୍ଡର୍‌’ କହିଛନ୍ତି, ଯୁଦ୍ଧ ପ୍ରସ୍ତୁତି ନିମନ୍ତେ ୮ରୁ ୧୦ ଏପ୍ରିଲ୍‌ ପର୍ଯ୍ୟନ୍ତ ‘ୟୁନାଇଟେଡ୍‌ ସାର୍ପ ସୋର୍ଡ’ (ସମରାଭ୍ୟାସର) ଚାଲିବ।

‘ଦି ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ବିବୃତିରେ ‘ଇଷ୍ଟର୍ଣ୍ଣ ଥିଏଟର୍‌ କମାଣ୍ଡର୍‌’ର ମୁଖପାତ୍ର ବରିଷ୍ଠ କର୍ଣ୍ଣେଲ୍‌ ଶି ୟି କହିଛନ୍ତି, ‘ୟୁନାଇଟେଡ୍‌ ସାର୍ପ ସୋର୍ଡ’ ସମରାଭ୍ୟାସରେ ତାଇୱାନ୍‌ର ଉତ୍ତର ଓ ଦକ୍ଷିଣ ପାର୍ଶ୍ବ ତାଇୱାନ୍‌ ପ୍ରଣାଳୀରେ, ଏବଂ ତାଇୱାନ୍‌ର ପୂର୍ବକୁ ଥିବା ସମୁଦ୍ର ଓ ଆକାଶରେ ପୁଲିସ ପାଟ୍ରୋଲ୍‌ କରାଯିବ।

କିନ୍ତୁ, ଏହି ସମରାଭ୍ୟାସର ସଠିକ ସ୍ଥାନ ନିରୂପଣ କରାଯାଇନାହିଁ।

ସେପଟେ, ତାଇୱାନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ତାଇୱାନ୍‌ ଚତୁଃପାର୍ଶ୍ବରେ ଚୀନ୍‌ର ୩ଟି ଯୁଦ୍ଧପୋତ ଓ ୧୩ଟି ଲଢୁଆ ବିମାନ ଚିହ୍ନଟ କରାଯାଇଛି।

ଆଜି ସକାଳେ ତାଇୱାନ୍‌ର ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି, ଚିହ୍ନଟ ହୋଇଥିବା ଲଢୁଆ ବିମାନରୁ ୪ଟି ତାଇୱାନ୍‌ ପ୍ରଣାଳୀର ମଧ୍ୟବର୍ତ୍ତୀ ରେଖା ଟପି ତାଇୱାନ୍‌ର ଦକ୍ଷିଣପୂର୍ବ ‘ଏଡିଆଇଜେଡ୍‌’ରେ ପ୍ରବେଶ କରିଥିଲେ।

ଉଲ୍ଲେଖଯୋଗ୍ୟ, କାଲିଫର୍ଣ୍ଣିଆରେ ତାଇୱାନ୍‌ର ରାଷ୍ଟ୍ରପତି ସାଇ ଇଙ୍ଗ୍‌-ୱେନ୍‌ ଏବଂ ଆମେରିକୀୟ ସଂସଦର ବାଚସ୍ପତି କେବିନ୍‌ ମ୍ୟାକ୍‌କାର୍ଥିଙ୍କ ମଧ୍ୟରେ ବୈଠକ ହେବା କାରଣରୁ ଚୀନ୍‌ ଏଭଳି ସମରାଭ୍ୟାସ ଆରମ୍ଭ କରିଛି।

ସ୍ମରଣଯୋଗ୍ୟ, ସ୍ବୟଂଶାସିତ ତାଇୱାନ୍‌କୁ ଚୀନ୍‌ ତା’ ଭୌଗୋଳିକ ଅଞ୍ଚଳର ଅଂଶ ଭାବେ ଦେଖୁଥିବାରୁ ଦିନେ ନା ଦିନେ ତାକୁ ଅଧିକାର କରିବ ବୋଲି ପ୍ରତିଜ୍ଞା କରିଛି। ପ୍ରୟୋଜନ ହେଲେ ଏଥିପାଇଁ ବଳ ପ୍ରୟୋଗ କରିବ ବୋଲି ଚୀନ୍‌ କହିଛି।

Leave a Reply

Your email address will not be published. Required fields are marked *