ଅପରାଧ

ପୁଲିସ୍ ଚାକିରି ନ ହେବାରୁ ଯୁବକଙ୍କ ଆତ୍ମହତ୍ୟା

ଜଟଣୀ,: ଜଟଣୀ ଥାନା କୁଦିଆରୀ ଗ୍ରାମରେ ଆଜି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗୋବିନ୍ଦ ସାମଲଙ୍କ ପୁଅ ଅଶୋକ(୨୨)। ପୁଲିସ୍‌ ଚାକିରି ପାଇଁ ଉଦ୍ୟମ କରୁଥିବା ଅଶୋକ ପରୀକ୍ଷାରେ ବିଫଳ ହେବାରୁ ଏଭଳି ଚରମ ପଦ‌କ୍ଷେପ ନେଇଥିବା କୁହାଯାଉଛି। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ଏବଂ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
ସୂଚନାଯୋଗ୍ୟ ଯେ ଅଶୋକ ପୁଲିସ୍ ଚାକିରି ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନପାରିବାରୁ ଗତ କିଛି ଦିନ ହେଲା ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ।ତାଙ୍କ ବାପା ଓ ମା’ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଅଶୋକ ବେକରେ ଗାମୁଛା ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। କିଛି ସମୟ ପରେ ମା’ ଘରକୁ ଫେରି ଅଶୋକକୁ ଝୁଲନ୍ତା ଅବସ୍ଥାରେ ଦେଖି ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ପାଖ ପଡ଼ୋଶୀମାନେ ଧାଇଁ ଆସି ଅଶୋକଙ୍କୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଅପମୃତ୍ୟୁ ମାମଲା ରୁଜି କରି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *